ଭୁବନେଶ୍ୱର ୨୫/୧୧: ରାଜ୍ୟର ସମସ୍ତ ଜେଲ୍କୁ ଦିଆଯିବ ମୋବାଇଲ୍ ଫୋନ୍ ଡିଟେକ୍ଟର। ଖୁବ୍ ଶୀଘ୍ର ସବୁ ଜେଲ୍କୁ ୩ ଶହ ମୋବାଇଲ୍ ଫୋନ୍ ଡିଟେକ୍ଟର ଦିଆଯିବ ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜେଲ୍ କର୍ମଚାରୀଙ୍କୁ ଏହି ଫୋନ୍ ଡିଟେକ୍ଟର ମିଳିବା ପରେ ସେମାନେ ଅତି ସହଜରେ ଜାଣି ପାରିବେ କେଉଁ କଏଦୀ ପାଖରେ ଫୋନ୍ ଅଛି ।
ଜେଲ୍ ବିଭାଗର ବରିଷ୍ଠ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଥିବା ଜେଲ୍ ମଧ୍ୟରୁ ମାତ୍ର ୫ଟି ଜେଲ୍ରେ ଜାମର ଲାଗିଛି । ଯେଉଁ ସମୟରେ ୨ ଜି ଫୋନ୍ର ବହୁଳ ବ୍ୟବହାର ହେଉଥିଲା ସେ ସମୟରେ ଏହି ୫ଟି ଜେଲ୍ରେ ଜାମର ଲଗାଯାଇଥିଲା। ଉକ୍ତ ଜାମର କ୍ଷମତା ଥିଲା କେବଳ ୨ ଜି ଫୋନ୍ର ସିଗନାଲ ଜାମ କରିବା । ଏବେ ୪ ଜି ଫୋନ ବ୍ୟବହାର ହେଉଛି । ଆଉ ଖୁବ କମ୍ ଦିନ ମଧ୍ୟରେ ୫ ଜି ଆସିବ । କଏଦୀମାନେ ସ୍ମାଟ୍ ଫୋନ୍ ବ୍ୟବହାର କରୁଥିବାରୁ ଜାମର ଥାଇ ମଧ୍ୟ କିଛି କାମ ଦେଉ ନାହିଁ । ତା’ଛଡା ଜେଲରେ ଶହ ଶହ କଏଦୀ ରହୁଛନ୍ତି । କାହା ପାଖରେ ଫୋନ୍ ଅଛି ତାହା ଜାଣିବା ମଧ୍ୟ କଷ୍ଟକର । ସେଥିପାଇଁ ଆମେ ମୋବାଇଲ୍ ଫୋନ୍ ଡିଟେକ୍ଟର ଆଣିବାକୁ ଯୋଜନା କରିଛୁ । ଖୁବ୍ କମ୍ ସମୟ ମଧ୍ୟରେ ଏହି ଡିଟେକ୍ଟର ଜେଲ୍ କତ୍ତୃପକ୍ଷଙ୍କୁ ମଳିଯିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।
ଏହି ଡିଟେକ୍ଟରର ଲମ୍ବ ମାତ୍ର ୧୦ରୁ ୧୨ ଇଞ୍ଚ। ଅତି ସହଜରେ ଜଣେ କର୍ମଚାରୀ ତାକୁ ହାତରେ ଧରି ଜେଲ ଭିତରେ ବୁଲି ପାରିବ। ଉକ୍ତ ଡିଟେକ୍ଟରକୁ ଅନ୍ କଲେ ୧୦ରୁ ୨୦ ମିଟର ଦୂରରେ ଯଦି କୌଣସି କଏଦୀଙ୍କ ପାଖରେ ଫୋନ୍ ଥିବା ତାହା ଜଣାପଡିଯିବ । ସବୁ ଠାରୁ ବଡ଼ କଥା ହେଲା ଯଦି ଫୋନ୍ ସ୍ୱିଚ୍ ଅଫ୍ ଥିବ ତାହା ବି ଜଣାଇ ଦେବ ଏହି ଡିଟେକ୍ଟର। ୩ ଜି, ୪ଜି ଓ ୫ଜି ଜାମର କିଣିବା ପାଇଁ କୋଟି କୋଟି ଟଙ୍କା ଦରାକର। ରାଜ୍ୟ ଥିବା ସମସ୍ତ ଜେଲ୍ରେ ଜାମର ଲଗାଇବା ଅସମ୍ଭବ । ସେଥିପାଇଁ ଏହି ମୋବାଇଲ୍ ଫୋନ୍ ଡିଟେକ୍ଟର ବ୍ୟବସ୍ଥା କରାଯାଇଛି ।