ଲୁଟପାଟ୍‌ ଥିଲା ପାର୍ଟ ଟାଇମ୍‌ ଜବ୍ ; ବେଳାଭୂମିରେ ପ୍ରେମୀଯୁଗଳଙ୍କୁ କରୁଥିଲେ ଟାର୍ଗେଟ୍‌

ପୁରୀ ୧୦/୯ : ବୃତ୍ତି ଥିଲା ବସ୍‌ କର୍ମଚାରୀ । କିନ୍ତୁ ପାର୍ଟ ଟାଇମ୍‌ ଜବ୍‌ ଥିଲା ଲୁଟ୍‌ପାଟ୍‌ । ଏକାଧିକ ଲୁଟ୍‌ କରିବା ପରେ ଏବେ ଧରାପଡ଼ିଲେ ଦୁଇ ଲୁଟେରା । ଗିରଫ ଦୁଇ ଲୁଟେରା ହେଲେ, ବ୍ରହ୍ମଗିରି ପରିଜିପୁରର ରୁଦ୍ର ରଥ (୨୦) ଓ ଗଙ୍ଗାଧରପୁରର ସରୋଜ କେଇ (୨୮) । ସେମାନଙ୍କ ଠାରୁ ଟଙ୍କା ଓ ଏକ ମୋବାଇଲ ଜବତ କରାଯାଇଛି । ଉଭୟ ଟୁରିଷ୍ଟ ବସ୍‌ରେ ହେଲ୍‌ପର୍‌ ଭାବେ କାମ କରନ୍ତି । ଏହି ମାମଲାରେ ଆଉ ଜଣେ ଫେରାର୍‌ ଥିବା ଜଣାପଡିଛି । ଦିନ ତମାମ ବସ୍‌ରେ କାମ କରିବା ପରେ ସନ୍ଧ୍ୟାରେ ଏମାନେ ଲୁଟ୍‌ପାଟ୍‌ କରି ସହରରେ ଆତଙ୍କ ଖେଳାଉଥିବା ପୁଲିସ କହିଛି। ।

ଖବରରୁ ଜଣାପଡିଛି ଯେ, ଗତ ୧୪ ତାରିଖ ସନ୍ଧ୍ୟାରେ ଜଣେ ଯୁବତୀ ଓ ତାଙ୍କ ପ୍ରେମିକ ବେଳାଭୂମିରେ ବୁଲୁଥିଲେ । ଏମାନଙ୍କୁ ଟାର୍ଗେଟ କରିଥିଲେ ଏହି ୩ଲୁଟେରା । ଅନ୍ଧାର ସ୍ଥାନରେ ଏକାନ୍ତରେ ବସିଥିବା ପ୍ରେମୀ ଯୁଗଳଙ୍କ ପାଖରେ ସେମାନେ ପହଞ୍ଚି ଯାଇଥିଲେ । ପ୍ରଥମେ ଅସଦାଚରଣ କରିଥିଲେ । ପରେ ପାଖରେ ରଖିଥିବା ଖଣ୍ଡା ପ୍ରେମୀ ଯୁଗଳଙ୍କ ବେକରେ ଲଗାଇ ଯାହା ଅଛି ଦେଇ ଦିଅ ବୋଲି କହିଥିଲେ । ଆତଙ୍କିତ ଅବସ୍ଥାରେ ଯୁବତୀ ଓ ତାଙ୍କ ପ୍ରେମିକ ଚିତ୍କାର କରିବାବେଳେ ସେମାନଙ୍କ ପାଖରେ ଥିବା ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଥିଲେ ୩ ଲୁଟେରା । ପରେ ସେମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ଯୁବତୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । କିଛି ଦିନ ତଳେ ଅଭିଯୁକ୍ତ ଲୁଟି ନେଇଥିବା ମୋବାଇଲ୍‌ ଚାଲୁ କରିଥିଲେ । ବାସ୍‌ ଏଥର ଖୋଲିଯାଇଥିଲା ଲୁଟେରାଙ୍କୁ ଧରିବାର ବାଟ । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଗିରଫ ପରେ ଜଣାପଡିଛି ଯେ, ଏହି ଅଭିଯୁକ୍ତ ଏକାଧିକ ମାମଲାରେ ଜଡିତ ରହିଛନ୍ତି । ୨୦୧୭ ମସିହାରେ ଏକ ବାଇକ୍‌ ଚୋରି ମାମଲାରେ ସରୋଜ ଗିରଫ ହୋଇଥିଲା ।

ଏମାନେ ବିଶେଷ କରି ବେଳାଭୂମିରେ ଆତଙ୍କ ଖେଳାନ୍ତି । ସନ୍ଧ୍ୟା ହେଲେ ବେଳାଭୂମିରେ ପ୍ରେମୀଯୁଗଳଙ୍କ ଭିଡ ଜମୁଛି । ପ୍ରେମୀଯୁଗଳ ବିଭିନ୍ନ ଅଶ୍ଲୀଳ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ସେହି ସମୟରେ ଲୁଟେରା ସେମାନଙ୍କୁ ଅତି ସହଜରେ ଲୁଟ୍‌ପାଟ୍‌ କରୁଥିବା ଲକ୍ଷ୍ୟ କରାଯାଇଛି । ପୁଲିସର ଭୟ ଦେଖାଇ ଲୁଟେରାମାନେ ପ୍ରେମୀଯୁଗଳଙ୍କୁ ଅସଦାଚରଣ କରୁଥିବା ପୂର୍ବରୁ ନଜୀର୍‌ ରହିଛି । ସେପଟେ ଲୁଟ୍‌ର ଶିକାର ହୋଇଥିବା ଅନେକ ପ୍ରେମୀଯୁଗଳ ଲଜ୍ଜାରେ ଏତଲା ନଦେଇ ପଳାଉଥିବା ପୁଲିସ କହିଛି । ହେଲେ ଏହି ଲୁଟ୍‌ ପରେ ଯୁବତୀ ଜଣକ ଏତଲା ଦେବା ପରେ ୨ ଜଣଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି । ଫେରାର୍‌ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଯୋଜନା କରୁଛି ।

   ସମ୍ବନ୍ଧିତ ଖବର


ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଅସ୍ତ୍ରଶସ୍ତ୍ର ଧରି ଦୁଇଟି ଜେଲ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ,୨୦୦୦ କଏଦୀ ଫେରାର

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ରାସ୍ତାରେ ଝାଡୁମାରି ଚର୍ଚ୍ଚାରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ସମ୍ବର୍ଦ୍ଦିତ କଲେ କମିଶନର…