ମୋବାଇଲ୍‌ ଟାୱାର୍‌ ଯାଞ୍ଚ୍‌ କରିବ ପୋଲିସ; ଜନବସତି, ହସ୍ପିଟାଲ୍‌ ଓ ସ୍କୁଲ୍‌ ପାଇଁ ବିପଦ

କଟକ,୨୩/୦୭(ବ୍ୟୁରୋ): କଟକ ସହରରେ ଏବେ ମାଳମାଳ ମୋବାଇଲ୍‌ ଟାୱାର । ସେଥିରୁ ଅନେକ ବିପଜ୍ଜନକ ଓ ବେଆଇନ ଭାବେ ଗଢ଼ି ଉଠିଛି । ଆବଶ୍ୟକୀୟ ଅନୁମତି ନଥାଇ ଛାତ ଉପରେ ତିଆରି ହୋଇଛି ଏହି ସବୁ ଟାୱାର । କିଛି ଟାୱାର ଜନବସତି ପାଇଁ ବିପଦ ସୃଷ୍ଟି କରୁଥିବା ବେଳେ ଆଉ କିଛି ଜିରୋ ଟଲୋରାନ୍ସ ଜୋନ୍‌ରେ ଅଛି । ଏବେ ଏସବୁ ଟାୱାର ଉପରେ ଅଙ୍କୁଶ ଲାଗିବ । ଉପଯୁକ୍ତ କାଗଜପତ୍ର ନଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଟାୱାରଗୁଡ଼ିକର ଖୁବ୍‌ଶୀଘ୍ର ତାଲିକା ପ୍ରସ୍ତୁତ ହେବାକୁ ଯାଉଛି ।
ଦେଶରେ ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ମୋବାଇଲ୍‌ ସେବା ଯୋଗାଇବା ପାଇଁ କଟକ ସହରରେ ଶହଶହ ମୋବାଇଲ୍‌ ଟାୱାର ନିର୍ମାଣ କରିଛନ୍ତି । କଟକ ସହରରେ ଖାଲି ସ୍ଥାନର ଅଭାବ ରହିଥିବାରୁ ପ୍ରାୟ ୯୫ ପ୍ରତିଶତ ଟାୱାର ଛାତ ଉପରେ ନିର୍ମାଣ ହୋଇଛି । ଦୁଇ ମହଲାଠାରୁ ଆରମ୍ଭ କରି ଚାରି ମହଲା ପର୍ଯ୍ୟନ୍ତ କୋଠାରେ ଏଭଳି ଟାୱାର ଲାଗିଛି । କିଛି ବଡ଼ବଡ଼ କୋଠାରେ ମଧ୍ୟ ନିର୍ମାଣ ହୋଇଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କଟକ ସହରରେ ବହୁ ପୁରୁଣାକାଳିଆ କୋଠାରେ ମଧ୍ୟ ମୋବାଇଲ୍‌ ଟାୱାର୍‌ଗୁଡ଼ିକ ଏବେ କାମ କରୁଛି । ଏପରିକି ଯେଉଁ ପୁରୁଣା କୋଠାଗୁଡ଼ିକ ନିଜ ଓଜନର ଭାର ସମ୍ଭାଳିବାରେ ସମର୍ଥ ନୁହେଁ ସେଭଳି କୋଠାରେ ମଧ୍ୟ ମୋବାଇଲ୍‌ ଟାୱାର ନିର୍ମାଣ ହୋଇଛି ।

ଏହି ସବୁ ଟାୱାର ଯନ୍ତ୍ରାଂଶର ଓଜନ ଦୁଇ ଟନ୍‌ରୁ ଆରମ୍ଭ କରି ୫ ଟନ୍‌ ପର୍ଯ୍ୟନ୍ତ ରହୁଛି । ତେଣୁ କୋଠା ଉପରେ ମୋବାଇଲ୍‌ ଟାୱାର ନିର୍ମାଣ କରିବା ପୂର୍ବରୁ କୋଠାର ସ୍ଥାୟୀତ୍ୱ ନେଇ ଇଂଜିନିୟରିଂ ବିଭାଗଠାରୁ ଅନୁମତି ଆଣିବା ନିତ୍ୟାନ୍ତ ଆବଶ୍ୟକ । ହେଲେ ବହୁ ଟାୱାର ନିର୍ମାଣ କ୍ଷେତ୍ରରେ ଏଭଳି କରାଯାଉନି । ଫଳରେ ଜନବସତି ଅଞ୍ଚଳରେ ଏହା ବିପଦ ସୃଷ୍ଟି କରିଛି । କୌଣସି ଏକ ପ୍ରାକୃତିକ ବିପର୍ଯ୍ୟୟ ହେଲେ ଟାୱାର ନିର୍ମାଣ ହୋଇଥିବା ଘର ଭାଙ୍ଗିବା ସହିତ ଉକ୍ତ ଟାୱାରର ଯନ୍ତ୍ରାଂଶ ପଡ଼ୋଶୀ ଘର ପ୍ରତି ବିପଦପୂର୍ଣ୍ଣ । ଗତ ଫୋନି ବାତ୍ୟା ସମୟରେ ଅନ୍ୟ ସହରରେ ଏଭଳି ଘଟଣା ସାମ୍ନାକୁ ଆସି ସାରିଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କଟକ ସହରଟି ଭୂମିକମ୍ପ ଜୋନ୍‌ରେ ଆସୁଥିବାରୁ ମୋବାଇଲ୍‌ ଟାୱାର ଏବେ ସହରପ୍ରତି ବଡ଼ ବିପତ୍ତି ଆଣିବାର ଆଶଙ୍କା ଦେଇଛି ।

ସେହିପରି ହସ୍ପିଟାଲ୍‌ ଓ ସ୍କୁଲ୍‌ର ୨ଶହ ମିଟର ଦୂରତା ମଧ୍ୟରେ କୌଣସି ମୋବାଇଲ୍‌ ଟାୱାର ନିର୍ମାଣ ହୋଇପାରିବ ନାହିଁ । ଟାୱାର ରେଡିଏସନ୍‌ ରୋଗୀ ଓ ଛୋଟ ପିଲାଙ୍କ ପାଇଁ କ୍ଷତିକାରକ ହୋଇଥିବାରୁ ସ୍କୁଲ ଓ ହସ୍ପିଟାଲ୍‌ ପାଖରେ ଏହାକୁ ନିର୍ମାଣ କରିବା ନେଇ ପୂର୍ବରୁ ଅଙ୍କୁଶ ରହିଛି । ଏପରିକି କେନ୍ଦ୍ରାଞ୍ଚଳ ଆର୍‌ଡିସି ଏନେଇ ସର୍କୁଲାର ଜାରି କରିଛନ୍ତି । ପ୍ରଥମ ଥର ପାଇଁ ଏଭଳି ମୋବାଇଲ୍‌ ଟାୱାର ଯାଞ୍ଚ କରିବା ଓ ବେଆଇନ ଟାୱାର ବନ୍ଦ କରିବା ନେଇ ପୁଲିସ ଓ ପ୍ରଶାସନ ଅଣ୍ଟା ଭିଡ଼ିଛନ୍ତି । କଟକ ସହରରେ କେତେ ମୋବାଇଲ୍‌ ଟାୱାର ରହିଛି ତାହାର ତଥ୍ୟ ସଂଗ୍ରହ ପାଇଁ ପୁଲିସ ପକ୍ଷରୁ ଥାନା ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତଥ୍ୟ ଆସିବା ପରେ ଟାୱାର ନିର୍ମାଣ ହୋଇଥିବା କୋଠା ମାଲିକମାନଙ୍କୁ କାଗଜପତ୍ର ମଗାଯିବ । ଯାହାର ତ୍ରୁଟି ବାହାରିବ ସେଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

   ସମ୍ବନ୍ଧିତ ଖବର


ପରିବାରର ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ : ସ୍ତ୍ରୀ ମୃତ, ସ୍ୱାମୀ-ଝିଅକୁ କଟକ ସ୍ଥାନାନ୍ତର

ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଗାଧୋଇବାବେଳେ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ

ସାମାଜିକ ଦୂରତା ରଖିଲେନି କି ପିନ୍ଧିଲେନି ମାସ୍କ, ରାସ୍ତା ମଝିରେ ବୋବାଲ କଲେ ବରଯାତ୍ରୀ ଦଳ, ଦେଖନ୍ତୁ ଭାଇରାଲ୍‌ ଭିଡିଓ

କରୋନାରେ ପୁଅର ମୃତ୍ୟୁ ଖବର ପାଇଁ ମାତା-ପିତାଙ୍କ ଆତ୍ମହତ୍ୟା

ଭଦ୍ରକ: ୩୦ରୁ ଅଧିକ ନାଗ ଛୁଆ ଓ ୫୦ ଅଣ୍ଡା ଉଦ୍ଧାର