ମଡେଲ୍‌ ବୁଥ୍‌ରେ ପାର୍ବଣ ମାହୋଲ

ଭୁବନେଶ୍ୱର,୬ା୪(ବ୍ୟୁରୋ): ବିଛା ହୋଇଥିବ ରେଡ୍‌ କାର୍ପେଟ୍‌ । ଭୋଟର ଆସି ପହଞ୍ଚୁ ପହଞ୍ଚୁ ଜଣେ ନମସ୍କାର କରି ସ୍ୱାଗତ କରିବ । ଆଉ ଜଣେ ଆସି ମଥାରେ ଲଗାଇଦେବ ଚନ୍ଦନ ଟିପା । ଫୁଲତୋଡ଼ା ଦେଇ ଇଭିଏମ୍‌ ନିକଟକୁ ପାଛୋଟି ନେବ । ଗଣତନ୍ତ୍ରର ମହାପର୍ବରେ ଭାଗ୍ୟ ବିଧାତା ଭୋଟରଙ୍କୁ ଏମିତି ଅଭିନବ ଢଙ୍ଗରେ ସ୍ୱାଗତ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ସଜେଇ ହେବ ‘ମଡେଲ୍‌ ବୁଥ୍‌’ । ମତଦାତାଙ୍କୁ ଲାଗିବ ସେମାନେ କେବଳ ଭୋଟ୍ ଦେବାକୁ ଆସିନାହାନ୍ତି, ସତେ ଯେମତିି ପାବର୍ଣର ମାହୋଲରେ ସାମିଲ୍ ହେବାକୁ ଆସିଛନ୍ତି ।

ଓଡ଼ିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନକୁ ପର୍ବ ଭଳି ପାଳନ କରିବାକୁ ରାଜ୍ୟର କିଛି ବୁଥ୍‌କୁ ‘ମଡେଲ ବୁଥ୍‌’ର ମାନ୍ୟତା ଦିଆଯିବ । ଏସବୁ ବୁଥ୍‌ରେ ପାର୍ବଣର ମାହୋଲ ସୃଷ୍ଟି କରାଯିବ । ମତଦାନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏମିତିକା ଅଭିନବ ପନ୍ଥା ଆପଣେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) । ଓଡ଼ିଶା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ ରାମଚାନ୍ଦ ଯାଦବ କହିଛନ୍ତି, ଭୋଟରଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବାକୁ ମଡେଲ୍‌ ବୁଥ୍‌ର ପରିକଳ୍ପନା କରାଯାଇଛି । ପ୍ରତି ନିର୍ବାଚନ ମଣ୍ଡଳୀରେ ଅତକିମ୍‌ରେ ଗୋଟଏି ଲେଖାଏଁ ଅର୍ଥାତ୍‌ ସର୍ବନିମ୍ନ ୧୪୭ ବୁଥ୍‌କୁ ‘ମଡେଲ୍‌ ବୁଥ୍‌’ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣି ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରସ୍ତାବିତ ବୁଥ୍‌ଗୁଡ଼ିକୁ ଆକର୍ଷଣୀୟ କରିବାକୁ ନିଜସ୍ୱ ସୃଜନଶୀଳତା ବ୍ୟବହାର ପାଇଁ ସେମାନଙ୍କୁ କୁହାଯାଇଛି । ସାଧାରଣ ଭାବେ ମଡେଲ୍‌ ବୁଥ୍‌ଗୁଡ଼କିୁ ପାର୍ବଣ ମାହୋଲ ଦେବାକୁ ଫୁଲମାଳରେ ସଜା ଯାଇପାରବି ।

ଏପରିକି ବୁଥ୍‌ରେ ଭୋଟରଙ୍କ ସ୍ୱାଗତ ପାଇଁ ରେଡ୍‌ କାର୍ପେଟ୍‌ ବିଛାଯାଇପାରିବ । ଫୁଲତୋଡ଼ା, ଚନ୍ଦନ ଟୋପା ଲଗାଇ ସେମାନଙ୍କୁ ପାଛୋଟି ନିଆଯିବ । ଏପରିକି ଭୋଟରଙ୍କ ପାଇଁ ଲସି, ଲେମ୍ବୁପାଣିର ବ୍ୟବସ୍ଥା ମଧ୍ୟ କରାଯାଇପାରିବ । ଏହାବାଦ୍‌ ନିଜ ଅଞ୍ଚଳର ଭୋଟରଙ୍କୁ ଆକୃଷ୍ଟ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସର ଅନ୍ୟ ଅଭିନବ ପନ୍ଥା ଆପଣେଇ ପାରିବେ ବୋଲି ସେ କହିଛନ୍ତି ।

ଶ୍ରୀ ଯାଦବ କହିଛନ୍ତି, ମଡେଲ୍‌ ବୁଥ୍‌ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ବୁଥ୍‌ରେ ମଧ୍ୟ ଭୋଟରଙ୍କ ପାଇଁ କେତେକ ମୌଳିକ ବ୍ୟବସ୍ଥା ରହିବ । ମତଦାନ ଅପେକ୍ଷାରେ ଥିବା ଭୋଟରଙ୍କ ବସିବା ପାଇଁ ବେଞ୍ଚ ବ୍ୟବସ୍ଥା କରାଯାଇଛି । ପିଇବା ପାଣି, ଟଏଲେଟ୍‌ ରହିବ । ବୃଦ୍ଧି ଓ ଗର୍ଭବତୀ ମହିଳା ଭୋଟରଙ୍କୁ ଲାଇନରେ ଛିଡ଼ା ହେବାକୁ ପଡ଼ିବନି । ସେମାନେ ପହଞ୍ଚିବା ମାତ୍ରେ ଭୋଟ୍‌ ଦେବାର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କୁ ଘରୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ଗାଡ଼ି ବ୍ୟବସ୍ଥା ରହିବ । ସେମାନଙ୍କ ପାଇଁ ମତଦାନ କେନ୍ଦ୍ରରେ ହ୍ୱିଲ୍‌ ଚେୟାର ବ୍ୟବସ୍ଥା ବି କରାଯାଇଥିବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।