ପ୍ରମୁଖ ଖବର
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଆଜି ବିଜ୍ଞପ୍ତି: ୨୫ ଯାଏ ନାମାଙ୍କନ, ମେ ୧୩ରେ ମତଦାନ
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଚଳିତ ବର୍ଷରୁ ଏକକ ନୁହେଁ, ମଡେଲ୍‌ ସିଲାବସ୍‌

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ଚଳିତ ବର୍ଷରୁ ଏକକ ନୁହଁ ଲାଗୁ ହେବ ମଡେଲ୍‌ ବା ଆଦର୍ଶ ସିଲାବସ୍‌ । ତାହା ପୁଣି କେବଳ ଯୁକ୍ତ ତିନି ବା ୟୁଜିରେ ଲାଗୁ ହେବ । ତେବେ ଏହି ସିଲାବସ୍‌ର ଚୂଡାନ୍ତ ରୁପରେଖ ପାଇଁ ଆଜି ଚତୁର୍ଥ ଥର ପାଇଁ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ମଡେଲ୍‌ ସିଲାବସ୍‌ ବାବଦରେ ତର୍ଜମା କରାଯାଇଛି । ଗତ ୨ ତାରିଖରୁ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍‌ରେ ଅପଲୋଡ୍‌ କରାଯାଇଥିବା ସିଲାବସ୍‌ରେ ଥିବା ତ୍ରୁଟିଗୁଡିକ ବାବଦରେ ଆସିଥିବା ପରାମର୍ଶକୁ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ସିଲାବସର ଚୂଡାନ୍ତ ରୁପରେଖ ବାବଦରେ କୁଳପତିଙ୍କର ବିଶେଷ ଭୂମିକା ଥିବାରୁ ସେମାନଙ୍କ ମତାମତ ଲୋଡ଼ାଯାଇଛି ।

ତେବେ ମଡେଲ୍‌ ସିଲାବସ୍‌ ଅନୁସାରେ ପ୍ରତି ବିଶ୍ୱବିଦ୍ୟାଳୟ ନିଜର ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବେ । ସେଥିରେ ୯୦ ପ୍ରତିଶତ ଅପରିବର୍ତ୍ତିତ ରହିବ । କେବଳ ଆଞ୍ଚଳିକ ଭିତ୍ତିରେ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟଗୁଡିକ ପାଠ୍ୟଖସଡ଼ା ବଦଳାଇପାରିବେ ବୋଲି ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି ।

ଶୁକ୍ରବାର ସ୍ଥାନୀୟ ପୁସ୍ତକ ଭବନ ପରିସରରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀରେ ସିଲାବସ୍‌ ପ୍ରସ୍ତୁତି, ଆଦର୍ଶ ପରୀକ୍ଷା ପରିଚାଳନା, ରୁସା ପାଣ୍ଠି ବିନିଯୋଗ, ଡିଜିଟାଇଜେସନ୍‌, ଗବେଷଣା ଓ ମାର୍କିଂ ନୀତି ଆଦି ବାବଦରେ ଆଲୋଚନା ହୋଇଥିଲା । ତେବେ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ସିଲାବସ୍‌ ଲାଗୁ ହେବ କହିଥିଲେ । ମାତ୍ର ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଏକକ ନୁହଁ ବରଂ ମଡେଲ୍‌ ସିଲାବସ୍‌ ହେବ ବୋଲି ସ୍ପଷ୍ଟୀକରଣ ଦିଆଯାଇଛି । ସେହିପରି ମଡେଲ୍‌ ସିଲାବସ୍‌ କେବଳ ୟୁଜିରେ ଲାଗୁ ହେବ । ପିଜିରେ ଏକକ ସିଲାବସ୍‌କୁ ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକମାନେ ବିରୋଧ କରିବା ପରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି । ତେବେ ସିଲାବସ୍‌ ଲାଗୁ କରିବା ପୂର୍ବରୁ ତାହାକୁ ବିଶ୍ୱବିଦ୍ୟାଳୟଗୁଡିକରେ ଥିବା ସିଲାବସ୍‌ କମିଟିରେ ପାସ୍‌ କରିବାକୁ ପଡିବ ।

ତେଣୁ ଏ ବିଷୟରେ ବିସ୍ତୃତ ଆଲୋଚନା କରିବାକୁ ରାଜ୍ୟର ୧୧ଟି ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ପିଜି କାଉନସିଲ୍‌ ଅଧ୍ୟକ୍ଷମାନଙ୍କୁ ମଧ୍ୟ ବୈଠକରେ ସାମିଲ କରାଯାଇଥିଲା । ତେବେ ପୂର୍ବରୁ କୁହାଯାଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ଚଳିତ ବର୍ଷରୁ ଆରମ୍ଭ ହୋଇପାରିବ ନାହିଁ । ଆସନ୍ତା ବର୍ଷରୁ ଲାଗୁ କରିବାକୁ ଯୋଜନା କରାଯାଉଥିବା ବୈଠକରେ ସୂଚନା ଦିଆଯାଇଛି । ପୂର୍ବାହ୍ନ ଓ ମଧ୍ୟାହ୍ନରେ ଦୁଇଟି ସେସନ୍‌ ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠିତ ହୋଇଥିବା ପୃଥକ ସେସନ୍‌ରେ ଉଚ୍ଚଶିକ୍ଷା ସଚିବ ଶାସ୍ୱତ ମିଶ୍ର ଯୋଗ ଦେଇ ଉଚ୍ଚଶିକ୍ଷାର ମାନର ଉନ୍ନତି ପାଇଁ ଆଲୋଚନା କରିଥିଲେ । ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ୟୁଜି କମନ୍‌ ସିଲାବସ୍‌ ଏବଂ ପାଠପଢା ବାବଦରେ ବିସ୍ତୃତ ଭାବେ କହିଥିଲେ । ଉଚ୍ଚଶିକ୍ଷା ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର ରୁସା ପାଣ୍ଠି ବିନିଯୋଗ ନେଇ ବିଶ୍ୱବିଦ୍ୟାଳୟଗୁଡିକ ସହିତ ପୃଥକ ଭାବେ ଆଲୋଚନା କରିଥିବା ବେଳେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ସଚିବ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବୈଠକରେ ଯୋଗ ଦେଇଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅତନୁ କୁମାର ପତି କହିଥିଲେ, ମଡେଲ୍‌ ୟୁଜି ସିଲାବସ୍‌ ଲାଗୁ ହେବା ଦ୍ୱାରା ଓଡ଼ିଆ ଛାତ୍ରଛାତ୍ରୀଙ୍କର ମାନରେ ଉନ୍ନତି ଆସିବ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମଧ୍ୟ କମନ୍‌ ମଡେଲ୍‌ ସିଲାବସ୍‌ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ରାଜ୍ୟରେ ଏହା ଲାଗୁ ହେବା ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ଫଳପ୍ରଦ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.