କଂଗ୍ରେସକୁ ହଟାଇଲେ ଦେଶରୁ ଗରିବୀ ଆପଣାଛାଏଁ ହଟିଯିବ: ମୋଦି

ସୋନପୁର ୬/୪: ସୋନପୁର ବିଜୟ ସଙ୍କଳ୍ପ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ଓଡିଆରେ ଜୁହାରେ କରି ନିଜ ଅଭିଭାଷଣ ଆରମ୍ଭ କଲେ ମୋଦି । ବାରାଣାସୀ ସହିତ ସୁବର୍ଣ୍ଣପୁରକୁ ତୁଳନା କଲେ ମୋଦି । କହିଲେ ଉଭୟ ବାରାଣୀସୀ ଭଳି ସୁବର୍ଣ୍ଣପୁରରେ ମଧ୍ଯ ମହାପ୍ରଭୁଙ୍କ କୃପା ରହିଛି ।
ମୋଦି କହିଲେ ସାରା ଓଡିଶାରେ ଏବେ ମୋଦି ଲହର ଚାଲିଛି । କିନ୍ତୁ କିଛି ଲୋକଙ୍କୁ ଏ ଲହର ଦେଖାଯାଉନାହିଁ । ଆପଣମାନଙ୍କ ଆଶୀର୍ବାଦରୁ ମୋଦି ପ୍ରଧାନସେବକ ହୋଇପାରିଛି । ସାରାଦେଶରେ ଏବେ ବିକାଶ ନଜର ଆସୁଛି । ଝାରସୁଗୁଡା ଏୟାରପୋର୍ଟ, ବିଛୁପାଲି ଷ୍ଟେସନ ବିକାଶର ସାକ୍ଷୀ । ୨୪ ଲକ୍ଷ ଗରିବ ପରିବାରକୁ ମାଗଣା ବିଜୁଳି ମୋଦିପ୍ରତି ବିଶ୍ୱାସର ଚିହ୍ନ ବୋଲି କହିଛନ୍ତି ମୋଦି ।
ବିଜେଡି ଓ କଂଗ୍ରେସକୁ ଏଠି ବି ଟାର୍ଗେଟ୍ କରିଛନ୍ତି ମୋଦି । ସେ କହିଛନ୍ତି ଯେ ଓଡିଶାରେ ଖଣିଜ, ଜଳ, ଜଙ୍ଗଲ ସବୁ ଅଛି ତଥାପି ଓଡିଶା ପଛରେ ପଡିଛି । ତେବେ କେଉଁ କାରଣ ପାଇଁ ସମୃଦ୍ଧ ଓଡିଶା ପଛୁଆ ରହିଛି । ଏଠାରେ କେବେ କଂଗ୍ରେସ ତ କେବେ ନବୀନ ସରକାର ରହିଛି । ବିଜେଡି, କଂଗ୍ରେସ ଗରିବୀରେ ନିଜ ରାଜନୈତିକ ଫସଲ ବିକନ୍ତି । କଂଗ୍ରେସ ସମାଜରେ ଉଚ୍ଚ ନୀଚ୍ଚର ବିଷ ମଞ୍ଜି ବୁଣିଛି । କଂଗ୍ରେସ ଯୋଗୁଁ ହିଁ ଦେଶରେ ଗରିବୀ ବଢି ବଢି ଚାଲିଥିଲା । କଂଗ୍ରେସକୁ ହଟାଇଲେ ଗରିବୀ ଆପଣାଛାଏଁ ହଟିଯିବ । କଂଗ୍ରେସ ନହଟିବା ଯାଏ ଦେଶରୁ ଗରିବୀ ହଟିପାରିବ ନାହିଁ । କଂଗ୍ରେସ ନେତା ଏବେ ମଧ୍ଯବର୍ଗକୁ ସ୍ୱାର୍ଥପର କହିଲେଣି । ଏଭଳି ଲୋକଙ୍କ ଅମାନତ ନିର୍ବାଚନରେ ଉଡାଇ ଦିଅନ୍ତୁ ବୋଲି କହିଲେ ମୋଦି ।
ବିଜେଡି ଉପରେ ମଧ୍ଯ ବର୍ଷିଛନ୍ତି ମୋଦି । ସେ କହିଛନ୍ତି ଯେ ଯାହା କଂଗ୍ରେସ କରିଥିଲା ଏବେ ବିଜେଡି ସରକାର ସେୟା କରୁଛି । ଦିଲ୍ଲୀରେ ମଜବୁର ସରକାର ପାଇଁ ମହାମିଳନ ଚାଲିଛି । ଆପଣଙ୍କୁ ମଜବୁର ନା ମଜଭୁତ ସରକାର ଦରକାର । ଓଡିଶାରେ ବି ଏକ ମଜଭୁତ ସରକାର ଆସିବା ଦରକାର । ବିଜେଡି ସରକାରରେ ଭେଦଭାବ ଛଡା ଆଉ କଣ ମିଳିଲା ବୋଲି ପ୍ରଶ୍ନ କରିଛନ୍ତି । ଏଠି ପିଇବା ପାଣି ମିଳୁଛି ନା ଚାଷ ଜମିକୁ ପାଣି ଟିକେ ମିଳୁଛି । ଏଠିକା ଯୁବକମାନଙ୍କୁ କାମଧନ୍ଦା ପାଇଁ ଦିଲ୍ଲୀ ସୁରଟ ଯିବାକୁ ପଡୁଛି । ୧୯ ବର୍ଷ ଧରି ଯାହାକୁ ଆପଣ ବିସ୍ୱାସ କଲେ, ସେ କିଛି କଲାନି । ଓଡିଶା ସରକାରଙ୍କ ଅମନଯୋଗୁ ଆପଣଙ୍କୁ ସୁବିଧା ମିଳୁନି । ଏଥର ଡବଲ ଇଞ୍ଜି୍ନ ଲାଗିଲେ ବିକାଶର ନୂଆ ଧାରା ଲାଗିବ । ଓଡିଶାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି । ତେବେ ଏ ନିର୍ବାଚନ ନୂଆ ଓଡିଶା ନୂଆ ଭାରତ ପାଇଁ ଉଦ୍ଦିଷ୍ଟ ଏବଂ ଆପଣଙ୍କୁ ଚୟନ କରିବାକୁ ପଡିବ ଯେ ଆପଣ ଚୌକିଦାର ହେବେ ନା ଭ୍ରଷ୍ଟାଚାରୀ ହେବେ ବୋଲି କହିଛନ୍ତି ମୋଦି ।