କଂଗ୍ରେସ ରାଲିରେ ଶୁଭିଲା ‘ମୋଦି-ମୋଦି’ ସ୍ଲୋଗାନ, ଲୋକଙ୍କ ଉପରକୁ ଫୁଲମାଳ ଓ ଦଳୀୟ ପତାକା ଫୋପାଡିଲେ ପ୍ରିୟଙ୍କା

ବିଜନୋର,୯।୪: ଲୋକସଭା ନିର୍ବାଚନ ୨୦୧୯ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ପ୍ରଚାର ଅଭିଯାନ ଆଜି ଠାରୁ ଶେଷ ହେଉଛି। ଏହି କାରଣରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶରେ ବହୁ ରାଲିରେ ଯୋଗ ଦେଇଛନ୍ତି। ବିଜନୋରରେ ରାଲି ସମୟରେ ପ୍ରିୟଙ୍କା ଗାନ୍ଧିଙ୍କ ସାମନାରେ ମୋଦି-ମୋଦି ସ୍ଲୋଗାନ ଦିଆଯାଉଥିବାର ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ ପ୍ରିୟଙ୍କା ସେମାନଙ୍କ ଆଡକୁ ଇଶାରା କରି ହସିବା ସହ ବିଜେପି କର୍ମୀଙ୍କ ଉପରକୁ ଫୁଲମାଳ ଏବଂ ଦଳୀୟ ପତାକା ଫୋପାଡିଥିଲେ। ଯାହାପରେ ସେଠାରେ ଥିବା ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। କଂଗ୍ରେସ କର୍ମୀ ’ଚୌକିଦାର ଚୋର ହେ’ ସ୍ଲୋଗାନ ଦେଇଥିବା ବେଳେ ବିଜେପି କର୍ମୀ ‘ମୋଦି-ମୋଦି’ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ। ଏପରିକି ବିଜେପି କର୍ମୀ ମଧ୍ୟ ପ୍ରିୟଙ୍କାଙ୍କ ରାଲି ବେଳେ ଗାଡି ସାମାନରେ ଠିଆ ହୋଇଯାଇଥିଲେ।

ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ରାଲି ବେଳେ ‘ମୋଦି-ମୋଦି’ ସ୍ଲୋଗାନ ଦିଆଯାଇଥିଲା। ପ୍ରିୟଙ୍କା ପ୍ରୟାଗରାଜରୁ ବାରାଣାସୀ ପର୍ଯ୍ୟନ୍ତ ଗଙ୍ଗା ଯାତ୍ରା କରିଥିଲେ। ଏହି ସମୟରେ ବାରାଣାସୀ ଅର୍ସି ଘାଟରେ ତାଙ୍କର ରାଲି ସମୟରେ ଲୋକେ ‘ମୋଦି-ମୋଦି’ ସ୍ଲୋଗାନ ଦେଇଥିଲେ। ଅଭିଯୋଗ ହୋଇଥିଲା ଯେ, ସେ ସମୟରେ କଂଗ୍ରେସ କର୍ମୀମାନେ ମୋଦି ଏଗେନ ଟି-ସାର୍ଟ ପିନ୍ଧିଥିବା ଜଣେ ଝିଅ ସହିତ ଅସଦାଚରଣ କରିଥିଲୋ।