୫୭ ମାସର କାର୍ଯ୍ୟକାଳରେ ୯୩ ଥର ବିଦେଶ ଗସ୍ତ କରିଛନ୍ତି ମୋଦି

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିୟୋଲ ଶାନ୍ତି ପୁରସ୍କାର ଗ୍ରହଣ କରିବା ପାଇଁ ଦୁଇ ଦିବସୀୟ ଦକ୍ଷିଣ କୋରିଆ ଯାତ୍ରାରେ ଅଛନ୍ତି। ୫୭ ମାସର କାର୍ଯ୍ୟକାଳରେ ମୋଦି ୯୩ ଥର ବିଦେଶ ଗସ୍ତ କରିସାରିଛନ୍ତି। ବିଦେଶ ଯାତ୍ରାରେ ଶତକ କରିବା ଠାରୁ ମାତ୍ର ୭ ପାଦ(୭ଥର)ପଛରେ ରହିଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନିଜର ୧୦ ବର୍ଷର କାର୍ଯ୍ୟକାଳରେ ୯୩ ଥର ବିଦେଶ ଗସ୍ତ କରିଛନ୍ତି। କିନ୍ତୁ ମୋଦି ମାତ୍ର ୫୭ ମାସରେ ଏହାର ସମକକ୍ଷ ହୋଇପାରିଛନ୍ତି। ଏହା ହେଉଛି ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ଶେଷ ବିଦେଶ ଯାତ୍ରା। ନିଜର କାର୍ଯ୍ୟକାଳରେ ସେ ଦ୍ବିତୀୟ ଥର ଦକ୍ଷିଣ କୋରିଆ ଯାଇଛନ୍ତି।

ବିଦେଶ ଯାତ୍ରା କରିବା ମାମଲାରେ ମୋଦି ଏବେ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଠାରୁ ପଛରେ ଅଛନ୍ତି। ଇନ୍ଦିରା ଗାନ୍ଧି ତାଙ୍କର ୧୬ ବର୍ଷର ଶାସନକାଳ ମଧ୍ୟରେ ୧୧୩ ଥର ବିଦେଶ ଯାତ୍ରା କରିଛନ୍ତି। ବିଦେଶ ଯାତ୍ରା ମାମଲାରେ ମୋଦି ଏନଡିଏର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଦୁଇଗୁଣ ଅଧିକ ଆଗରେ ରହିଛନ୍ତି। ବାଜପେୟୀ ତାଙ୍କ କାର୍ଯ୍ୟକାଳରେ ଅଫିସିଆଲି ୪୮ ଥର ବିଦେଶ ଯାତ୍ରାରେ ଯାଇଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହରୁ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳରେ ୬୮ ଥର ବିଦେଶ ଗସ୍ତରେ ଯାଇଛନ୍ତି।

ରିପୋର୍ଟ ଅନୁସାରେ ମୋଦି ସବୁଠାରୁ ଅଧିକ ଥର ଦୁଇଟି ଦେଶକୁ ଯାତ୍ରା କରିଛନ୍ତି। ତାହା ହେଲା ଚୀନ ଏବଂ ଆମେରିକା। ଏହି ଦୁଇଟି ଦେଶକୁ ସେ ୫-୫ ଥର ଗସ୍ତ କରିଛନ୍ତି। ଏହାଛଡା ୩-୩ ଥର ଫ୍ରାନ୍ସ ଏବଂ ଜାପାନ ଯାତ୍ରା କରିଛନ୍ତି। ମୋଦି ରୁଷ, ଜର୍ମାନ ଓ ନେପାଳକୁ ୪ଥର ଲେଖାଏଁ ଯାତ୍ରା କରିଛନ୍ତି। ନିଜର ବିଦେଶ ଯାତ୍ରା ସମୟରେ ମୋଦି ବିଭିନ୍ନ ଦେଶ ସହିତ ମୋଟ ୪୮୦ ଟି ଚୁକ୍ତି ସ୍ବାକ୍ଷର କରିଛନ୍ତି। ମୋଦିଙ୍କ ସମୁଦାୟ ବିଦେଶ ଗସ୍ତରେ ୨୦୨୧ କୋଟି ଟଙ୍କା ଖର୍ଚ ହୋଇଛି। ଅର୍ଥାତ ଗୋଟିଏ ଥର ଯାତ୍ରା ପାଇଁ ତାଙ୍କ ପ୍ରତି ୨୨ କୋଟି ଟଙ୍କା ଖର୍ଚ ହେଉଛି। ୨୦୧୫ରେ ମୋଦି ସର୍ବାଧିକ ୨୪ ଟି ଦେଶ ଯାତ୍ରା କରିଥିଲେ। ୨୦୧୬ ଓ ୨୦୧୮ରେ ୧୮-୧୮ଟି ଦେଶ ଗସ୍ତ କରିଛନ୍ତି। ୨୦୧୭ରେ ୧୯ ଦେଶ, ୨୦୧୪ରେ ୧୩ ଟି ଦେଶ ଗସ୍ତ କରିଛନ୍ତି। ୨୦୧୯ରେ ଦକ୍ଷିଣ କୋରିଆ ହେଉଛି ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ।