ଓଡ଼ିଶାରେ ମୋଦିଙ୍କ ଦୃଢ଼ୋକ୍ତି: ନବୀନବାବୁ! ଆପଣ ଏଥର ଯାଉଛନ୍ତି

କେନ୍ଦ୍ରାପଡ଼ା/ବାଲେଶ୍ୱର,୨୩ା୪(ଆପ୍ର): ‘ନବୀନ ବାବୁ! ଆପଣ ଏଥର ଯାଉଛନ୍ତି । ଆପଣଙ୍କ ବିଦାହେବା ନିଶ୍ଚିତ ହୋଇଗଲାଣି । ହାତଗଣତି ଅଳ୍ପ କିଛି ଅଫିସର୍‌ ଆଉ ଆପଣଙ୍କୁ ରକ୍ଷା କରିପାରିବେନି । ଓଡ଼ିଶାର ଜନସାଧାରଣ ଏବେ ଆପଣଙ୍କୁ ବିଦାୟ ଦେବା ମୁଡ୍‌ରେ । ଆପଣ ଶାସନରେ ରହିବା ମୁସ୍‌କିଲ୍‌.. ।’

ଏଇ ଭାଷାରେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଟାକ୍ଷ କରି କହିଛନ୍ତି, ମୁଁ ଚାହୁଥିଲି, ଆପଣ ମର୍ଯ୍ୟାଦାଜନକ ଭାବେ ଶାସନଗାଦିରୁ ବିଦା ହୁଅନ୍ତୁ । ଆପଣଙ୍କ ବିଦାୟ ପର୍ବ ଶାନ୍‌ଦାର୍‌ ହେଉ । ହେଲେ ଗତ ୧୦-୧୨ ଦିନ ଭିତରେ ରାଜ୍ୟରେ ଯେଉଁଭଳି ଭାବେ ହିଂସାକାଣ୍ଡ ଚାଲିଛି, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଯେଉଁଭଳି ଆକ୍ରମଣ କରାଯାଉଛି, ଅଫିସରମାନେ ଯେଭଳି ଆଖିରେ ପଟି ବାନ୍ଧି ବସିଛନ୍ତି, ତାହା ଓଡ଼ିଶାର ଲୋକଙ୍କୁ ତତାଇ ଦେଲାଣି । ଲୋକେ ରାଗିଲେଣି । ବିଜେଡି ଏବେ ଯେତେ ତାକତ୍‌ ଲଗାଉ, ଓଡ଼ିଶାରେ ବିଜେପିର ଡବଲ୍‌ ଇଂଜିନ୍‌ ସରକାର ଆସିବାକୁ କେବେ ରୋକି ପାରିବନି ।

କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରୋ ସିଦ୍ଧ ମଠ ପଡ଼ିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍‍ କରିଥିଲେ ମୋଦି । ପ୍ରଥମଥର ଲାଗି ନବୀନଙ୍କ ନାଁ ନେଇ ବର୍ଷିଥିଲେ । ପୂର୍ବରୁ ବୁଲେଇ ବଙ୍କେଇ ବିଜେଡି ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଆଜି ସିଧା ନବୀନଙ୍କୁ ନିଶାନା କରି ହମ୍‌ଲା କରିଥିଲେ । ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ, ଏ ସରକାରଙ୍କ ପ୍ରାଥମିକତା ଭିତରେ ‘ବିକାଶ’ ନାହିଁ । ଅଛି କେବଳ ‘କ୍ଷମତା’ । ନବୀନ ଏକ ‘ଜନକଲ୍ୟାଣକାରୀ ଯୋଜନା ବିରୋଧୀ ପାଚେରି’ ହୋଇ ଛିଡ଼ା ହୋଇଛନ୍ତି କେନ୍ଦ୍ର ସରକାରଙ୍କ ଯୋଜନା ଓ ଜନସାଧାରଣଙ୍କ ଭିତରେ । ଏ ପାଚେରି ହଟିଯିବ । ରାଜ୍ୟ ସରକାର ନିଶ୍ଚିତ ବଦଳିବ ।

ଶ୍ରୀବଳଦେବଜିଉଙ୍କୁ ପ୍ରଣାମ’ ବୋଲି କହି ମୋଦି ଜନତାଙ୍କ ଆଶୀର୍ବାଦ ଲୋଡ଼ିଥିଲେ । ପରେ ବିଜେଡି ଉପରେ ସଣ୍ଡୁଆସି ଆକ୍ରମଣ ଆରମ୍ଭ କରିଦେଇଥିଲେ । କହିଥିଲେ, ବିଜେଡିର ସମୟ ଗଲାଣି, ବିଜେପି ଆସୁଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଆଉ ତା’ର ସଫଳ ରୂପାୟନ ବିଷୟରେ କହିବା ସହ ବିକାଶର ନାରା ଦେଇ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଆସିଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ ବୋଲି କହିଥିଲେ । ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍‌ ନିବେଦନ କରିଥିଲେ ।

ବାଲେଶ୍ୱରରେ ମଧ୍ୟ ମୋଦି ଏମିତି ସିଧା ସିଧା ଆଟାକ୍‌ କରିଛନ୍ତି ବିଜେଡ଼ି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ । ଲେଶ୍ୱର ଜିଲ୍ଲା ବସ୍ତା ନିକଟସ୍ଥ ବାହାର୍ଦ୍ଦା କୃଷି ଫାର୍ମରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଓଡ଼ିଶାରେ ଦୀର୍ଘ ୧୯ ବର୍ଷ ବିଜେଡି ଶାସନ କରିଛି । ରାଜ୍ୟର ବିକାଶ ହୋଇନାହିଁ ବରଂ ଚିଟ୍‌ଫଣ୍ଡ, ଭଷ୍ଟ୍ରାଚାର ଭଳି ଦୁର୍ନୀତି ବଢ଼ିଚାଲିଛି । ଭଷ୍ଟ୍ରାଚାର ଦାନବକୁ ବିଜେଡି ସରକାର ଦାନା ପାଣି ଦେଇ ବଢ଼ାଉଛି । ପିସି କାରବାର ବିଜେଡି ସରକାରର ଏକ ଅଙ୍ଗ ପାଲଟିଛି । ଏଭଳି ପରିସ୍ଥିତିରେ ଓଡ଼ିଶାରେ ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତୁ । ବିଜେଡିର ୧୯ ବର୍ଷ ଶାସନ କାଳ ଭିତରେ ରାଜ୍ୟରେ ଯେତିକି କାମ ହୋଇଛି, ବିଜେପି କ୍ଷମତାକୁ ଆସିଲେ ତାହାର ୫ ଗୁଣ ଉନ୍ନତି କରି ଦେଖାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ବିଜେଡି ଓ ନବୀନଙ୍କୁ ସମାଲୋଚନା କରି ମୋଦି କହିଥିଲେ, ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ ସେ ମର୍ଯ୍ୟାଦା ପାଳନ କରି ଚୁପ୍‌ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିନଥିଲେ । ଏଇଥିପାଇଁ କରିନଥିଲେ, କାରଣ ସେ ଚାହୁଥିଲେ ନବୀନ ବାବୁ ଓଡ଼ିଶାରେ ଏତେ ବର୍ଷ ସେବା କଲେଣି, କାମ କଲେଣି । ତେଣୁ ତାଙ୍କ ବିଦାୟ ଭଲରେ ଭଲରେ ହେଉ । ଅସମ୍ମାନିତ ହୋଇ ସେ ନ ଯାଆନ୍ତୁ । ମର୍ଯ୍ୟାଦାର ସହିତ ଯାଆନ୍ତୁ । ତାଙ୍କ ସମ୍ମାନ ଲାଗି ସେ ଚୁପ୍‍ ଥିଲେ । ମାତ୍ର ଏବେ ଯେଉଁ ହିଂସାକାଣ୍ଡ ଓ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଉଛି ତାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ବି ନବୀନ ବାବୁଙ୍କର କିଛି ହାତଗଣତି ଅଫିସର ଏସବୁ ଜାଣି ଆଖିରେ ପଟି ବାନ୍ଧି ବସିଛନ୍ତି । ସେମାନେ ସରକାରକୁ ରକ୍ଷା କରିପାରିବେନି । ଏହି କ୍ରମରେ ବିରୋଧୀମାନଙ୍କୁ ତାଗିଦ୍‌ କରିବାକୁ ବି ଭୁଲିନଥିଲେ ମୋଦି । ବିଜେଡି ସହ ଜାତୀୟ ସ୍ତରରେ ଗଢ଼ି ଉଠିଥିବା ମହାମେଣ୍ଟକୁ ବି ସମାଲୋଚନା କରିଥିଲେ । କହିଥିଲେ, ଯେଉଁମାନେ ବିରୋଧୀ ଅଛନ୍ତି ସରକାରଙ୍କ କାର୍ଯ୍ୟକ୍ରମ ଉପରେ ସେମାନଙ୍କର ପ୍ରଶ୍ନ ଉଠାଇବାର ତାକତ ନାହିଁ । ତେଣୁ ସେମାନେ ଅପନିନ୍ଦା ଦେବାକୁ ଭଳିକିଭଳି ଗାଳି ଦେଉଛନ୍ତି । ପ୍ରତିଦିନ ଗାଳି ଦେଉଛନ୍ତି । ହେଲେ ଦେଶବାସୀ ସ୍ଥିର କରିସାରିଛନ୍ତି ଦିଲ୍ଳୀରେ ପୁଣି ଥରେ ବିଜେପି ସରକାର ଗଢ଼ିବ । ଆଜି ସାରା ଦେଶ ମଜଭୁତ୍‌ ସରକାର ସହ ମଜଭୁତ୍‌ ନେତୃତ୍ୱ ସହ ଠିଆ ହୋଇଛି । ଓଡ଼ିଶାରେ ବିଜେଡି ଆତଙ୍କିତ ହୋଇପଡ଼ିଛି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରାଯାଉଛି । ସେ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଆଜି ଓଡ଼ିଶା ଆସିଛନ୍ତି । ଓଡ଼ିଶାରେ ସରକାର ତିଆରି ହେଲେ ସେ ପୁଣି ଥରେ ଆସିବେ ବୋଲି ମୋଦି ଦୃଢୋକ୍ତି ବାଢିଥିଲେ ।

ସେ ଆହୁରି କହିଥିଲେ ଯେ, ଦେଶରେ, ରାଜ୍ୟରେ ପରିବର୍ତ୍ତନ ହେଉଥିବା ଜାଣି ବିଜେଡିର ନିଦ ହଜିଗଲାଣି । ୨୦ ବର୍ଷ ଭିତରେ ଓଡ଼ିଶାର କ’ଣ ବିକାଶ ହୋଇଛି ବୋଲି ସେ ଏହି ଅବସରରେ ପ୍ରଶ୍ନ କରିଥିଲେ । ଏଥିସହ ଅନେକ ପ୍ରତିଶ୍ରୁତି ଦେଇଥିଲେ । ସାଗରମାଳା ପ୍ରକଳ୍ପ କଥା କହିଥିଲେ । ଓଡ଼ିଶାର ସମୁଦ୍ର ତଟରେ ବିକାଶର ବହୁ ସମ୍ଭାବନା ରହିଛି । ସାଗରମାଳା ପରି ଯୋଜନା ମାଧ୍ୟମରେ ଉପକୂଳରେ ସଡ଼କ ଯୋଜନାର ଜାଲ ବିଛାଯାଉଛି । ଫଳରେ ବ୍ୟବସାୟୀମାନେ ଅତ୍ୟଧିକ ପରିବହନ ଖର୍ଚ୍ଚରୁ ବର୍ତ୍ତିପାରିବେ । ବ୍ରାହ୍ମଣୀରେ ବି ୱାଟର ୱେ ବା ଜଳମାର୍ଗ କରିବାର ପ୍ରତିଶ୍ରୁତି ଦେଇଥିଲେ । ଯାହାଦ୍ୱାରା ତାଳଚେରରୁ ବାହାରୁଥିବା କୋଇଲା କମ୍‍ ଖର୍ଚ୍ଚରେ ଅନ୍ୟତ୍ର ପହଞ୍ଚି ପାରିବ । ଧାମରା, ପାରାଦୀପ ସହ ଯୋଡ଼ି ହୋଇପାରିବ । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବି ସହଯୋଗ ମିଳିବ । ସେହିପରି ମତ୍ସ୍ୟଜୀବୀମାନଙ୍କ ପାଇଁ କେନ୍ଦ୍ର ସରକାର କିଷାନ କ୍ରେଡିଟ୍‍ କାର୍ଡ ଉପଲବ୍ଧ କରାଇଥିବା ବେଳେ ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିଲେ ସେମାନଙ୍କ ଅଧିକ ବିକାଶ ଲାଗି ଏକ ସ୍ୱତନ୍ତ୍ର ବିଭାଗ ଖୋଲାଯିବ । କୃଷକଙ୍କ ପାଇଁ କୃଷକ ସମ୍ମାନ ନିଧି ସମ୍ମାନ, ଛୋଟଛୋଟ ବ୍ୟବସାୟୀ, କ୍ଷୁଦ୍ରଚାଷୀ, କ୍ଷେତବାଡ଼ିରେ କାମ କରୁଥିବା ଶ୍ରମିକଙ୍କ କ୍ଷେତ୍ରରେ ପେନ୍‌ସନ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ । ବିଜେପି ରାଜ୍ୟ ଉପସଭାପତି ଭୁବନ ମୋହନ ଜେନା ଓ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ୭ଟି ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର, ମହାକାଳପଡ଼ା ପ୍ରାର୍ଥୀ ବିଜୟ ପ୍ରଧାନ, କେନ୍ଦ୍ରାପଡ଼ା ସୁନାକର ବେହେରା, ଆଳି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ, ରାଜନଗର ନପ୍ରାର୍ଥୀ ଅଲେଖ ଜେନା, ସାଲେପୁର ପ୍ର।।ର୍ଥୀ ପ୍ରକାଶ କୁମାର ବେହେରା, ମାହାଙ୍ଗା ପ୍ରାର୍ଥୀ ସାରଦା ପ୍ରଧାନ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବାଲିକୁଦା-ଏରସମା ବିଜେପି ପ୍ରାର୍ଥୀ ଡା. ଦାମୋଦର ରାଉତ , ଦଳର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ୱର ମହାସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ସିମୁଳିଆ ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ, ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଦାସ, ସଦର ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତ, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି, ବସ୍ତା ବିଧାୟକ ପ୍ରାର୍ଥୀ ରଘୁନାଥ ମହାନ୍ତି, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ବଡ଼ସାହି ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି, ରାଷ୍ଟ୍ରୀୟ ଯୁବ ଉପସଭାପତି ଠାକୁର ରଞ୍ଜିତ୍‌ ଦାଶ, ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ

ବୋଲେରୋକୁ ଧକ୍କା ଦେଇ ଜଳିଗଲା କଣ୍ଟେନର : ଫ୍ଲିପ୍‌କାର୍ଟ ସାମଗ୍ରୀ ନେଇ ମୁମ୍ବାଇରୁ କୋଲକାତା ଯାଉଥିଲା, ୫ ଆହତ

ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ