ଜାତିସଂଘ ଅଧିବେଶନରେ ମୋଦିଙ୍କ ପ୍ରଶ୍ନ-ଜାତିସଂଘ କରୁଛି କ’ଣ?

ନୂଆଦିଲ୍ଲୀ: ଜାତିସଂଘରେ ସଂସ୍କାର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ତାଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶ୍ନ ଉଠାଇଛନ୍ତି । ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ ଉଠାଇ କେତେଦିନ ଭାରତ ଜାତିସଂଘର ନିଷ୍ପତ୍ତି ନେବା ବର୍ଗରେ ସାମିଲ ହେବାକୁ ଅପେକ୍ଷା କରିବ ବୋଲି ପଚାରିଛନ୍ତି । ଏଥିସହ ସହ ଜାତିସଂଘ ବର୍ତ୍ତମାନ ଯେଭଳି କାର୍ଯ୍ୟ କରୁଛି ତାହା ଉପରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।


ଜାତିସଂଘ ସାଧାରଣ ପରିଷଦର ୭୫ତମ ଅଧିବେଶନକୁ ଭର୍ଚୁଆଲ ପ୍ଲାଟଫର୍ମରେ ଦୀର୍ଘ ୨୨ ମିନିଟ୍‌ ଧରି ମୋଦି ସମ୍ବୋଧନ କରିଛନ୍ତି । କହିଛନ୍ତି ବିଶ୍ୱ ଆଜି ଏକ ଭିନ୍ନ ଦିଗରେ ଅଗ୍ରସର ହେଉଛି । ସମଗ୍ର ବିଶ୍ୱ କରୋନା ମହାମାରୀ ବିରୋଧରେ ଲଢ଼ୁଛି । ଏବେ ଗମ୍ଭୀର ଆତ୍ମମନ୍ଥନ କରିବାର ସମୟ ଆସିଛି । ତୃତୀୟ ବିଶ୍ୱଯୁଦ୍ଧ ହୋଇନାହିଁ । ଏହା ସତକଥା । କିନ୍ତୁ ଏହା ଭିତରେ ଅନେକ ଯୁଦ୍ଧ ହେଲାଣି ଓ ଅନେକ ଗୃହଯୁଦ୍ଧ ମଧ୍ୟ ଘଟିଲାଣି । ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କେତେ ଆତଙ୍କବାଦୀ ଆକ୍ରମଣରେ ରକ୍ତର ନଦୀ ବହିଲାଣି । ଏହି ଯୁଦ୍ଧ ଓ ଗୃହଯୁଦ୍ଧରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ଆମ ଭଳି ମଣିଷ । ଲକ୍ଷାଧିକ ଶିଶୁ ଯେଉଁମାନେ ଦୁନିଆରେ ହସି ଖେଳି ବୁଲିବା କଥା ସେମାନେ ଦୁନିଆ ଛାଡି ଚାଲିଯାଇଛନ୍ତି । କେତେଲୋକ ନିଜର ଜୀବନ କାଳରେ ସଞ୍ଚିଥିବା ଧନ ହରାଇଛନ୍ତି । କେତେଲୋକ ଘର ଛାଡିଛନ୍ତି । ସେହି ସମୟ ଓ ଆଜିର ସମୟରେ ଜାତିସଂଘର ପ୍ରୟାସ କ’ଣ ପର୍ଯ୍ୟାପ୍ତ ଥିଲା?
୧୯୪୫ର ଦୁନିଆ ଆଜିର ଦୁନିଆ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

ସାଧନ, ସଂସାଧନ ସବୁ ଅଲଗା ଥିଲା । ବିଶ୍ୱ କଲ୍ୟାଣର ଭାବନା ନେଇ ଯେଉଁ ସଂସ୍ଥା ଗଠନ ହୋଇଥିଲା ତାହା ମଧ୍ୟ ସେହି ସମୟରେ ହିସାବରେ କାର୍ଯ୍ୟ କରିଚାଲିଲା । ଆଜି ଆମେ ସମ୍ପୂର୍ଣ୍ଣ ଭିନ୍ନ ସମୟ ଦେଇ ଗତିକରୁଛୁ । ଏକବିଂଶ ଶତାବ୍ଦୀରେ ଆମର ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ଏବଂ ଆହ୍ୱାନ ଭିନ୍ନ । ଆଜି ସମଗ୍ରବିଶ୍ୱ ସମୁଦାୟ ନିକଟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି କି ଯେଉଁ ସଂସ୍ଥାର ଗଠନ ସେତେବେଳର ପରିସ୍ଥିତିରେ ଗଠନ ହୋଇଥିଲା ତାହାର ଆଜି ମଧ୍ୟ କ’ଣ ପ୍ରାସଙ୍ଗିକ ରହିଛି । ସବୁ ବଦଳୁଛି । ଆମେ ନ ବଦଳିଲେ ବଦଳିବାର ଶକ୍ତି ଦୁର୍ବଳ ହୋଇପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗତ ୮-୯ ମାସ ହେଲା ସମଗ୍ର ବିଶ୍ୱ କରୋନା ମହାମାରୀ ସହ ସଂଘର୍ଷ କରୁଛି । ଏଥିରୁ ମୁକ୍ତି ପାଇବାକୁ ସମସ୍ତେ ଚାହୁଁଛନ୍ତି । କିନ୍ତୁ କୁଆଡ଼େ ଗଲା ଜାତିସଂଘ? ଜାତିସଂଘ ଭଳି ବୈଶ୍ୱିକ ସଙ୍ଗଠନର ପ୍ରଭାବଶାଳୀ ଜବାବ କାହିଁ? ତେଣୁ ଜାତିସଂଘର ପ୍ରତିକ୍ରିୟାରେ ପରିବର୍ତ୍ତନ, ବ୍ୟବସ୍ଥାରେ ପରିବର୍ତ୍ତନ ଓ ସ୍ୱରୂପରେ ପରିବର୍ତ୍ତନ ଆଜିର ସମୟର ଆହ୍ୱାନ । ଜାତିସଂଘରେ ସଂସ୍କାର ଅଣାଯିବା ଲାଗି ଯେଉଁ ପ୍ର୍ରକ୍ରିୟା ଜାରି ରହିଛି ତାକୁ ଭାରତର ଲୋକମାନେ ବହୁ ସମୟ ଧରି ଅପେକ୍ଷା କରିରହିଛନ୍ତି । ତେଣୁ ସେମାନଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି କି ଏହି ପ୍ରକ୍ରିୟା କ’ଣ ପ୍ରକୃତରେ ଏକ ଯୁକ୍ତିସଙ୍ଗତ ଶେଷ ପର୍ଯ୍ୟାୟରେ ପହଞ୍ଚି ପାରିବ ତାକୁ ନେଇ ସେମାନେ ଚିନ୍ତିତ । କେତେଦିନ ପର୍ଯ୍ୟନ୍ତ ଭାରତକୁ ଜାତିସଂଘର ନିଷ୍ପତ୍ତି ନେବା ବର୍ଗରେ ସାମିଲ ହେବାରୁ ପୃଥକ ରଖାଯିବ?

ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର । ବିଶ୍ୱର ୧୮%ରୁ ଅଧିକ ଜନସଂଖ୍ୟା, ଶତାଧିକ ଭାଷା ଓ କଥିତ ଭାଷା ଓ ବହୁ ଧର୍ମାବଲମ୍ବୀର ସମ୍ମିଶ୍ରର ଏଠାରେ ଦେଖିବାକୁ ମିଳେ । ଭାରତ ବହୁବର୍ଷ ଧରି ବିଶ୍ୱର ଅର୍ଥ ବ୍ୟବସ୍ଥାର ନେତୃତ୍ୱ ନେଇଥିଲା । ଆଉ ଶତାଧିକ ବର୍ଷ ଧରି ଗୋଲାମ ମଧ୍ୟ ରହିଥିଲା । ଆମେ ମଜବୁତ ଥିଲା ବେଳେ କାହାକୁ ହଇରାଣ କରୁନି କିମ୍ବା ମଜବୁର ଥିଲା ବେଳେ କାହା ଉପରେ ବୋଝ ହେଉନୁ ।

ଭାରତ ଯେତେବେଳେ କାହାକୁ ବନ୍ଧୁତାର ହାତ ବଢ଼ାଏ ତାହା କୌଣସି ତୃତୀୟ ଦେଶ ବିରୋଧରେ ହୋଇନଥାଏ । ଭାରତ କାହା ସହିତ ସମ୍ପର୍କ ମଜବୁତ କରିବା ବେଳେ ତା ପଛରେ କୌଣସି ସାଥୀ ଦେଶକୁ ମଜବୁର କରିବାର ଉଦ୍ଦେଶ୍ୟ ନଥାଏ । ଆମେ ନିଜର ବିକାଶ ଯାତ୍ରାରୁ ମିଳିଥିବା ଅନୁଭବ ସେୟାର କରିବାରୁ କେବେ ବି ପଛକୁ ହଟୁନାହିଁ । ଭାରତ ସର୍ବଦା ସମଗ୍ର ମାନବଜାତିର ହିତ କଥା ଚିନ୍ତା କରିଆସିଛି । ଭାରତ କେବେ ନିଜର ନିହିତ ସ୍ୱାର୍ଥ କଥା ଚିନ୍ତା କରିନି । ଭାରତର ନୀତି ସର୍ବଦା ଏହି ଦର୍ଶନରେ ପ୍ରେରିତ ହୋଇଛି । ମହାମାରୀର ଏହି ସଙ୍କଟ ସମୟରେ ଭାରତର ଫାର୍ମା କମ୍ପାନିମାନେ ୧୫୦ରୁ ଅଧିକ ଦେଶକୁ ଜରୁରୀ ଔଷଧ ପଠାଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ସବୁଠାରୁ ବଡ଼ ଟିକା ଉତ୍ପାଦନକାରୀ ଦେଶ ଭାବେ ଆଜି ବିଶ୍ୱ ସମୁଦାୟକୁ ଆଶ୍ୱାସନା ଦେବାକୁ ଚାହେଁ ଯେ ଭାରତର ଟିକା ଉତ୍ପାଦନ ଓ ସମସ୍ତଙ୍କ ପାଖରେ ପହଞ୍ଚାଇବାର କ୍ଷମତା ସମଗ୍ର ମାନବଜାତି ଏହି ସଙ୍କଟରୁ ମୁକ୍ତି ପାଇବାରେ କାର୍ଯ୍ୟରେ ଆସିବ । ଭାରତର ସ୍ୱର ମାନବତା, ମାନବଜାତି ଓ ମାନବୀୟ ମୂଲ୍ୟବୋଧର ଶତ୍ରୁ ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ, ଡ୍ରଗ୍ସ ଓ ମନିଲଣ୍ଡରିଂ ବିରୋଧରେ ଉଠିବ । ଭାରତ ବିଭିନ୍ନ ଗାଁରେ ୧୫୦ ନିୟୁତ ପରିବାର ନିକଟରେ ପାନୀୟ ଜଳ ପହଞ୍ଚାଇବାର ଅଭିଯାନ ଚଳାଇଛି । କିଛିଦିନ ପୂର୍ବରୁ ଭାରତ ୬ ଲକ୍ଷ ଗାଁରେ ବ୍ରଡବ୍ୟାଣ୍ଡ ଅପଟିକାଲ ଫାଇବର ସହ ସଂଯୁକ୍ତ କରିବା ଲାଗି ଯୋଜନା ଆରମ୍ଭ କରିଛି ।

ମହାମାରୀ ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଆତ୍ମନିର୍ଭର ଭାରତ ଭିଜନକୁ ନେଇ ଆଗକୁ ବଢ଼ୁଛୁ । ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ମନ୍ତ୍ରରେ ଭାରତରେ କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି । ବିଶ୍ୱର ବଡ଼ ଦେଶମାନଙ୍କ ପାଇଁ ଏହି ଅନୁଭବ ଉପଯୋଗୀ ହେବ । ୪-୫ ବର୍ଷ ଭିତରେ ୪୦ କୋଟି ଲୋଙ୍କୁ ବ୍ୟାଙ୍କ ବ୍ୟବସ୍ଥାରେ ସାମିଲ କରିଛୁ । ୪-୫ ବର୍ଷ ଭିତରେ ୬୦ କୋଟି ଲୋକଙ୍କୁ ଖୋଲା ଶୌଚରୁ ମୁକ୍ତ କରିଛୁ । ୨-୩ ବର୍ଷ ଭିତରେ ୫୦ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇଛୁ । ଏସବୁ କାର୍ଯ୍ୟ ଏତେ ସହଜ ନୁହେଁ । କିନ୍ତୁ ଆମେ କରି ଦେଖାଇଛୁ । ପ୍ରତିଟି ଯୋଜନାର ଲାଭ ଯେଭଳି ବିନା ଭେଦଭାବରେ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚି ପାରିବ ତାହା ଭାରତରେ ସୁନିଶ୍ଚିତ କରାଯାଉଛି ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ