ପୁରୀ,୧୯/୦୫: ଚଳିତ ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଚାଲିଛି ବଳ କଷାକଷି । ପରସ୍ପର ମଧ୍ୟରେ କେବଳ ଭାଷଣବାଜି ଚାଲିଛି ତାହାନୁହେଁ । ରୋଡ ସୋ’ କରି ଉଭୟ ଦଳ ଶକ୍ତି ପ୍ରଦର୍ଶନ କରୁଛନ୍ତି । ପୁରୀରେ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ରୋଡ ସୋ’ କରିବାକୁ ଥିବାବେଳେ ଅପରାହ୍ଣ ୫ଟାରେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍ ପୁରୀରେ ପହଞ୍ଚି ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।
ପରେ ସେ ମରିଚିକୋଟ ଛକଠାରୁ ରୋଡ ସୋ’ ଆରମ୍ଭ କରିବେ । ଶ୍ରୀଗୁଣ୍ଡିଚା ମନ୍ଦିର ଦେଇ ନବକଳେବର ରୋଡ ଓ ଅଠରନଳାରେ ରୋଡ ସୋ’ ସରିବ ବୋଲି ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ସୂଚନା ଦେଇଛନ୍ତି । ଏହି ରୋଡ ସୋ’ରେ ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ପୁରୀ ସଦର ବିଧାୟକ ସୁନିଲ କୁମାର ମହାନ୍ତିଙ୍କ ପାଇଁ ପ୍ରଚାର କରିବେ। ପୁରୀବାସୀଙ୍କ ପାଇଁ ବିଜେଡି କି ପ୍ରତିଶ୍ରୁତି ଦେଉଛି ତାହା ଉପରେ ସମସ୍ତଙ୍କର ନଜର । ଗୋଟିଏ ଦିନରେ ଦୁଇ ପ୍ରମୁଖ ଦଳର ମୁଖ୍ୟ ନେତୃତ୍ୱଙ୍କ ରୋଡ ସୋ’ ଯୋଗୁଁ ପୁରୀ ରାଜନୀତିରେ ଉଷ୍ମତା ଦେଖାଦେଇଛି ।
ଅନ୍ୟପକ୍ଷରେ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ତାଳବଣିଆରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।