କାଳିଆରେ ଆଉ ୧୦ ଲକ୍ଷ ସାମିଲ: ଏପ୍ରିଲ୍‌ ୧ରୁ ଖରିଫ୍‌, ସେପ୍ଟେମ୍ବର ୧ରୁ ରବି ସହାୟତା

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଜଣେ ହେଲେ ଯୋଗ୍ୟ ହିତାଧିକାରୀ ‘କାଳିଆ’ରୁ ବାଦ୍‌ ପଡ଼ିବେନି । ଆଜି ରାଜ୍ୟ କ୍ୟାବିନେଟ୍‌ ଅଧିକ ୧୦ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ, ଭାଗ ଚାଷୀ, ଭୂମିହୀନ ଓ କୃଷି ଶ୍ରମିକ ସମସ୍ତେ ଏହି ସହାୟତା ପାଇବାକୁ ହକ୍‌ଦାର ହେବେ । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ୪୫ ଲକ୍ଷ ପରିବାରକୁ କାଳିଆ ସହାୟତା ଯୋଜନାରେ ଆର୍ଥିକ ସହାୟତା ମିଳିବ ।
ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା ଅକ୍ଷୟ ତୃତୀୟା ଓ ନୂଆଖାଇ ପରିବର୍ତ୍ତେ ଫସଲ ଋତୁ ଆରମ୍ଭରୁ ହିଁ ମିଳିବ । ଅର୍ଥାତ୍‌, ଆର୍ଥିକ ବର୍ଷର ପ୍ରଥମ ଭାଗ ଏପ୍ରିଲ ୧ ତାରିଖରୁ ଖରିଫ୍‌ ଫସଲ ପାଇଁ ଏବଂ ସେପ୍ଟେମ୍ବର ୧ ତାରିଖ ପରେ ରବି ଫସଲ ପାଇଁ କାଳିଆ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଚଢି଼ବ । ପୂର୍ବରୁ ୩୫ ଲକ୍ଷ ଚାଷୀଙ୍କୁ ଏହି ସହାୟତା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ଏବେ ୪୫ ଲକ୍ଷ ଚାଷୀ ପରିବାର ଏହି ସହାୟତା ପାଇବେ ।

ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ଖୁସ୍‌
ଆଜିର କ୍ୟାବିନେଟ୍‌ ସରକାରୀ କର୍ମଚାରୀଙ୍କୁ ଖୁସି କରିବାକୁ ଅନେକ ନିଷ୍ପତ୍ତି ନେଇଛି । ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ଯୋଗାଣ ବିଭାଗ ଅଧିକାରୀ ସମସ୍ତଙ୍କ ପାଇଁ ଭଣ୍ଡାର ଖୋଲିଛନ୍ତି । ପଦବୀ ଥାଉ କି ନ ଥାଉ ଡାକ୍ତରମାନେ କିନ୍ତୁ ପ୍ରତି ୭ ବର୍ଷରେ ଗୋଟିଏ ଲେଖାଏଁ ପଦୋନ୍ନତି ପାଇବେ । ଡାକ୍ତରଙ୍କ ଦୀର୍ଘ ଦିନର ଡିଏସିପି (ଡାଇନାମିକ୍‌ ଆସିଓର୍ଡ କ୍ୟାରିଅର ପ୍ରୋଗ୍ରେସନ) ଦାବି ଉପରେ ଆଜି କ୍ୟାବିନେଟ୍‌ ମୋହର ମାରିଛି । ଏଣିକି ସମସ୍ତ ଡାକ୍ତର ସେମାନଙ୍କ ଚାକିରି କାଳ ମଧ୍ୟରେ ଅତି କମ୍‌ରେ ୩ ଥର ନିଶ୍ଚିତ ପଦୋନ୍ନତି ପାଇବେ । ଡାକ୍ତର ଚାକିରୀ ଆରମ୍ଭର ୭ ବର୍ଷ, ୧୪ ବର୍ଷ ଓ ୨୧ ବର୍ଷ କାର୍ଯ୍ୟ ପରେ ଏହି ନିଶ୍ଚିତ ପଦୋନ୍ନତି ପାଇଁ ହକ୍‌ଦାର ହେବେ । ବର୍ତ୍ତମାନ ପ୍ରଚଳିତ ଥିବା ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା (ଚୟନ ଓ ସେବା ସର୍ତ୍ତ) ନିୟମାବଳୀ ୨୦୧୭ର ନିୟମ ଅନୁସାରେ ଜଣେ କନିଷ୍ଠ-କ ବର୍ଗ ପାହ୍ୟାର ଡାକ୍ତରଙ୍କୁ ବରିଷ୍ଠ ବର୍ଗ-କ ପାହ୍ୟାକୁ ପଦୋନ୍ନତି ପାଇଁ ୬ ବର୍ଷ କାମ କରିବା ଜରୁରି । କନିଷ୍ଠ ପ୍ରଶାସନିକ ଅଧିକାରୀ (ଯୁଗ୍ମ ନିର୍ଦ୍ଦେଶକ) ପାହ୍ୟାକୁ ପଦୋନ୍ନତି ପାଇଁ ଜଣେ ବରିଷ୍ଠ-କ ବର୍ଗ ପାହ୍ୟାର ଡାକ୍ତରଙ୍କୁ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ମଧ୍ୟରେ ଅନ୍ତତଃ ୧୦ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବା ଆବଶ୍ୟକ ।
ପ୍ରାଥମିକ ସ୍କୁଲର ଶିକ୍ଷକ, ପ୍ରଧାନ ଶିକ୍ଷକଙ୍କୁ କ୍ୟାବିନେଟ୍‌ ଉପହାର ଦେଇଛି । ସେମାନଙ୍କୁ ଅଧିକ ପଦୋନ୍ନତିର ସୁଯୋଗ ଦେବାକୁ କ୍ୟାଡର ପୁନର୍ଗଠନ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ମାରିଛି । ପ୍ରାଥମିକ ଶିକ୍ଷକମାନେ ଏଣିକି ଚାକିରୀ କାଳ ମଧ୍ୟରେ ଅତି କମ୍‌ରେ ତିନୋଟି ପଦୋନ୍ନତି ପାଇବେ । ପ୍ରାଥମିକ କ୍ୟାଡରରେ ବରିଷ୍ଠ ଶିକ୍ଷକ, ସ୍ନାତକ ଶିକ୍ଷକ ଓ ପ୍ରାଥମିକ ସ୍କୁଲର ବରିଷ୍ଠ ପ୍ରଧାନ ଶିକ୍ଷକ ନାମରେ ନୂଆ ପଦବି ସୃଷ୍ଟି କରାଯାଇଛି । ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ପଦବି ସଂଖ୍ୟା ଯଥେଷ୍ଟ ବଢ଼ାଇ ଦିଆଯାଇଛି । କ୍ୟାଡର ପୁନର୍ଗଠନ ଦ୍ୱାରା ରାଜ୍ୟର ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ପ୍ରଥମ ପର୍ଯ୍ୟାୟରେ ଉପକୃତ ହେବେ । ବର୍ଷକ ପରେ ଏହି ସଂଖ୍ୟା ଏକ ଲକ୍ଷ ଟପିବ ବୋଲି କୁହାଯାଇଛି । ଏ ବାବଦରେ ରାଜ୍ୟ ତହବିଲରୁ ୪୫୪ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ ବୋଲି ଆକଳନ କରାଯାଇଛି ।
ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି)ଙ୍କୁ ନିଯୁକ୍ତି ଦେବା ପାଇଁ ଏଣିକି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି) ଦ୍ୱାରା ପରୀକ୍ଷା କରାଯିବ । ଆଜି କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ହୋଇଛି । ଶାରୀରିକ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଓଡ଼ିଶା ସରକାରୀ ଶିକ୍ଷାନୁଷ୍ଠାନ ଶାରୀରିକ ଶିକ୍ଷା ନିୟମ, ୨୦୧୯ ପ୍ରସ୍ତୁତ କରାଯାଇଛି । ଏହି ନିୟମ ରାଜ୍ୟ ସେବାର ‘ଖ’ ବର୍ଗୀକୃତ ହୋଇଥିବା ଶାରୀରିକ ଶିକ୍ଷା ଶିକ୍ଷକଙ୍କ ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀକୁ ସୁବ୍ୟବସ୍ଥିତ କରିବାରେ ସହାୟକ ହେବ । ଯେଉଁ ପ୍ରାର୍ଥୀ ଶାରୀରିକ ଶିକ୍ଷାରେ ସ୍ନାତକ କିମ୍ବା କଳାରେ ସ୍ନାତକ ସହିତ ଶାରୀରିକ ଶିକ୍ଷାରେ ପ୍ରାମାଣିକ ପାଠ୍ୟକ୍ରମ ପାସ୍‌ ଯୋଗ୍ୟତା ଥାଇ ୨୧ ବର୍ଷ ପୂର୍ଣ୍ଣ କରିଥିବେ ସେମାନେ ଏହି ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ । ପ୍ରତିଯୋଗିତାମୂଳକ ଲିଖିତ ପରୀକ୍ଷା ଭିତ୍ତିରେ ପଦବୀ ପୂରଣ କରାଯିବ । ଶାରୀରିକ ଶିକ୍ଷା ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଖୋଲା, ସ୍ୱଚ୍ଛ ଓ ନିର୍ମଳ କରିବା ନେଇ ଓଏସ୍‌ଏସ୍‌ସି ପକ୍ଷରୁ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି ।
ଡିପ୍ଲୋମା ଇଞ୍ଜିନିୟରମାନଙ୍କର ବହୁ ଦିନର ଦାବି ଉପରେ ମଧ୍ୟ କ୍ୟାବିନେଟ୍‌ର ଶୁଭ ଦୃଷ୍ଟି ପଡିଛି । ପଦୋନ୍ନତି ପାଇବା ପାଇଁ ସେମାନଙ୍କୁ ଆଉ ୪ ବର୍ଷ ଅପେକ୍ଷା କରିବାକୁ ପଡିବନି । ମାତ୍ର ବର୍ଷକ ପରେ ସେମାନେ ଉପରକୁ ଉଠିବେ । ନିଷ୍ପତ୍ତି ଅନୁସାରେ, କନିଷ୍ଠ ଯନ୍ତ୍ରୀମାନଙ୍କ ସହକାରୀ ଯନ୍ତ୍ରୀ ବର୍ଗକୁ ମାତ୍ର ଏକ ବର୍ଷ ମଧ୍ୟରେ ପଦୋନ୍ନତି ପାଇବେ । ପୂର୍ବରୁ ଏହା ୪ ବର୍ଷ ଥିଲା । ଖାଲି ସେତକି ନୁହେଁ, ସହକାରୀ ଯନ୍ତ୍ରୀ ପଦ ସଂଖ୍ୟା ୬୦ପ୍ରତିଶତକୁ ବୃଦ୍ଧି କରିବା ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦୋନ୍ନତିକୁ ସରକାର ୩୩ପ୍ରତିଶତରୁ ୪୦ ପ୍ରତିଶତକୁ ମଧ୍ୟ ବଢ଼ାଇ ଦିଆଯାଇଛି । ଫଳରେ ଡିପ୍ଲୋମା ଇଞ୍ଜିନିୟରମାନେ ଶୀଘ୍ର ଏବଂ ଅଧିକ ସଂଖ୍ୟାରେ ପଦୋନ୍ନତି ପାଇପାରିବେ । ସେମାନଙ୍କ ସର୍ଭିସ୍‌ କ୍ୟାଡର ପାଇଁ ଜଳସମ୍ପଦ ବିଭାଗକୁ ନୋଡାଲ୍‌ ବିଭାଗ ଭାବେ ପରିଗଣିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କ ପାଇଁ ମଧ୍ୟ କ୍ୟାବିନେଟ୍‌ ମୁଣା ଖୋଲି ଦେଇଛି । ଏହି ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ପଦୋନ୍ନତି ସହଜ କରିଛି । ଏଣିକି ଅଧୀକ୍ଷଣ ଯନ୍ତ୍ରୀଙ୍କ କ୍ଷେତ୍ରରେ ଆଉ ୨ଟି ଲେଭଲ ରହିବନି । ଏହାକୁ ଏକତ୍ରୀକରଣ କରାଯାଇଛି । ଉପନିର୍ବାହୀ ଯନ୍ତ୍ରୀ ପଦକୁ ଉଚ୍ଛେଦ କରାଯାଇ ତା ବଦଳରେ କେବଳ ସହକାରୀ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରିବାକୁ ନିଷ୍ପତ୍ତି ହୋଇଛି । ଏଣିକି ଅଧିକ କାର୍ଯ୍ୟଭାର ଥିବା ଡିଭିଜନ୍‌ଗୁଡିକରେ ନିର୍ବାହୀ ଯନ୍ତ୍ରୀଙ୍କ ବଦଳରେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି । ଅଧୀକ୍ଷଣ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଦବୀ ସୃଷ୍ଟି କରାଯାଇଛି । ସେମାନେ ସର୍କଲ୍‌ରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ପରିଗଣିତ ହେବେ । ପ୍ରଚଳିତ ୭ଥାକିଆ କ୍ୟାଡରକୁ କମାଇ ୬ ଥାକିଆ କରାଯାଇଛି । ଫଳରେ ଖୁବ୍‌ କମ୍‌ ଅବଧି ମଧ୍ୟରେ ଅଧିକ ଯନ୍ତ୍ରୀ ପଦୋନ୍ନତିର ସୁଯୋଗ ପାଇବେ ।
ଯୋଗାଣ ବିଭାଗ ଅଧିକାରୀଙ୍କ ପାଇଁ କ୍ୟାବିନେଟ୍‌ ଢେର୍‌ ପଦୋନ୍ନତିର ବାଟ ଖୋଲିଛି । କ୍ୟାବିନେଟ୍‌ ୫୧ଟି ଯୋଗାଣ ନିରୀକ୍ଷକ ଓ ୨୫ଟି ସହକାରୀ ଯୋଗାଣ ଅଧିକାରୀ ପଦବି ଉଚ୍ଛେଦ କରି ତା ବଦଳରେ ପଦୋନ୍ନତି ପୂର୍ବକ ଯୋଗାଣ ଅଧିକାରୀ ପଦବି ସୃଷ୍ଟି କରିଛି । ଏଥିସହିତ ୬୦ଟି ନୂତନ ଅତିରିକ୍ତ ଯୋଗାଣ ଅଧିକାରୀ ପଦବି ସୃଷ୍ଟି କରିଛି । ସେହିଭଳି ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ମଧ୍ୟ ୧୫ଟି ନୂଆ ମୁଖ୍ୟ ଯୋଗାଣ ଅଧିକାରୀ ପଦବି ସୃଷ୍ଟି କରିଛି ।

   ସମ୍ବନ୍ଧିତ ଖବର


ନାବାଳିକା ଗଣ ଦୁଷ୍କର୍ମ ମାମଲା : ଥାନାରେ ଓଟିଭି ଏଚ୍ଆର୍ ହେଡ୍ ହାଜର

ରାଜଧାନୀରେ ସୀମା ଟପିଲାଣି ଚିକିତ୍ସା ଅବହେଳା: ଦୁଃଖ ବଖାଣିଲେ ବିଏମ୍‌ସି ୱାର୍ଡ ଅଫିସର,ଗୁରୁତର ରୋଗୀଙ୍କୁ ଡିସ୍‌ଚାର୍ଜ କରି ମାରିଦେଲେ…

ବାପା ଶଯ୍ୟାଶାୟୀ, ମାନସିକ ବିକାରଗ୍ରସ୍ତ ମା’: ୮ବର୍ଷର କଅଁଳ ଶିଶୁକନ୍ୟାର କାନ୍ଧରେ ୫ ପ୍ରାଣୀ କୁଟୁମ୍ବର ବୋଝ

ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ବାସ ଭବନରେ ସିବିଆଇ ରେଡ୍

ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ

ସ୍କୁଟିକୁ ସାମ୍ନା ପଟୁ ଧକ୍କା ଦେଲା ବସ୍: ଯୁବକ ମୃତ