ବାପା-ମା’ ଓ ଟ୍ୟୁସନ୍‌ ସାର୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଯୁବକ, ୧୪ ବର୍ଷ ପରେ ଦେଲେ ଏତଲା

ଜଗତସିଂହପୁର, ୨୨/୧୧: ‘ଦଶମ ଶ୍ରେଣୀର ଛାତ୍ର ଥିଲି । ବୟସ ୧୪ ବର୍ଷ ହୋଇଥିଲା । ଭଲ, ଖରାପ ବିଚାର କରିବାର ଶକ୍ତି ନଥିଲା । କେବଳ ପାଠରେ ମନ ଥିଲା । ହଠାତ୍‌ କିନ୍ତୁ ଘରକୁ ଆସିଲେ ଜଣେ ଟ୍ୟୁସନ୍‌ ସାର । ମାସେ ଦୁଇ ମାସ ଇତିହାସ,ଭୂଗୋଳ ପଢ଼ାଇବା ଭିତରେ ହଠାତ୍‌ ମୋ ସମ୍ମୁଖରେ ସେ ଅଶ୍ଲୀଳ ଆଚରଣ ପ୍ରଦର୍ଶନ କଲେ । ମୋତେ ସେ ଭଳି କରିବାକୁ ପ୍ରବର୍ତ୍ତାଇଲେ । ଏହା ମନକୁ ଦୋହଲାଇ ଦେଇଥିଲା । ସେଇ ସମୟରେ ବାପା-ମା’ଙ୍କ ବ୍ୟବହାର ମଧ୍ୟ ସନ୍ଦେହଜନକ ମନେ ହୋଇଥିଲା । ସେତେ ବେଳେ ବାପା ମୋତେ ଏକ ମୋବାଇଲ ଫୋନ୍‌ ଦେଇଥିଲେ । ମୋବାଇଲ୍‌ରେ ଯେଉଁ ମେମୋରି କାର୍ଡ ଥିଲା, ସେଥିରେ କିଛି ବଲିଉଡ୍ ‌ଓ ହଲିଉଡ୍‌ ଅଭିନେତ୍ରୀଙ୍କ ସେକ୍ସି ଫଟୋ ଲୋଡ୍ ‌କରାଯାଇଥିଲା । ଏଣୁ ମୋତେ ଏକ ପ୍ରକାର ଯୌନ ନିର୍ଯାତନା ଦିଆଯାଉଥିଲା । ’ଏକଥା ଦର୍ଶାଇ, ନିଜ ବାପା-ମା’ ଓ ଟ୍ୟୁସନ୍‌ସାର୍‌ଙ୍କ ବିରୋଧରେ ଯୌନ ନିର୍ଯାତନାର ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ ।

ଘଟଣାଟି ଜଗତସିଂହପୁର ପୌରାଞ୍ଚଳର ହୋଇଥିବା ବେଳେ ଅଭିଯୋଗକାରୀ ଏବେ ଭୁବନେଶ୍ୱରରେ ରହୁଛନ୍ତି । ବିଦ୍ୟାଳୟ ଜୀବନ ଅତିବାହିତ କରିବାର ପ୍ରାୟ ୧୪ ବର୍ଷ ପରେ ଯୁବକ ଜଣକ ଏ ନେଇ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି । ଏତଲାରେ ସେ ନିଜର ବାପା, ମା’ ଓ ସଂପୃକ୍ତ ଟ୍ୟୁସନ୍‌ ସାର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଗତସିଂହପୁର ଥାନାର ହସ୍ତକ୍ଷେପ ଲୋଡ଼ିଛନ୍ତି । ମାନସିକ ଭାବେ ଫିଟ୍‌ ରହିବା ସତ୍ତେ୍ୱ ଡାକ୍ତରୀ ପରାମର୍ଶ ଆଳରେ ତାଙ୍କ ଜୀବନ ସହ ଖେଳ ଖେଳାଯାଇଥିବା ଅଭିଯୋଗ ଆଣି ଗତ ଅକ୍ଟୋବର ମାସରେ ସଂପୃକ୍ତ ଯୁବକ ପରୋକ୍ଷ ଭାବେ ଯୌନ ନିର୍ଯାତନାର ଅଠାନିଜ ବାପା, ମା’ ଏବଂ ଟ୍ୟୁସନ୍‌ ସାରଙ୍କ ମୁଣ୍ଡରେ ବୋଳି ୮ ପୃଷ୍ଠାର ଏତଲା ଥାନାକୁ ପଠାଇଛନ୍ତି । ଏଣେ ଥାନା ଇତିହାସରେ ଏଭଳି ସାଂଘାତିକ ତଥା ବିଚିତ୍ର ଅଭିଯୋଗ ପ୍ରଥମ କରି ଆସିଥିବାରୁ ପୁଲିସ ଚକିତ ହେବା ସହ ମାମଲାର ତଦନ୍ତ କଣ କେମିତି ଆରମ୍ଭ କରିବ ସେ ନେଇ ଚିନ୍ତାରେ ପଡ଼ି ଯାଇଛି ।

କେବଳ ଯୌନ ନିର୍ଯାତନା ନୁହେଁ, ହେତୁ ପାଇବା ପରେ ସେମିତି କିଛି ରୋଗ ତାଙ୍କର ନଥିବା ସତ୍ତେ୍ୱ ତାଙ୍କୁ ପିଲା ବେଳେ ମାତ୍ରାଧିକ ଔଷଧ ଖାଇବାକୁ ଦିଆଯାଇଥିବା ସେ ଅଭିଯୋଗ ବାଢ଼ିଛନ୍ତି । ସମ୍ଭବତଃ ସେହି ଔଷଧ ପ୍ରଭାବରୁ ସେ ଟ୍ୟୁସନ୍‌ ସାରଙ୍କ ବିରୋଧରେ ପାଟି ଖୋଲି ପାରୁନଥିଲେ ବୋଲି ଦର୍ଶାଇଛନ୍ତି । ଏଭଳି କାମ କରୁଥିବା ଜଣେ ଟ୍ୟୁସନ୍‌ ସାରଙ୍କୁ ପ୍ରୋତ୍ସାହନ ଦେବା ଦିଗରେ ବାପା-ମା’ଙ୍କ ଭୂମିକା ରହିବା ଯନ୍ତ୍ରଣା ଦାୟକ ବୋଲି ସେ କହିଛନ୍ତି । ଉଚ୍ଚତ୍ତର ଶିକ୍ଷା ହାସଲ କରି ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି ଏହି ୨୮ ବର୍ଷୀୟ ଯୁବକ । ବାପା-ମା’ଙ୍କ ଯୋଗାଯୋଗରେ ବି ରହିଛନ୍ତି ।କିନ୍ତୁ ବିଦ୍ୟାଳୟ ଜୀବନରେ ସମ୍ମୁଖୀନ ହୋଇଥିବା ସେହି ଘୃଣ୍ୟ ଦିନ ଗୁଡ଼ିକ ତାଙ୍କ ମନରୁ ଲିଭିନାହିଁ ।

ଏ ପଟେ ଅଭିଯୋଗଟି ବେଶ୍‌ ସାଂଘାତିକ ହୋଇଥିବାରୁ ଥାନାଧିକାରୀ ନିଜ ଆଡ଼ୁ ଏ ବାବଦରେ ଗୋପନ ଖୋଳତାଡ଼ ଆରମ୍ଭ କରିଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ମିଳିଛି । ୨୦୦୬ ମସିହା ଘଟଣାକ୍ରମ ଉପରେ ପର୍ଯ୍ୟବେସିତ ଏହି ଏତଲା । ଯୁବକଙ୍କ ବାପା, ମା’ ନିଜ ନିଜର ସରକାରୀ ଚାକିରିରୁ ଅବସର ନେଇ ଜଗତସିଂହପୁର ସହରରେ ରହୁଛନ୍ତି । ଯୁବକଙ୍କ ମା’ ଅବସର ପ୍ରାପ୍ତ ଅଧ୍ୟାପିକା ହୋଇଥିବା ବେଳେ ବାପା ଭାରତ ସରକାରଙ୍କ ଅଧୀନସ୍ଥ ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ।