ନବ ବିବାହିତାଙ୍କ ସଙ୍ଗୀନ ଅଭିଯୋଗ: ୪ ପୁଅଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଶାଶୁ, ଦେଉଥିଲେ ନିସ୍ତୁକ ମାଡ

ନୂଆଦିଲ୍ଲୀ,୧୪।୧: ରାଜଧାନୀ ଦିଲ୍ଲୀକୁ ଲାଗିଥିବା ୟୁପିର ଗାଜିଆବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମନାକୁ ଆସିଛି। ଜଣେ ନବ ବିବାହିତା ମହିଳାଙ୍କୁ ବାହାଘର ପରେ ଶାଶୁଘର ଲୋକ ଦେଉଥିଲେ ଅକଥନୀୟ ଅତ୍ୟାଚାର। ଏପରିକି ଅତ୍ୟାଚାର ସେତେବେଳେ ସୀମା ପାର କରିଥିଲା, ଯେବେ ଶାଶୁ ତାଙ୍କର ୪ ପୁଅଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି, ବିବାହ ପାଇଁ ପ୍ରଥମେ ତାଙ୍କର ସାନ ପୁଅକୁ ​‌ଦେଖାଯାଇଥିଲା କିନ୍ତୁ ବାହାଘର ବଡ ପୁଅ ସହିତ କରାଯାଇଥିଲା। ବଡ ପୁଅକୁ ସବୁବେଳେ ନିଶା ନେବାର ବଦଅଭ୍ୟାସ ରହିଛି। ଲୋକଲାଜ ଭୟରେ ନବବଧୂ ଜଣକ ତାଙ୍କ ପରିବାର ଲୋକଙ୍କୁ କିଛି କଥା ଜଣାଇନଥିଲେ। ତେବେ ପରେ ଶାଶୁ ତାଙ୍କୁ ଏଭଳି ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ, ଯାହାର କଳ୍ପନା କରିବା ଖୁବ୍ କଷ୍ଯକର।

ମହିଳାଙ୍କ କହିବା ଅନୁସାରେ, ବାହାଘର ପରେ ଶାଶୁ ତାଙ୍କୁ ୪ ପୁଅ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଯେତେବେଳେ ସେ ନିଜର ସ୍ବାମୀ ଛଡା ଅନ୍ୟ କାହା ସହିତ ସମ୍ପର୍କ ରଖିବାକୁ ମନା କରିଥିଲେ, ତାଙ୍କୁ ପ୍ରବଳ ମାଡ ଦିଆଯିବା ସହ ଗାଳିଗୁଲଜ କରୁଥିଲେ। ଏହାପରେ ବ୍ଲାକମେଲ୍ କରି ୪ ପୁଅଙ୍କ ସହିତ ପାଳି କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କୌଣସି ପ୍ରକାର ଭାବରେ ମହିଳା ଜଣକ ନିଜର ଜୀବନ ବଞ୍ଚାଇ ବାପ ଘରକୁ ଖସି ପଳାଇ ଆସିଥିଲେ।

ଅଭିଯୋଗ ଅନୁସାରେ, ନବବଧୂ ଜଣଙ୍କର ଦୁଇ ଦେଢଶୁର ବିବାହିତ ହୋଇଥିବା ବେଳେ ଜଣେ ଛୋଟ ଦିଅର ଅଛନ୍ତି। ଶାଶୁ କିନ୍ତୁ ତାଙ୍କୁ ସମସ୍ତଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏପରିକି ଥରେ ତାଙ୍କୁ ଏତେ ଜୋରରେ ମାରପିଟ୍ କରିଥିଲେ ଯେ, ସେମାନେ ତାଙ୍କର ପିନ୍ଧା ଲୁଗାକୁ ମଧ୍ୟ ଚିରି ଦେଇଥିଲେ। ଏହାପରେ ଶାଶୁଘର ଲୋକ ତାଙ୍କୁ ୩ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଦାବି କରିଥିଲେ।  ନବବିବାହିତାଙ୍କର ଅଭିଯୋଗ ପରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ମହିଳାଙ୍କ ସ୍ବାମୀ ଓ ଶାଶୁଙ୍କ ସହିତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।