ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଭୋପାଳ୨୯।୧୦: ଭାରତର ରେଳଓ୍ବେ ଇତିହାସରେ ପ୍ରଥମ ମାମଲା, ଯେବେ କୌଣସି ଅପହୃତ ପିଲାକୁ ବଞ୍ଚାଇବା ପାଇଁ ହୋଇଛି ଅଭିନବ ପ୍ରୟାସ। ଗୋଟିଏ ଟ୍ରେନ ଲଗାତାର ୨୪୦ କିଲୋମିଟର ବିନା କୌଣସି ଷ୍ଟେସନରେ ନରହି ଶେଷରେ ଏକ ଅପହୃତ ଶିଶକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି। ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବଂର ବାସ୍ତବିକ ଘଟଣା।  ଯେତେବେଳେ ଉତ୍ତର ପ୍ରଦେଶର ଲଳିତପୁରରୁ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ପର୍ଯ୍ୟନ୍ତ ଟ୍ରେନଟି ପ୍ରାୟ ୨୪୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଷ୍ଟେସନରେ ନରହି ଏକ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା।

ପ୍ରକୃତ ଘଟଣାଟି ହେଉଛି, ଲଳିତପୁରରେ ଜରେ ମହିଳା ଆରପିଏଫ୍ ପୋଲିସକୁ କହିଥିଲେ-ଜଣେ ବ୍ୟକ୍ତି ତାଙ୍କ ଝିଅକୁ ବଳପୂର୍ବକ ଅପହରଣ କରି ନେଇଯାଇଛି, ଯାହାକୁ ସେ ଟ୍ରେନରେ ଚଢୁଥିବାର ଦେଖିଛନ୍ତି। ସୂଚନା ମିଳିବା ମାତ୍ରେ ଲଳିତପୁର ଷ୍ଟେସନର ସିସିଟିଭି ଫୁଟେଜ୍ ଦେଖାଯାଇଥିଲା, ଯେଉଁଥିରେ ମହିଳା ଜଣକ ନିଜ ଝିଅକୁ ଚିହ୍ନିଥିଲେ। ଫୁଟେଜ ଆଧାରରେ ଜଣାପଡିଥିଲା ଯେ, ଝିଅଟିକୁ ନେଇ ଯେଉଁ ବ୍ୟକ୍ତିଜଣକ ଯାଉଛି ସେ ରାଫତି ସାଗର ଏକ୍ସପ୍ରେସରେ ଚଢିଛି।

ଏହାର ତୁରନ୍ତ ପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଟ୍ରେନକୁ ଭୋପାଳ ପର୍ଯ୍ୟନ୍ତ ବାଟରେ କୌଣସି ଷ୍ଟେସନରେ ନରଖି ଝିଅଟିର ଉଦ୍ଧାର କରାଯିବ। ଏହି ସୂଚନା ତୁରନ୍ତ ଭୋପାଳ ଆରପିଏଫ ନିକଟକୁ ପଠାଯାଇଥିଲା। ଏହା ଭିତରେ ପଡିଥିବା କୌଣସି ଷ୍ଟେସନରେ ଟ୍ରେନ ଅଟକା ଯାଇନଥିଲା। ଟ୍ରେନ ଯେତେବେଳେ ଭୋପାଳରେ ପହଁଞ୍ଚିଥିଲା, ସେତେବେଳେ ପ୍ଲାଟଫର୍ମକୁ ଆରପିଏଫ୍ ଓ ଜିଆରପି ଘେରାଉ କରିନେଇଥିଲା। ପ୍ଲାଟଫର୍ମର ଦୁଇପଟୁ ଯବାନଙ୍କୁ ଠିଆ କରାଇ ଦିଆଯାଇଥିଲା ଓ ଟ୍ରେନ ରହିବା ମାତ୍ରେ ଯବାନମାନେ ଟ୍ରେନର କୋଚ୍ ଭିତରେ ପଶି ଯାଇଥିଲେ। ଏହାପରେ ଟ୍ରେନର ତଲାସୀ ନିଆଯାଇଥିଲା। କୋଚ୍ ନମ୍ବର ଏସ-୨ରେ ଯେପରି ବ୍ୟକ୍ତି  ସମ୍ପର୍କରେ କୁହାଯାଇଥିଲା ସେହି ବ୍ୟକ୍ତି ହିଁ ଥିଲା। ଗୋଲାପୀ ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ପାଖରେ ଛୋଟ ଝିଅଟିଏ ମଧ୍ୟ ବସିଥିଲା।

ଏହାପରେ ଆରପିଏଫ୍ ସେହି ବ୍ୟକ୍ତିଜଣକୁ ତଳକୁ ଆଣିଥିଲେ ଓ ତାଙ୍କୁ ଜିଆରପି ପୋଲିସକୁ ହସ୍ତାନ୍ତର କରିଥିଲେ। ଗିରଫ ହୋଇଥିବା ବ୍ୟକ୍ତିଜଣକ କହିଥିଲେ, ତାଙ୍କ ଘର ଉତ୍ତରପ୍ରଦେଶର ଲଳିତପୁର ଓ ଯାହାକୁ ସାଙ୍ଗରେ ଆଣିଥିଲେ ସେ ତାଙ୍କର ନିଜ ଝିଅ। ତଦନ୍ତ ପରେ ଜଣାପଡିଥିଲା ସ୍ତ୍ରୀ ସହିତ ଝଗଡା ଲାଗିଥିବା କାରଣରୁ ବ୍ୟକ୍ତି ଜଣକ ନିଜର ଝିଅକୁ ନେଇ ଟ୍ରେନରେ ବସିଯାଇଥିଲେ। ତେବେ ପରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଥିବା ବିବାଦକୁ ଲଲିତପୁରରେ  ସମାଧାନ କରିଦିଆଯାଇଥିଲା। ସେଭଳି ଭାରତୀୟ ରେଲଓ୍ବେ ଇତିହାସର ଏହା ପ୍ରଥମ ମାମଲା ଯେବେ କୌଣସି ଟ୍ରେନ ବାଟରେ କୌଣସି ସ୍ଥାନରେ ନରହି ଝିଅଟିକୁ ବଞ୍ଚାଇବା ପାଇଁ ୨୪୦ କିଲୋମିଟର ଯାତ୍ରା କରିଥିଲା।