ବାଟବଣା ମୁଦ୍ରା ଯୋଜନା: ୫ରୁ ଜଣେ କରିଛନ୍ତି ନୂଆ ବ୍ୟବସାୟ,ନିଯୁକ୍ତି ଚିତ୍ର ଅତ୍ୟନ୍ତ ଖରାପ

ନୂଆଦିଲ୍ଲୀ ୫/୯:ଦେଶରେ ଔଦ୍ୟୋଗିକତା ବଢ଼ାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ମୁଦ୍ରା ଯୋଜନା ବାଟବଣା ହୋଇଛି । ମୁଦ୍ରା ଋଣ ନେଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୨୦% ନୂଆ ବ୍ୟବସାୟ ଆରମ୍ଭ କରିଥିବା ଶ୍ରମ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ଏକ ସର୍ଭେରୁ ଜଣାପଡିଛି । ଉକ୍ତ ସର୍ଭେକୁ କେନ୍ଦ୍ର ସରକାର ବର୍ତ୍ତମାନ ଯାଏ ସାର୍ବଜନୀନ କରିନାହାନ୍ତି । ରିପୋର୍ଟ ଅନୁସାରେ ପ୍ରତି ୫ରେ ମାତ୍ର ଜଣେ ମୁଦ୍ରା ଯୋଜନା ମାଧ୍ୟମରେ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି । ଅନ୍ୟମାନେ ଋଣ ରାଶିକୁ ସେମାନଙ୍କ ପୁରୁଣା ବ୍ୟବସାୟର ସମ୍ପ୍ରସାରଣରେ ବିନିଯୋଗ କରିଛନ୍ତି । ଏହାସହିତ ନିଯୁକ୍ତି ଚିତ୍ର ମଧ୍ୟ ଅତ୍ୟନ୍ତ ନିରାଶଜନକ ରହିଥିବା ମନ୍ତ୍ରାଳୟ ଏହାର ସର୍ଭେରେ ଉଲ୍ଲେଖ କରିଛି ।

ଏଯାବତ ସରକାର କହି ଆସୁଥିଲେ ଯେ, ମୁଦ୍ରା ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି । କିନ୍ତୁ ଶ୍ରମ ମନ୍ତ୍ରାଳୟର ସର୍ଭେ ବିପରୀତ ସୂଚନା ଦେଉଛି । ସର୍ଭେ ଅନୁସାରେ ୨୦୧୫ ଏପ୍ରିଲରୁ ୨୦୧୭ ଡିସେମ୍ବର ମଧ୍ୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଜରିଆରେ ୧.୧୨ କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଛି । ଏଥିରୁ ୫୧.୦୬ ଲକ୍ଷ ଲୋକ କମ୍ପାନି ମାଲିକ, ଯେଉଁମାନେ ନିଜେ ବି କାର୍ଯ୍ୟ କରୁଛନ୍ତି । ଆଉ ୬୦.୯୪ ଲକ୍ଷ ଲୋକ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ଅର୍ଥାତ୍‌ ଯୋଜନା ଆରମ୍ଭ ହେବାର ୩୩ ମାସରେ ଯେତିକି ଲୋକ ଋଣ ନେଇଛନ୍ତି ତାହାର ୧୦%ରୁ କମ୍‌ ନିଯୁକ୍ତି ସୃଷ୍ଟି ହୋଇଛି । ଶ୍ରମ ମନ୍ତ୍ରାଳୟର ଡ୍ରାଫ୍ଟ ରିପୋର୍ଟକୁ ୨୦୧୯ ମାର୍ଚ୍ଚ ୨୭ରେ ଉପସ୍ଥାପନ କରାଯାଇଛି । ଏଥିରୁ ଜଣାଯାଇଛି ଯେ, ୨୦୧୮ ଏପ୍ରିଲରୁ ନଭେମ୍ବର ମଧ୍ୟରେ ୯୭୦୦୦ ଲୋକଙ୍କୁ ମୁଦ୍ରା ଋଣ ଦିଆଯାଇଛି ।

ଯୋଜନାର ପ୍ରଥମ ୩ ବର୍ଷରେ ମୋଟ ୫.୭୧ ଲକ୍ଷ କୋଟି ଟଙ୍କାର ଋଣ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଇଛି । ମୁଦ୍ରା ଯୋଜନା ଅନ୍ତର୍ଗତ ଶିଶୁ, କିଶୋର, ତରୁଣ ଯୋଜନା ଅଧୀନରେ ଋଣ ଦିଆଯାଇଛି । ୩ ବର୍ଷ ଯାଏ ମୋଟ ୧୨.୨୭ କୋଟି ସଂଖ୍ୟକ ଋଣ ଦିଆଯାଇଛି । ଶିଶୁ ବର୍ଗରେ ଦିଆଯାଇଥିବା ଋଣ ଜରିଆରେ ୬୬% ନୂଆ ନିଯୁକ୍ତି ସୃଷ୍ଟି ହୋଇଥିବାବେଳେ କିଶୋର ଏବଂ ତରୁଣ ବର୍ଗରେ ଯଥାକ୍ରମେ ୧୮.୮୫% ଏବଂ ୧୫.୫୧% ନିଯୁକ୍ତି ସୃଷ୍ଟି ହୋଇଥିବା ଜଣାଯାଇଛି । ପରିଶେଷରେ ଏହା କୁହାଯାଇପାରିବ ପ୍ରତି ନିଯୁକ୍ତି ପାଇଁ ପ୍ରାୟ ୫.୧ ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

ଏହି ରିପୋର୍ଟକୁ ବ୍ୟବହାର କରି ସରକାର ଜାତୀୟ ନମୂନା ସର୍ବେକ୍ଷଣ କାର୍ଯ୍ୟାଳୟ(ଏନ୍‌ଏସ୍‌ଏସ୍‌ଓ)ର ବେକାରି ହାର ତଥ୍ୟକୁ ପ୍ରତି ଆକ୍ରମଣ କରିବାକୁ ଚାହୁଁଥିଲେ । ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ ଅନୁସାରେ ୨୦୧୭-୧୮ରେ ଦେଶର ବେକାରି ହାର ୬.୧% ରହିଛି, ଯାହାକି ୪୫ ବର୍ଷରେ ସର୍ବୋଚ୍ଚ । ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ ୨୦୧୮ ଡିସେମ୍ବରରେ ପ୍ରସ୍ତୁତ ହୋଇ ଯାଇଥିଲା । କିନ୍ତୁ ସରକାର ଏହାକୁ ଅଟକାଇ ଦେଇଥିଲେ । ୨୦୧୯ ମେ’ ୩୧ରେ ଲୋକ ସଭା ନିର୍ବାଚନ ସରିବା ପରେ ଯାଇ ଏହାକୁ ଉନ୍ମୋଚନ କରାଗଲା ।

   ସମ୍ବନ୍ଧିତ ଖବର


ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…

ସ୍ବାମୀଙ୍କ ପାଇଁ ମାନସିକ ରଖିଥିଲେ, ପୂରଣ ହେବାରୁ ନିଜର ଜିଭ କାଟି ମା’କାଳୀଙ୍କ ପାଦ ତଳେ ଅର୍ପଣ କଲେ ମହିଳା

ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ହୋଇପାରନ୍ତି ଦେବାଳିଆ ଘୋଷିତ, ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୫୦୦ କୋଟି

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…