ଯୌତୁକ ପାଇଁ ଭାଉଜଙ୍କୁ ପୋଡ଼ି ହତ୍ୟା: ନଣନ୍ଦକୁ ଆଜୀବନ ଜେଲ୍‌

ସାଲେପୁର,୧୨ ।୯(ଆପ୍ର): ଏକ ନିଆରା କିସମର ଯୌତୁକ ଜନିତ ହତ୍ୟା ମାମଲାର ବିଚାର କରି ଜଣେ ବିବାହିତା ମହିଳାଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଥିବା ମହିଳା ଜଣକ ହେଉଛନ୍ତି ନଣନ୍ଦ । ଅଧିକ ଯୌତୁକ ପାଇଁ ସେ ତାଙ୍କ ଭାଉଜଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ମାମଲାର ବିଚାର କରି ଆଜି ଏଭଳି ରାୟ ଦେଇଛନ୍ତି ସାଲେପୁରର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ । ଏଥିସହିତ ଆସାମୀଙ୍କଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅନାଦାୟ ହେଲେ ୬ ମାସ ଅତିରିକ୍ତ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ରାୟରେ କୁହାଯାଇଛି ।

ଜଗତପୁର ଥାନା ଅଧୀନ ସୁନାରିବଣ ଗାଁରେ ୨୦୧୭ ସେପ୍ଟେମ୍ବର ୧୧ରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଗାଁର ମୁନା ଗାଗରାଇଙ୍କ ପତ୍ନୀ ରଜନୀ ଗାଗରାଇଙ୍କୁ ତାଙ୍କ ନଣନ୍ଦ ସନ୍ଧ୍ୟାରାଣୀ ଗାଗରାଇ (୨୭ ବର୍ଷ) ଯୌତୁକ ପାଇଁ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା । ରଜନୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖି ରଜନୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜଗତପୁର ପୁଲିସକୁ ମୃତ୍ୟୁକାଳୀନ ଜମାନବନ୍ଦୀ ଦେଇଥିଲେ । ସେତେବେଳେ ସେ କହିଥିଲେ ଯେ ତାଙ୍କ ମୃତ୍ୟୁ ପାଇଁ ନଣନ୍ଦ ସନ୍ଧ୍ୟାରାଣୀ ଦାୟୀ । ସେ ନିଆଁ ଲଗାଇ ତାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ।

ଏ ସଂପର୍କରେ ରଜନୀ ଗାଗରାଇଙ୍କ ମା’ ମିନି ସଏ ମଧ୍ୟ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମିନିଙ୍କ ଅଭିଯୋଗ ମୁତାବକ, ୨୦୦୦ ମସିହାରେ ରଜନୀଙ୍କର ବିବାହ ହୋଇଥିଲା । କିନ୍ତୁ ବାହାଘର ପରଠାରୁ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ । ରାତି ପ୍ରାୟ ୧୧ଟା ବେଳେ ପାଖରେ ରହୁଥିବା ରଜନୀଙ୍କ ନଣନ୍ଦ (ସନ୍ତୋଷ ସାହୁଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ) କିରାସିନି ଢାଳି ରଜନୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ସ୍ୱାମୀ ମୁନା ମେଡିକାଲରେ ରଜନୀଙ୍କୁ ଭର୍ତ୍ତି କରି ତାଙ୍କୁ ଖବର ଦେଇଥିଲେ ।

ମିନିଙ୍କ ଅଭିଯୋଗ କ୍ରମେ ଜଗତପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ନଣନ୍ଦ ସନ୍ଧ୍ୟାରାଣୀକୁ ଗିରଫ କରିଥିଲା । ସନ୍ଧ୍ୟାରାଣୀ କିଛି ଦିନ ଜେଲ୍‌ରେ ରହିବା ପରେ ଜାମିନ୍‌ରେ ଆସିଥିଲେ । ତେବେ ଆଜି ଉକ୍ତ ମାମଲାର ବିଚାର କରି ସାଲେପୁରର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ସଂଗ୍ରାମ କେଶରୀ ପଟ୍ଟନାୟକ ଦୁଇଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ପ୍ରମାଣକୁ ଆଧାର କରି ସନ୍ଧ୍ୟାରାଣୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପୁଲିସ ପୁଣି ଆଜି ସନ୍ଧ୍ୟାରାଣୀକୁ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଯତୀନ୍ଦ୍ର କୁମାର ମହାନ୍ତି ପରିଚାଳନା କରୁଥିଲେ । ଅଦାଲତଙ୍କ ଏହି ରାୟ ସାଲେପୁରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

   ସମ୍ବନ୍ଧିତ ଖବର


ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା, ଅଳ୍ପକେ ବର୍ତ୍ତିଲେ ଘରେ ଥିବା ୭ ଜଣ

ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

କରୋନା କାଳରେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ