ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ

କଟକ,୭ା୪(ବ୍ୟୁରୋ): ଓଲିଉଡ୍‌ର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି । ‘ଚାନ୍ଦ ନା ତୁମେ ତାରା.. ମୋତି ନା ତୁମେ ହୀରା..’ ଭଳି ଅପାସୋରା ଗୀତର ସୁରକାର ତଥା ପ୍ରାୟ ୧୨ ହଜାର ଗୀତର ସଂଗୀତକାର ଶ୍ରୀ ରଥ ରବିବାର ବିଳମ୍ବିତ ରାତିରେ ସବୁଦିନ ପାଇଁ ଚାନ୍ଦତାରାଙ୍କ ଗହଣକୁ ଚାଲି ଯାଇଛନ୍ତି । ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ପ୍ରାୟ ମାସେ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଦୀର୍ଘଦିନ ଧରି ଆଇସିୟୁରେ ରଖା ଯାଇଥିଲା । କିନ୍ତୁ ଆଜି ଆଉ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିନଥିଲା । ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଥିଲା ।

ଶ୍ରୀ ରଥ ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚିତ୍ର ‘ସାକ୍ଷୀ ଗୋପିନାଥ’ରେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥେିଲ । ସେହି ଫିଲ୍ମରୁ ହିଁ ତାଙ୍କର ମ୍ୟୁଜିକ କ୍ୟାରିୟର ଆରମ୍ଭ ହୋଇଥିଲା । ଏହାପରେ ‘ସଉତୁଣୀ’, ‘ଆରତୀ’, ‘ଚିହ୍ନା ଅଚିହ୍ନା’, ‘କାବେରୀ’ ଭଳି ପ୍ରାୟ ୬୦ରୁ ଊଦ୍ଧ୍ୱର୍ ଚଳଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୨୦୧୧ରେ ମୁକ୍ତିଲାଭ କରିଥିବା ‘ତୁମେ ହିଁ ସାଥୀ ମୋର’ ଥିଲା ତାଙ୍କର ଶେଷ ଚଳଚିତ୍ର ।

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ରାଜ୍ୟ ଚଳଚିତ୍ର ପୁରସ୍କାର ମଧ୍ୟ ହାସଲ କରିଛନ୍ତି । ମା’ ତୁମେ ଜଗତର ସାହା ଭରସା, ଝୁମ୍‌କା ଟିକେ ତୁ ତ ହଲେଇ ଦେ, ଆସିବ ବର ତୋର ହୋଇବ ବାହାଘର, ସତ କହି ପଛେ ପାଏ ଫାଶୀ, ତୁମେ ମୋ ରାଧା ତୁମେ ମୋ ସୀତା, ଗୋରୀ ଦେଖିଲି କାଳୀ ଦେଖିଲି ଆଦି ହଜାର ହଜାର ଗୀତରେ ସ୍ୱର ଦେଇ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପରିଚୟ ସୃଷ୍ଟି କରିଯାଇଛନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଶ୍ରୀ ରଥଙ୍କ ଅନ୍ତିମ ସଂସ୍କାର ସୋମବାର ଦନି ହେବ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ।

ଶ୍ରୀ ରଥ ୧୯୬୮ରେ ପ୍ରଥମେ ସଙ୍ଗୀତ ଦୁନିଆରେ ଜଣେ ଗୀଟାରିଷ୍ଟ ଭାବେ ଏଣ୍ଟ୍ରି କରିଥିଲେ । କୋଲକାତାରୁ ୫୦୦ ଟଙ୍କା ଦେଇ ଏକ ଗୀଟାର କିଣି ତାଙ୍କୁ ଦେଇଥିଲେ ପ୍ରଯୋଜକ ଧୀର ବିଶ୍ୱାଳ । ତା’ ପରେ ଏହି ଗୀଟାରକୁ ବଜାଉ ବଜାଉ ସ୍ୱର ତିଆରି କରିଥିଲେ ସେ । ଏହାପରେ ବିଭିନ୍ନ ଡ୍ରାମାରେ ତିଆରି ହେଉଥିବା ଗୀତରେ ସ୍ୱର ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ପରେ ଆକାଶବାଣୀ ପାଇଁ ବହୁ ଗୀତ ତିଆରି କରି ସେ ଚର୍ଚ୍ଚାରେ ରହିଥିଲେ । ୧୯୭୫ରେ ସେ ପ୍ରଥମଥର ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ ।

୭୦ ଦଶକରେ ସେ ସମୟର ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ମାନା ଦେ, ଆଶା ଭୋଁସ୍‌ଲେ, ଅନୁରାଧା, ସୁରେଶ ୱାଦେକର, ମହେନ୍ଦ୍ର କପୁର ପ୍ରମୁଖଙ୍କୁ ନେଇ ଗୀତ ତିଆରି କରିଥିଲେ ସେ । ଯାହା ସେ ସମୟରେ ବହୁ ଲୋକପ୍ରିୟ ହୋଇଥିଲା । କାଳୀପୂଜା ସନ୍ଧ୍ୟାରେ କଟକ ଖାନନଗରସ୍ଥିତ ମା’ ଦକ୍ଷିଣକାଳୀ ପୀଠରେ ଭଜନ ସମାରୋହ ଆୟୋଜନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ଦୀର୍ଘ ବର୍ଷ ଧରି ସେ ଏହି ସମାରୋହକୁ ସଫଳତାର ସହ ଆୟୋଜନ କରି ଆସୁଥିଲେ । ଏଥିସହ ଶେଷଯାଏ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସେ ଭଜନ ସମାରୋହ ଓ ସଂଗୀତ କାର୍ଯ୍ୟକମ୍ରମାନ ମଧ୍ୟ ଆୟୋଜନ କରୁଥିଲେ । ଆଜି ତାଙ୍କ ପରଲୋକ ଖବର ପାଇ ବହୁ କଳାକାର ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ବାଢିଛନ୍ତି ।

   ସମ୍ବନ୍ଧିତ ଖବର


ଫେସ୍‌ବୁକ୍‌ରେ ଅଶ୍ଲୀଳ ଭିଡିଓ ଭାଇରାଲ ! ଥାନାରେ ଅଭିଯୋଗ କଲେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ଭଉଣୀ

କୋଣାର୍କ ମହୋତ୍ସବ ବନ୍ଦ ଲାଗି ହାଇକୋର୍ଟରେ ମାମଲା ରୁଜୁ

ବରିଷ୍ଠ ଅଭିନେତା ଜିମୂତ ପଟ୍ଟନାୟକଙ୍କ ପରଲୋକ

କଟକରେ ଖୁବ୍‌ଶୀଘ୍ର ପାଇପ୍‌ରେ ମିଳିବ ରନ୍ଧନ ଗ୍ୟାସ

ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ବାଇକ୍‌କୁ ଧକ୍କା ଦେଇ ୧ ଲକ୍ଷ ୬୫ ହଜାର ଲୁଟ ନେଲେ ୨ ଦୁର୍ବୃତ୍ତ, ପୋଲିସର ଛାନ୍‌ଭିନ୍ ଜାରି

ଓଡିଆ ଗୀତରେ ରାପ୍‌ କଲେ ସୁର ଭାଇନା: ‘ଆସିଗଲା ସୁର ରାଉତ, କଡ୍ଡା ଉପହାର ନେଇ ତ’.. ‘ମାଡି ଚାଲ’…