ପୁଣି ଚାଞ୍ଚଲ୍ୟ: ଦୁଷ୍କର୍ମ ପୀଡ଼ିତାଙ୍କୁ ତାରରେ ତଣ୍ଟି ଚିପି ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ, ୬ଦିନ ଧରି ଦୁଷ୍କର୍ମ ଶିକାର ହେବା ପରେ ଉଦ୍ଧାର କରିଥିଲା ପୁଲିସ

ସମ୍ବଲପୁର,୦୨/୦୩: ଅନୁସୂଚିତ ଜାତିର ଜଣେ ନାବାଳିକା (୧୬)ଙ୍କୁ ଅପହରଣ ପରେ ସହରର ଟାଉନ୍ ଥାନାଞ୍ଚଳରେ ଏକ ପରିତ୍ୟକ୍ତ ଘରେ ରଖି ୬ଦିନ ଧରି ଦୁଷ୍କର୍ମ କରାଯାଇଥିବା ଘଟଣା ଗତ ମାସରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଗତ ୨୦ ତାରିଖରେ ନାବାଳିକାଙ୍କୁ ପୁଲିସ୍ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । କିନ୍ତୁ ଗତକାଲି ରାତିରେ ଉକ୍ତ ପୀଡ଼ିତାଙ୍କୁ ଇଲେକ୍ଟ୍ରିକ୍ ତାରରେ ତଣ୍ଟି ଚିପି ହତ୍ୟା ଉଦ୍ୟମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ଧମା ପୁଲିସ୍ ତାଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରାଇଥିଲା । ଘଟଣା ପରେ ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ନେଇ ଧମା ଥାନାଧିକାରୀ ରାଜେଶ୍ୱରୀ ଭୋଇକୁ ଯୋଗାଯୋଗ କରିବାରୁ ଘଟଣାକୁ ସ୍ୱୀକାର କରିଥିଲେ ହେଁ ମାମଲା ତଦନ୍ତାଧୀନ ଥିବାରୁ ଏସମ୍ପର୍କରେ କିଛି କହିହେବ ନାହିଁ ବୋଲି କହିଛନ୍ତି ।
ସୂଚନା ଅନୁସାରେ, ଉଦ୍ଧାର ହେବା ପରଠାରୁ ହିଁ ନାବାଳିକାଙ୍କୁ ବାରମ୍ବାର ଧମକ ଚମକ ମିଳି ଆସୁଥିଲା। ରବିବାର ରାତିରେ ସେ ପରିସ୍ରା ଯିବା ପାଇଁ ଘର ପଛପଟକୁ ଯାଇଥିବା ସମୟରେ କେହି ଦୁର୍ବୃତ୍ତ ଏକ ଇଲେକ୍ଟ୍ରିକ୍ ତାର ନେଇ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସେ ଚିତ୍କାର କରିବାରୁ ପରିବାର ଲୋକେ ବାହାରି ଆସିଥିଲେ। ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଏନେଇ ପରିବାର ଲୋକେ ସୋମବାର ଥାନାରେ ଅଭିଯୋଗ କରିଥିଲେ ।
କିଏ ସେ ଅପହରଣକାରୀ ଯୁବତୀ?
ସେପଟେ, ନାବାଳିକାଙ୍କୁ ଗତ ୧୫ ତାରିଖରେ ଅପହରଣ କରି ଅଭିଯୁକ୍ତ ନାଏବ ସରପଞ୍ଚ ଆଲୋକ ବେହେରାକୁ ହସ୍ତାନ୍ତର କରିବା ସହ ୬ ଦିନ ଧରି ପୀଡ଼ିତାଙ୍କୁ ଉକ୍ତ ପରିତ୍ୟକ୍ତ ଘରେ ଜଗି ରହିଥିବା ଯୁବତୀ ଜଣଙ୍କ କିଏ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ଯୁବତୀଙ୍କ ସମ୍ପର୍କରେ ଏତଲାରେ ମଧ୍ୟ ଉଲ୍ଳେଖ ଥିବାବେଳେ ସେ ଉକ୍ତ ଗାଁର ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ପୁଲିସ୍ ଗତ ୨୦ ତାରିଖ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଗଣମାଧ୍ୟମକୁ ଦେଇଥିବା ସୂଚନାରେ ଉକ୍ତ ଯୁବତୀଙ୍କ ସମ୍ପର୍କରେ ବି କିଛି ଉଲ୍ଳେଖ କରିନାହିଁ । ଏପରିକି ୧୦ ଦିନ ପରେ ବି ତାଙ୍କୁ ଗିରଫ କରୁନାହିଁ ।
ସ୍ମରଣଯୋଗ୍ୟ, ନାବାଳିକାଙ୍କୁ ନାଏବ୍ ସରପଞ୍ଚ ଆଲୋକ ବେହେରା ବାପାଙ୍କ ସହ ଭେଟ କରାଇଦେବା ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ଦ୍ୱାରା ସମ୍ବଲପୁରକୁ ଡାକିଥିଲେ । ସେମାନେ ଏକ ଗାଡ଼ିରେ ଅଇଁଠାପାଲି ବସ୍ଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଅଭିଯୁକ୍ତ ଆଲୋକ ତାଙ୍କୁ ଏକ ଅଟୋରେ ବସାଇ ଟାଉନ୍ ଥାନା ଅନ୍ତର୍ଗତ ଆଶାପାଲିସ୍ଥିତ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲା । ସେଠାରେ ନାବାଳିକାଙ୍କୁ ବଳାତ୍କାର କରିବା ପରେ ଘଟଣା ସମ୍ପର୍କରେ ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ଘଟଣା ପରେ ଅଭିଯୁକ୍ତ ଆଲୋକ ନାବାଳିକାଙ୍କୁ ଏକ ଅଟୋରେ ବସାଇ ତାଙ୍କ ବାପା ରହୁଥିବା ସ୍ଥାନକୁ ନେଇ ଛାଡ଼ିଦେଇ ଫେରାର୍ ହୋଇଯାଇଥିଲା ।