ପୁରୀରେ ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ମହେଶକୁ ଖୋଜୁଛି ପୋଲିସ, ଆଜି ହସ୍ପିଟାଲରୁ ଡିସ୍ଚାର୍ଜ ହେବ ନାବାଳିକା

ପୁରୀ,୨୫/୦୧: ପୁରୀ ଟାଉନ୍ ଥାନା ଇଲାକାରେ ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଏଯାଏଁ ଧରାପଡ଼ିନି ଅଭିଯୁକ୍ତ । ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ୪୮ ଘଣ୍ଟା ପରେ ବି ହାତ ଖାଲି । ତଥାପି ପୁଲିସ ଅଭିଯୁକ୍ତ ମହେଶ ମହାନ୍ତି (୩୫)କୁ ଖୋଜି ପାଇବାରେ ଅସମର୍ଥ ହୋଇଛି । ଏସ୍ପିଙ୍କ ଦ୍ୱାରା ଗଠିତ ୪ଟି ସ୍ୱତନ୍ତ୍ର ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନାକେଦମ୍ ହେଲେଣି ।
ସେପଟେ ପୀଡ଼ିତାର ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଘଟିଛି । ସୋମବାର ଟାଉନ୍ ଥାନା ପୁଲିସ ଏସ୍ସିବି ମେଡିକାଲ୍ ଯାଇ ପୀଡ଼ିତା ଶିଶୁକୁ ଭେଟିଛି । ୨ ଦିନ ମଧ୍ୟରେ ବିଭିନ୍ନ ପରୀକ୍ଷା କରିଛନ୍ତି ଡାକ୍ତର । ପୀଡ଼ିତାର ଆଭ୍ୟନ୍ତରୀଣ କ୍ଷତ ନଥିବା ଜଣାପଡ଼ିଛି ବୋଲି ପୁଲିସ କହିଛି । ତେଣୁ ଶିଶୁ ଏବେ ସୁସ୍ଥ ଥିବା ଜଣାପଡ଼ିଛି । ମଙ୍ଗଳବାର ଶିଶୁକୁ ଡିସ୍ଚାର୍ଜ କରାଯିବ ବୋଲି କହିଛନ୍ତି ଆଇଆଇସି ଗୋକୁଳ ରଞ୍ଜନ ଦାସ ।
କିନ୍ତୁ ଅଭିଯୁକ୍ତ ଫେରାର୍ ରହି ପୁଲିସକୁ ନାକେଦମ୍ କରିଛି । ପୁଲିସ ୪ଟି ଟିମ୍ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖି ବି ସନ୍ଧାନ ପାଉନି । ସୋମବାର ଗୋଟିଏ ଟିମ୍ ସହରରେ ରହି ସ୍ଥାନୀୟ ଅଞ୍ଚଳରେ ନଜର ରଖିଥିବାବେଳେ ଅନ୍ୟ ୩ଟି ଟିମ୍ କୋଣାର୍କ, ବ୍ରହ୍ମଗିରି ଓ ପାରାଦୀପରେ ଚଢ଼ଉ କରିଥିବା ସୂଚନା ମିଳିଛି । ମହେଶ ସହ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ପୁଲିସ ତା’ର ସମସ୍ତ ଲିଙ୍କ୍କୁ ନିଜ ଅକ୍ତିଆର୍କୁ ନେଇଛି ।
ସୂଚନାଯୋଗ୍ୟ, ଶିଶୁକନ୍ୟାର ପରିବାର ରହୁଥିବା ଭଡ଼ାଘର କ୍ୟାମ୍ପସ୍ରେ ପୂର୍ବରୁ ରହୁଥିଲା ମହେଶ । ତେଣୁ ପୀଡ଼ିତା ପରିବାର ସହ ମହେଶ ପରିଚିତ ଥିଲା । ରବିବାର ପୂର୍ବାହ୍ଣରେ ପୀଡ଼ିତା ଘରକୁ ଯାଇଥିଲା ମହେଶ । ଶିଶୁକୁ ନେଇ ଛାତ ଉପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଫେରାର୍ ହୋଇଯାଇଥିଲା ମହେଶ ।