ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ଯୋଡ଼ା,୨୮/୧୧: ନିଛାଟିଆ ରାସ୍ତାରେ ଏକୁଟିଆ ଦେଖି ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମର ଚିଟୁ ପଲେଇ ବୋଲି ଜଣାପଡ଼ିଛି । ନାବାଳିକାଙ୍କ ଅଭିଯୋଗରେ ବଡବିଲ ପୁଲିସ ତାଙ୍କୁ ଗିରଫ କରିଛି ।

ଝାଡଖଣ୍ଡ ଅଞ୍ଚଳର ଜଗନ୍ନାଥପୁର ଗ୍ରାମର ଏକ ନାବାଳିକା କିଛିଦିନ ହେବ ବଡବିଲ ଥାନା ଅଞ୍ଚଳର ଏକ ଗାଁକୁ ସମ୍ପର୍କୀୟ ଭାଉଜଙ୍କ ଘରକୁ ଆସିଥିଲେ । ତେବେ ଉଲିବୁରୁ ଗ୍ରାମର ଚିଟୁ ପଲେଇ ନାବାଳିକାଙ୍କୁ ଡ୍ରେସ୍‌ କିଣିବାର ପ୍ରଲୋଭନ ଦେଖାଇ ବଜାରକୁ ନେଇଯାଇଥିଲା । ତେବେ ବଜାରରୁ ଫେରିବା ବାଟରେ ସୁଯୋଗ ଦେଖି ଏକ ନିଛାଟିଆ ଜାଗାରେ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ଟଣା ଓଟରା କରିଥିଲା । ତେବେ ଘଟଣାସ୍ଥଳରୁ କୌଣସି ପ୍ରକାରେ ନାବାଳିକା ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲା ।

ଏନେଇ ଭାଉଜଙ୍କୁ ଜଣାଇବା ପରେ ଉଭୟେ ବଡବିଲ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତି କରି ବଡ଼ବିଲ ଥାନାରେ କେସ୍‌ ନମ୍ବର ୧୫୧/୨୦୨୦ ଏକ ମାମଲା ରୁଜୁ କରି ଚିଟୁ ପଲେଇ(୪୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି ।