
ଭୁବନେଶ୍ୱର ୨୪/୧୧:: ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଘଟଣାର ଶେଷରେ ଶ୍ୱଶୁର ଗିରଫ ହୋଇଛନ୍ତି। ଦୀର୍ଘ ୩ ସପ୍ତାହ ପରେ ଡାକ୍ତରଖାନା ବେଡ୍ରୁ ଉଠିଥିବା ମୁଖ୍ୟ ଅଭିଯୁକ୍ତ ତଥା ଓଏଏସ୍ଙ୍କ ଶ୍ୱଶୁର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଶେଷରେ ଜେଲ୍ ବାରଣ୍ଡା ମାଡିଛନ୍ତି। ଯାଜପୁର ପୁଲିସ୍ ଭୁବନେଶ୍ୱରସ୍ଥିତ ଏମ୍ସ୍ ହସ୍ପିଟାଲରୁ ନେଇ ଯାଜପୁର ମୁଖ୍ୟ ବିଚାର ବିଭାଗୀୟ ବିଚାରପତିଙ୍କ ନିକଟରେ ପ୍ରଫୁଲଙ୍କୁ ହାଜର କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସ୍ୱାସ୍ଥଗତ କାରଣ ଦର୍ଶାଇ ଅଭିଯୁକ୍ତଙ୍କ ଓକିଲ ଜାମିନ୍ ପାଇଁ ବିଚାରପତିଙ୍କୁ ଆବେଦନ କରିଥିଲେ। ଜେଲ୍ ଡାକ୍ତରଙ୍କ ଅପେକ୍ଷା ବଡ଼ ହସ୍ପିଟାଲରେ ତାଙ୍କର ଉତ୍ତମ ଚିକିତ୍ସା ହୋଇପାରିବ ବୋଲି ସେ ପକ୍ଷ ରଖିଥିଲେ। କିନ୍ତୁ ମାମଲାର ଗୁରୁତ୍ୱକୁ ବିଚାର କରି ବିଚାରପତି ଅଭିଯୁକ୍ତଙ୍କ ଜାମିନ୍କୁ ଖାରଜ କରିଛନ୍ତି । ଏହାସହ ଜେଲ୍ ଡାକ୍ତରଙ୍କ ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟକୁ ପରଖି ଆଗାମୀ ପଦକ୍ଷେପ ନେବାକୁ ଯାଜପୁର ସବ୍ଜେଲ୍ର ଜେଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୁକ୍ତଙ୍କ ଜ୍ୱାଇଁ ତଥା ଓଏଏସ୍ ଅଧିକାରୀ ପ୍ରମୋଦ ପୃଷ୍ଟି ଭୁବନେଶ୍ୱର ମହାନଗର ନିଗର (ବିଏମ୍ସି)ର ଉଚ୍ଚପଦସ୍ଥ ଅଧିକାରୀ। ତାଙ୍କ ପ୍ରଭାବ ଯୋଗୁଁ ପୀଡ଼ିତାକୁ ନ୍ୟାୟ ମିଳିବା ଆଶା ଧୀରେ ଧୀରେ କମୁଥିବା ଆଲୋଚନା ହେଉଛି । ଗତ ୨ ତାରିଖରେ ହୋଇଥିବା ଅଭିଯୋଗକୁ ଭିତ୍ତିକରି ବାଲିଚନ୍ଦ୍ରପୁର ଥାନା ପୁଲିସ କେସ୍ ନଂ ୩୦୫/୨୦, ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬, ୫୦୬, ନାବାଳିକା ନିର୍ଯାତନା ନିରୋଧ ଆଇନ୍ର ଧାରା ୬ ଓ ଦଳିତ/ଆଦିବାସୀ ଆଇନ୍ ଅନୁଯାୟୀ ମାମଲା ରୁଜୁ କରିଥିଲା। କିନ୍ତୁ ଗିରଫ କରିନଥିଲା। ଥାନାରେ ହାଜର ହେବାକୁ ନୋଟିସ୍ ଧରାଇ ପୁଲିସ୍ ଚୁପ୍ ବସି ପଡିଥିଲା। ଗଣମାଧ୍ୟମରେ ଘଟଣା ପ୍ରଘଟ ହେବା ପରେ ପୁଲିସ୍ ଗିରଫ କରିବାକୁ ଯାଇଥିଲା। ସେତେବେଳେ ପ୍ରଫୁଲ୍ଲ ସ୍ୱାସ୍ଥଗତ କାରଣ ଦର୍ଶାଇବାକୁ ପୁଲିସ ବାଧ୍ୟରେ ତାଙ୍କୁ ୫ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସପ୍ତାହେ ତଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ମାମଲାରେ ନିଜ ଆଡୁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ହସ୍ତକ୍ଷେପ କରି ପୀଡ଼ିତାଙ୍କ ପରିବାରବର୍ଗକୁ ଭେଟିଥିଲେ। ପୀଡ଼ିତାକୁ କିପରି ଶୀଘ୍ର ନ୍ୟାୟ ମିଳିବ, ଏନେଇ ଯାଜପୁର ଏସପି ଚରଣ ସିଂ ମୀନାଙ୍କୁ ଭେଟି ଆଲୋଚନା କରିଛନ୍ତି ସେପଟେ ନାବାଳିକାକୁ ଘରେ ଖଟାଉଥିବା ଓଏଏସ୍ ପ୍ରମୋଦ ଓ ନାବାଳିକା ଯୋଗାଇଥିବା ଦଲାଲ୍ ବ୍ରହ୍ମାନନ୍ଦ ଜେନାଙ୍କୁ ପୁଲିସ ନୋଟିସ୍ ଧରାଇ ଛାଡି ଦେଇଛି ।