ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ମାମୁଁ ଅଭିଯୋଗରେ ଭଣଜା ଦଣ୍ଡିତ

କେନ୍ଦୁଝର,୨୩/୧୧: କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ତଥା ସ୍ୱତନ୍ତ୍ର ଅଦାଲତର ବିଚାରପତି ଲୋକନାଥ ସାହୁ ସୋମବାର ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରିଛନ୍ତି । ୩୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୨ ଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦଣ୍ଡିତ ଅଭିଯୁକ୍ତ ହେଲେ ଯୋଡ଼ା ଥାନା ଅଞ୍ଚଳର କମାରଯୋଡ଼ା ଗ୍ରାମର ଶ୍ରୀବାସ୍ତବ ଲୋହାର ଓ ଆଜାଦ ବସ୍ତିର ଦୁମ୍ବି ମୁଣ୍ଡା । ପୀଡ଼ିତା ଓ ସାକ୍ଷୀଙ୍କ ବୟାନ ତଥା ତଦନ୍ତକାରୀ ଅଧିକାରୀଙ୍କ ବଳିଷ୍ଠ ଦସ୍ତାବିଜ୍‌କୁ ଆଧାର କରି ଅଦାଲତ ପ୍ରେମିକ ଶ୍ରୀବାସ୍ତବ ଓ ଦୁମ୍ବିକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହିତ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଁଏ ଜରିମାନା ଆଦେଶ ଦେଇଛନ୍ତି ।

ଗିରଫ ହୋଇ ଜେଲ୍‌ରେ ଥିବା ଅଜିତ, ସୁରଜ ଓ କିଷ୍ଣାଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଘଟଣାରେ ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଗଣଦୁଷ୍କର୍ମ ଘଟଣାରେ ୩ ଜଣ ଖଲାସ ହୋଇଥିବା ବେଳେ ଆଉ ୩ ଜଣ ନାବାଳକଙ୍କ ବିଚାର ଅଦାଲତରେ ଜାରି ରହିଛି ।

ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଗ୍ରାମରେ ଜଣେ ୧୫ ବର୍ଷର ନାବାଳିକାକୁ ନିକଟସ୍ଥ ଲକ୍ଷ୍ମୀପଡ଼ିଆର ନିଛାଟିଆ ସ୍ଥାନରେ ୮ ଜଣ ଦୁଷ୍କର୍ମ କରିଥିଲେ । ଘଟଣା ୨୦୧୯ ଜୁନ୍‌ ୨୪ରେ ଘଟିଥିଲା । ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବାଳକ ମଧ୍ୟ ଥିଲେ । ନାବାଳିକା ଜଣଙ୍କ ପ୍ରେମିକ ଶ୍ରୀବାସ୍ତବ ଲୋହାର (୨୦) ସହ ଲକ୍ଷ୍ମୀପଡିଆରେ ରାତିରେ କଥାବାର୍ତ୍ତା ହେଉଥିବା ସମୟରେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଧମକଚମକ ଦେଇଥିଲେ । ଶ୍ରୀବାସ୍ତବ ସେଠାରୁ ଖସିଯାଇ ନିଜ ମାମୁ ମଙ୍ଗଲ ସୁରେନ୍‌ଙ୍କୁ ସହାୟତା ପାଇଁ ଡାକିଥିଲା । ମାମୁ ଘଟଣାସ୍ଥଳକୁ ଆସିବା ପୂର୍ବରୁ ଶ୍ରୀବାସ୍ତବ ପ୍ରେମିକା ନିକଟକୁ ଫେରି ଆସିଥିଲା । ହେଲେ ପ୍ରେମିକାକୁ ଅଭିଯୁକ୍ତମାନେ ଦୁଷ୍କର୍ମ କରୁଥିବା ଦେଖି ମଧ୍ୟ ଛଡ଼ାଇପାରିନଥିଲା । ଜଣଙ୍କ ପରେ ଜଣେ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରିବାରୁ ସେ ସଂଜ୍ଞାହୀନ ହୋଇପଡ଼ିଥିଲା । ଚେତା ଫେରିବା ପରେ ସେ ଦେଖିଥିଲା ଯେ, ପ୍ରେମିକ ଶ୍ରୀବାସ୍ତବ ମଧ୍ୟ ତାକୁ ଦୁଷ୍କର୍ମ କରୁଥିଲା ।

ଶ୍ରୀବାସ୍ତବର ମାମୁ ମଙ୍ଗଲ ପହଞ୍ଚିବା ପରେ ଗୁରୁତର ନାବାଳିକାକୁ ଉଦ୍ଧାର କରି ଘରକୁ ନେଇଥିଲେ । ସୁସ୍ଥ ହେବା ପରେ ନାବାଳିକା ସମସ୍ତ ଘଟଣା କହିଥିଲା । ଅଜିତ ମିଶ୍ର, ସୁରଜ ମୁଣ୍ଡା, କିଷ୍ଣା କାରୁଆ, ଦୁମ୍ବି ମୁଣ୍ଡା ଓ ଶ୍ରୀବାସ୍ତବ ସହିତ ଅନ୍ୟ ୩ଜଣ ନାବାଳକ ତାକୁ ଦୁଷ୍କର୍ମ କରିଥିବା ବୟାନ ଦେଇଥିଲା । ମଙ୍ଗଲ ଯୋଡ଼ା ଥାନାରେ ନିଜ ଭଣଜା ସହିତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ।