ଭିଜିଲାନ୍ସ ଜାଲରେ କୋଟିପତି ଆର୍‌ଟିଓ: ଅଫିସ ଓ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ଉ,ଘରୁ ମିଳିଲା ଦେଢ଼ କୋଟିର ସମ୍ପତ୍ତି

ନବରଙ୍ଗପୁର ୭/୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁର । କନ୍ଧମାଳ, ଭୁବନେଶ୍ୱର, ନବରଙ୍ଗପୁର ଅଫିସ୍‌, ରାୟଗଡ଼ାକୁ ମିଶାଇ ମୋଟ ୬ ଟି ଜାଗାରେ ଚଢ଼ଉ କରିଛି କୋରାପୁଟ ଭିଜିଲାନ୍ସ ଡିଭିଜନ । ଶ୍ରୀ କହଁରଙ୍କ ଘରୁ ୧ କୋଟି ୫୦ ଲକ୍ଷ ୬୩ ହାଜର ୩୨୮ ଟଙ୍କାରେ ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଭିଜିଲାନ୍ସ ତାଙ୍କୁ ଅଟକ ରଖିଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ୱର କଳାରାହଙ୍ଗରେ ଥିବା ଏକ ଫ୍ଲାଟ୍‌ । ଯାହାର ମୂଲ୍ୟ ୩୬ ଲକ୍ଷ ୭୫ ହଜାର ଟଙ୍କା, ୩୬ ଲକ୍ଷ ୭୦ ହଜାର ୨୨୧ ଟଙ୍କା ମୂଲ୍ୟର ଫୁଲବାଣୀରେ ଥିବା ମାର୍କେଟ୍‌ କମ୍ପେ୍ଲକ୍ସ ।

ଫୁଲବାଣୀରେ ରହିଛି ୨୬ ଲକ୍ଷ ୮୬ ହଜାର ୫୨୬ ମୂଲ୍ୟର ଏକ ମହଲା ଘର ଓ ୨୬ ଲକ୍ଷ ୯୫ ହଜାର ୩୭୫ ଟଙ୍କା ମୂଲ୍ୟର ଆଉ ଏକ ଘର । ବିଭିନ୍ନ ବ୍ୟାଙ୍କ୍‌ରେ ଜମା ରହିଛି ୧୪ ଲକ୍ଷ ୧୯ ହଜାର ୧୪୫ ଟଙ୍କା । ୧ ଲକ୍ଷ ୪୧ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର । ବଡ଼ କଥା ହେଲା ତାଙ୍କ ଘରୁ ନଗଦ ୭ ଲକ୍ଷ ୭୫ ହଜାର ୯୬୩ ଟଙ୍କା ମଧ୍ୟ ଜବତ ହୋଇଛି । ଶ୍ରୀ କହଁର ପାରଳାଖେମୁଣ୍ଡିରେ ଆରଟିଓ ଥିବା ବେଳେ ତାଙ୍କ ନିକଟରେ ବେସରକାରୀ ଭାବେ ଡ୍ରାଇଭର ଥିବା ନିରଞ୍ଜନ କାର୍‌ଜୀଙ୍କ ଭଡା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି । ତେବେ ସେଠାରୁ କୌଣସି ଜିନିଷ ମିଳି ନଥିବା ଭିଜିଲାନ୍ସ ଡିଏସ୍‌ପି ଅନନ୍ତ ମଲ୍ଳିକ କହିଛନ୍ତି ।

ସୂଚନା ମୁତାବକ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ଲକ୍ଷ୍ମୀନାଥ ହରିଜନଙ୍କୁ ଚାକିରି କରାଇଦେବା ଓ ପରେ ସ୍ଥାୟୀ କରିବା ଲାଗି ଆର୍‌ଟିଓ ଶ୍ରୀ କହଁର ତାଙ୍କ ପାଖରୁ ଦୁଇ ଥରରେ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । କିନ୍ତୁ ଚାକିରି ନିୟମିତ କଲେନି । ଏଥିସହ ଲକ୍ଷ୍ମୀନାଥଙ୍କ ୧୬ ମାସର ବକେୟା ଦରମା ମଞ୍ଜୁର କଲେନି । ବକେୟା ଟଙ୍କା ପ୍ରଦାନ ଲାଗି ଲକ୍ଷ୍ମୀନାଥ ବହୁବାର କାକୁତିମିନତି ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଓଲଟା ତାଙ୍କୁ ନିର୍ଯାତନା ଦିଆଯାଇଥିଲା । ଏ ସଂପର୍କରେ ଗତ ଫେବ୍ରୁଆରୀ ୨୨ରେ ସେ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଆର୍‌ଟିଓ ଶ୍ରୀ କହଁରଙ୍କ ନାଁରେ ଦଫା ୪୨୦ ଏବଂ ୭ ପିସି ଆକ୍ଟରେ ମାମଲା ରୁଜୁ କରିଛି ।
ମାମଲାର ତଦନ୍ତ ଚାଲିଥିବା ବେଳେ ଗତ ୪ ତାରିଖରେ ଡାଟାଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ଆର୍‌ଟିଓଙ୍କ କାର୍ଯ୍ୟାଳୟରେ ଚାଲିଥିବା ପିସି କାରବାରର ଗୁମର ଖୋଲିଥିଲେ ।

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆର୍‌ଟିଓ କିଭଳି ମୁଣ୍ଡପିଛା ୫୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ, ତାହାର ସମସ୍ତ ଦସ୍ତାବିଜ ଏସ୍‌ପିଙ୍କୁ ଦେଇଥିଲେ । ମୋଟ ୫୦୦ ପୃଷ୍ଠାର ଏକ ପିସି ଖାତା ଦେଖାଇଥିଲେ । ଗତ ୩ ମାସରେ ଆର୍‌ଟିଓ ପିସି ବାବଦରେ ପ୍ରାୟ ୨୦ ଲକ୍ଷ ଟଙ୍କା କେବଳ ଲର୍ଣ୍ଣିଂ ଲାଇସେନ୍ସ ବାବଦରେ ଆଦାୟ କରିଥିବା ପ୍ରମାଣ ସହ ଅଭିଯୋଗ କରିଥିଲେ । ଏହାବାଦ୍‌ ଯାନବାହାନ ଫିଟ୍‌ନେସ, ରେଜିଷ୍ଟ୍ରେସନ ପାଇଁ ମଧ୍ୟ ପିସି ନେଉଥିବା ଅଭିଯୋଗ କରିଥିଲେ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଭିଜିଲାନ୍‌ସ ପକ୍ଷରୁ ଏହି ଚଢଉ କରାଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଆଜି ରାୟଗଡା ଗସ୍ତରେ ଥିବା ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଭିଜିଲାନ୍ସ ଘଟଣାର ତଦନ୍ତ କରୁଛି । ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିରେ ବିଭାଗର କୌଣସି ହସ୍ତକ୍ଷେପ ରହିବ ନାହିଁ ।

   ସମ୍ବନ୍ଧିତ ଖବର


ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି