ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ପୁରୀ – ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ । କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭକ୍ତ ନାଗାର୍ଜୁନ ବେଶ ଦର୍ଶନ କରିପାରିବେ ନାହିଁ ।

ଶ୍ରୀକ୍ଷେତ୍ରକୁ ହବିଷ୍ୟାଳୀ ମାନେ ଆସିଲେ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ଼ ବ୍ୟପିବାରେ ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଶିବିର ବନ୍ଦ ରହିଛି। ଉପଜିଲ୍ଲାପାଳ ଭବତାରଣ ସାହୁ ଏ ନେଇ ଅନୁରୋଧ କରିଛନ୍ତି।

ଗତ କିଛି ବର୍ଷ ହେବ କାର୍ତ୍ତିକ ମାସରେ ହବିଷ୍ୟାଳୀ ମାନଙ୍କ ମାଗଣାରେ ରହିବା ଓ ମହାପ୍ରସାଦ ସେବନ ନେଇ ସ୍ୱତନ୍ତ୍ର ଶିବିର ଖୋଲୁଥିଲେ। ତେବେ ଚଳିତବର୍ଷ କୋଭିଡ଼ ମହାମାରୀ ସ୍ଥିତି ଯୋଗୁ ଏହା ବନ୍ଦ ରହିଛି।

ସୂଚନାଯୋଗ୍ୟ ଏକ ମାସ ପରେ ଶ୍ରୀମନ୍ଦିରରେ ଚଳିତ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶରେ ମହାପ୍ରଭୁ ସଜେଇ ହେବେ । ଭକ୍ତ ବେଶ ଦର୍ଶନ କରିପାରିବେନି । ଏହି ବେଶ ଲାଗି ଆଭୂଷଣ ପ୍ରସ୍ତୁତି ଅନୁକୂଳ ଦଶହରାରେ ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିବା ପରେ ଏହି ବେଶ ପ୍ରସ୍ତୁତିର ଅନୁକୂଳ ପର୍ବ ସମ୍ପନ୍ନ ହୋଇଛି । ହରଚଣ୍ଡୀସାହି ସ୍ଥିତ ଚକ୍ରକୋଟ ଜାଗାରେ ବେଶ କରିବାର ଅଧିକାର ପ୍ରାପ୍ତ ସେବକ ବଳରାମ ଖୁଣ୍ଟିଆ ପୂଜାର୍ଚ୍ଚନା କରିଥିଲେ ।

୨୦୨୦ ନଭେମ୍ବର ୨୭ତାରିଖ ମଳ ତ୍ରୟୋଦଶୀରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ବଡ଼ଦେଉଳରେ ସମ୍ପନ୍ନ ହେଉଛି । ଚକ୍ରକୋଟ୍‌ ଜାଗାଠାରେ ସମ୍ପୃକ୍ତ ସେବକ ହୋମଯଜ୍ଞ ବିଧି କରିବା ପରେ ଅସ୍ତ୍ର, ଆୟୁଧ ପୂଜା ସାରିଥିଲେ । ପୂଜା ବିଧି ବେଳେ ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ନୀତି ପ୍ରଶାସନ ଉପସ୍ଥିତ ଥିଲେ । ଚଳିତ ବର୍ଷ କାର୍ତ୍ତିକ ପଞ୍ଚୁକ ଛଅ ଦିନ ପଡିଛି । ପଞ୍ଚୁକ ତୃତୀୟ ଦିବସରେ ମହାପ୍ରଭୁଙ୍କ ଏହି ବେଶ ସମ୍ପନ୍ନ କରାଯିବ ।

ଏହି ବେଶ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ରେକର୍ଡ ଅଫ୍‌ ରାଇଟ୍‌ସ (ଆରଓଆର) ମୁତାବକ ବେଶ ଆଭୁଷଣ ପ୍ରସ୍ତୁତ କରିବାକୁ ବଳରାମ ଖୁଣ୍ଟିଆଙ୍କୁ ଅନୁମତି ପ୍ରଦାନ କରିଛି । ସ୍ମରଣୀୟ ବଡ଼ଦେଉଳରେ ଏହା ପୂର୍ବରୁ ୧୯୯୪ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

ଉଲ୍ଲେଖନୀୟ ଜାଗା ଆଖଡାଗୁଡିକରେ ହେଉଥିବା ନାଗା ବେଶର ସମସ୍ତ ବେଶ ଆଭୁଷଣ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିହୋଇଥାଏ । ପ୍ରଭୁଙ୍କ ନାଗାର୍ଜନ ବେଶରେ ଢାଲ, ଖଣ୍ଡା, ଧନୁ ଓ ତୀର ସଂଯୁକ୍ତ ପଟି, ରୁପା ଓ ସୁନା ଉପରେ ଫୁଲ ଲାଗିଥିବା ହାଣ୍ଡିଆ, ବାଘ ଛାଲ, ୧୭ ହତିଆର (ବାଗା, ଧୁନୁତୀର, ଖଣ୍ଡା, ଭୁଜାଲି, ଫାର୍ସା, ତେଣ୍ଟା, ଭାଲ୍ଲା, ଛୁରୀ, କଟାରୀ ଆଦି), ରାମରଜ, ଓଳମାଳ, ଦୁଇ କାନ୍ଧରେ କଳିକି, ହରିଡା ମାଳି, ବାଘନଖ, ଚଅଁର, ଦାଢ଼ି, ନିଶ ଆଦି ଆଭୂଷଣ ଲାଗି ହୋଇଥାଏ ା ଏହି ତଥ୍ୟ ସାତ ସାହି ପୂଜା କମିଟିରୁ ମିଳିଛି ।

ତେବେ ମହାପ୍ରଭୁଙ୍କ ବେଶରେ ଆଉ କିଛି ସ୍ୱତନ୍ତ୍ର ଆକର୍ଷଣୀୟ ଆଭୂଷଣ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲାଗି ହେଉଥିବାର ଖବର ମିଳିଛି । ବେଶ ପ୍ରସ୍ତୁତି ଆରମ୍ଭ ହେବା ବେଳକୁ ସମ୍ପୃକ୍ତ ସେବକ ବେଶ ପାଇଁ ଆବଶ୍ୟକ କଞ୍ଚାମାଲ ଶୋଲ, ପଟିପତା ଆଦି ସଂଗ୍ରହ କରି ସାରିଛନ୍ତି । ବେଶ ଆଭୁଷଣ ଅନୁକୂଳ ପରେ ଏବେ ବେଶ ପ୍ରସ୍ତୁତି ଏବଂ ବେଶ ସମ୍ପାଦନ ନିମନ୍ତେ ଅବଗଣନା ଆରମ୍ଭ ହୋଇଛି । ଏହା ପୂର୍ବରୁ ୧୯୯୩ ଏବଂ ୧୯୯୪ରେ ମହାପ୍ରଭୁଙ୍କ ଏହି ବେଶ ଲାଗ ଲାଗ ହୋଇଥିଲା ।

   ସମ୍ବନ୍ଧିତ ଖବର


କଟକରେ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ରେ ଲେଡି ଅଫିସର ନୀଳିମା ଲିଙ୍କ୍‌- ଲାଲା ସହ ଲୁଟ୍ ସମ୍ପତ୍ତିରେ କରୁଥିଲା..

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

୨୦ ବର୍ଷିୟା ଯୁବତୀ ନାଭିରୁ ଅସ୍ୱାଭାବିକ ଭାବେ ଝରୁଛି ପରିସ୍ରା – ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ