
ନୂଆଦିଲ୍ଲୀ, : ନକଲି ଟିକଟକୁ ସାବଧାନ । ଦଲାଲମାନଙ୍କ ଜରିଆରେ ମିଳୁଥିବା ରଙ୍ଗୀନ ଟିକଟ ନକଲି ହୋଇଥାଇପାରେ । ସୂତ୍ରରୁ ଜଣାଯାଇଛି, ଦଲାଲମାନେ ତଥ୍ୟ ଚୋରି କରି ଟିକଟର ବିପୁଳ କପି ଛାପୁଛନ୍ତି ଏବଂ ଏହାକୁ ବୁକିଂ ଉଇଣ୍ଡୋରେ ବିକ୍ରି କରୁଛନ୍ତି । ଫଳରେ ଟ୍ରେନରେ ଗୋଟିଏ ସିଟ୍ ପାଇଁ ଏକାଧିକ ଦାବିଦାର ଦେଖିବାକୁ ମିଳୁଛନ୍ତି ।
ନକଲି ଟିକଟକୁ ନେଇ ଜୁନ୍ରୁ ପ୍ରାୟ ୪୨୮ଟି ମାମଲା କେନ୍ଦ୍ରୀୟ ରେଳପଥର ହସ୍ତଗତ ହୋଇଥିବା ଜଣାଯାଇଛି । ଏଥିମଧ୍ୟରୁ ଏସି କ୍ଲାସ ପାଇଁ ୧୦୨ଟି ଟିକଟ ରହିଥିବା ରେଳ ଅଧିକାରୀମାନେ ପ୍ରକାଶ କରିଛନ୍ତି । ଅଧିକାରୀମାନଙ୍କ କହିବାନୁଯାୟୀ, ଦଲାଲମାନେ ବାସ୍ତବ ପିଏନ୍ଆର୍, ଟ୍ରେନ ଏବଂ ବର୍ଥ ଆଦି ତଥ୍ୟକୁ ବ୍ୟବହାର କରି ଅସଲି ଦେଖା ଯାଉଥିବା କାଗଜରେ ବିପୁଳ ସଂଖ୍ୟାରେ ନକଲି ଟିକଟ ଛପାଉଛନ୍ତି । ଖାଲି ଯାତ୍ରୀଙ୍କ ନାଁ ବଦଳାଇ ସେମାନେ ନିଜ ଉଦ୍ଦେଶ୍ୟ ପୂରଣ କରୁଛନ୍ତି । ଷ୍ଟେସନରେ ବୁକିଂ ଚାର୍ଟରେ ଏହାକୁ ଚିହ୍ନଟ କରାଯାଉଛି ଏବଂ ନକଲି ଟିକଟ ଧରିଥିବା ଯାତ୍ରୀଙ୍କୁ ଟ୍ରେନରେ ଯିବାର ଅନୁମତି ମିଳୁନାହିଁ ।
କେନ୍ଦ୍ରୀୟ ରେଳପଥର ଜଣେ ଅଧିକାରୀ କହିଛନ୍ତି ଯେ, ଏଜେଣ୍ଟମାନଙ୍କ ଜରିଆରେ ଟିକଟ ବୁକ୍ କରୁଥିବା ଯାତ୍ରୀ ଠକେଇ ନେଇ ଅବଗତ ନ ଥାନ୍ତି । ନିଜ ନାଁ ବୁକିଂ ଚାର୍ଟରେ ନ ପାଇ କିଛି ନ ବୁଝି ସେମାନେ ରେଳ କର୍ତ୍ତୃପକ୍ଷଙ୍କ ଉପରେ ଦୋଷାରୋପ କରୁଛନ୍ତି । ବରିଷ୍ଠ ନାଗରିକ କୋଟାର ଅପବ୍ୟବହାର ହୋଇଥିବା ୧୦୦ରୁ ଊର୍ଦ୍ଧ୍ୱ ମାମଲା ଜୁନ୍ରୁ ଚିହ୍ନଟ ହୋଇଥିବା ତଦନ୍ତ ରିପୋର୍ଟରୁ ଜଣାଯାଇଛି । ଏ କ୍ଷେତ୍ରରେ ମଧ୍ୟ ଦଲାଲମାନେ ଅସଲି ଦେଖାଯାଉଥିବା ଟିକଟ ଛାପି ଯାତ୍ରୀଙ୍କୁ ଭୁଆଁ ବୁଲାଉଥିବା ରେଳ ଅଧିକାରୀମାନେ ପ୍ରକାଶ କରିଛନ୍ତି ।