ବିଜେଡିକୁ ଆକ୍ରମଣ, ଓଡ଼ିଶାବାସୀଙ୍କୁ ମୋଦିଙ୍କ ଆହ୍ୱାନ: ‘ଥରେ ମୌକା ଦିଅ, ବିକାଶ ଦେଖାଇଦେବୁ’

ଭୁବନେଶ୍ୱର,୧୬ ।୪(ବ୍ୟୁରୋ): ‘୫ ବର୍ଷରେ ଭାରତବର୍ଷରେ ବହୁ ପରିବର୍ତ୍ତନ କରିପାରିଲୁ । ଓଡ଼ିଶା କାହିଁକି ବଦଳିବନି । ଗୋଟିଏ ଦଳକୁ ୨୦ ବର୍ଷ ଦେଲ । କିଛି ହେଲାନି । ବିଜେପିକୁ ଥରୁଟିଏ ୫ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ । ଆମେ ଓଡ଼ିଶାର ଚେହେରା ବଦଳାଇଦେବୁ । ବିକାଶରେ ଓଡ଼ିଶା ଆଗକୁ ଦୌଡ଼ିବ ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଆଜି ଏମିତି ଆହ୍ୱାନ ଦେଇଛନ୍ତି । ସେ ପ୍ରତିଶ୍ରୁତି ଦେଇଛନ୍ତି, ସଂକଳ୍ପ ଓ ନିଷ୍ଠା ଥିଲେ ସବୁକିଛି ସମ୍ଭବ । ଦିଲ୍ଲୀ ଓ ଭୁବନେଶ୍ୱରରେ ବିଜେପିର ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶା ବିକାଶର ନୂଆ ଧାରାରେ ଚାଲିବ । ରାଜ୍ୟବାସୀଙ୍କ ଆଶା ଓ ଆଙକାକ୍ଷା ପୂରଣ ହେବ ।

ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ବିଜୟ ସଂକଳ୍ପ ସଭାରେ ମୋଦିଙ୍କ ଭାଷଣରେ ବିକାଶର ଏଜେଣ୍ଡା ଯେତିକି ଥଲା, ବିଜେଡି ସରକାର ଉପରେ ଆକ୍ର୍ରମଣ ମଧ୍ୟ ସେତିକି ପ୍ରଚଣ୍ଡ ଥିଲା । କଂଗ୍ରେସ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଜୋରଦାର ହମ୍‌ଲା କରିଥିଲେ ।

ବିଜେଡି ସରକାର ଉପରେ ଶାଣିତ ଆକ୍ରମଣ କରି ପ୍ରଧାନମନ୍ତ୍ରୀ କହିଲେ, ଭାରତ ମଜବୁତ ହେଲେ ଓଡିଶା ସଶକ୍ତ ହେବ । ୨୦ ବର୍ଷ କାଳ ଗୋଟିଏ ଦଳ କ୍ଷମତାରେ ରହିଲା । ମାତ୍ର ନିଷ୍ଠା ଓ ଆନ୍ତରିକତା ଅଭାବରୁ ବିକାଶ ଧିମେଇଛି । ଏଠାର ବିଜେଡି ସରକାର ସବୁ କାମରେ ପିସି ଖୋଜୁଛି । ତେଣୁ ବିକାଶ ଆଗକୁ ଯାଉନି । ବିଜେପି ସବ୍‌ କା ସାଥ, ସବ୍‌ କା ବିକାଶ ପାଇଁ କାମ କରୁଥିଲା ବେଳେ ବିଜେଡି ସରକାର ନିଜ ପାଖଲୋକ ଓ ସଂପର୍କୀୟଙ୍କ ଉନ୍ନତି ପାଇଁ କାମ କରୁଛି । କେନ୍ଦ୍ର ସରକାର କିନ୍ତୁ ରାଜ୍ୟର ବିକାଶ ପାଇଁ ଯଥେଷ୍ଟ ସହଯୋଗ କରିଛି । ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ର ୩ ଲକ୍ଷ କୋଟି ଟଙ୍କା ଦେଇଛି । ଯାହା ପୂର୍ବ ସରକାର ତୁଳନାରେ ୫ ଗୁଣା ଅଧିକ । ଏହାସତ୍ତେ୍ୱ ବିକାଶ ଶୂନ । ଏଥିପାଇଁ କିଏ ଦାୟୀ ବୋଲି ମୋଦି ଉପସ୍ଥିତ ହଜାର ହଜାର ଜନତାଙ୍କୁ ପ୍ରଶ୍ନ କରିଥିଲେ ।

ରାଜ୍ୟକୁ କେନ୍ଦ୍ର କରିଥିବା ସହଯୋଗର ପୂର୍ଣ୍ଣ ବିବରଣୀ ରଖି ପ୍ରଧାନମନ୍ତ୍ରୀ କହିଲେ, ରାଜ୍ୟରେ ବହୁ ତୈଳ ଓ ଗ୍ୟାସ୍‌ ପ୍ରକଳ୍ପ ଚାଲୁ ହୋଇଛି । ପାରାଦୀପ ତୈଳ ବିଶୋଧନାଗାର କାମ ଆଗେଇଛି । ୩୫ ଳକ୍ଷ ପରିବାରକୁ ମାଗଣାରେ ଉଜ୍ଜଳା ଗ୍ୟାସ୍‌ ମିଳିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ ଲକ୍ଷ ପରିବାରକୁ ପକ୍କାଘର ମିଳିଛି । ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇପାରିଛି । ପାଇପରେ ଗ୍ୟାସ ପହଞ୍ଚାଇବାକୁ କାମ ଆରମ୍ଭ ହୋଇଛି । ଓଡ଼ିଶାରେ ପାନୀୟ ଜଳର ଅଭାବ ପୂରଣ କରିବାକୁ କେନ୍ଦ୍ର ସରକାର ୮ଟି ବୃହତ୍‌ ପ୍ରକଳ୍ପ ପାଇଁ କାମ ଆରମ୍ଭ କରିଛି । ୨୩ ମେ ଭୋଟଗଣତି ପରେ ବିଜେପି ସରକାର ଆସିଲେ ଏସବୁ କାମ ଆହୁରି ଦ୍ରୁତ ବେଗରେ ଆଗେଇବ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏପରିକି କେନ୍ଦ୍ରରେ ଏକ ଜଳଶକ୍ତି ମନ୍ତ୍ରାଳୟ ମଧ୍ୟ କାର୍ଯ୍ୟକ୍ଷମ ହେବ ।

କେବଳ ସେତିକି ନୁହେଁ, ବିଜେଡି ସରକାରକୁ କଟାକ୍ଷ କରି ମୋଦି କହିଲେ ଯଦି ରାଜ୍ୟ ସରକାର କେନ୍ଦ୍ର ସହ ତାଳ ଦେଇ ଦୌଡ଼ି ପାରନ୍ତେ ତେବେ ଯେତିକି ବିକାଶମୂଳକ କାମ ହୋଇଛି ତାହା ଆହୁରି ୩ ଗୁଣା ହୋଇଥାନ୍ତା । ମାତ୍ର ଏ ଅପାରଗ ସରକାର ମଠେଇ ମଠେଇ ଚାଲୁଛି ।

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନାମ ନେଲେନି କିନ୍ତୁ ବିଜେଡି ସରକାର ଉପରେ ଜୋର ବର୍ଷିଲେ । ସେ କହିଲେ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆମେ ୫୦ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛୁ । ସାଢ଼େ ୮ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତି ସହାୟତା ରାଶି ମିଳିଛି । ମାତ୍ର ବିଡ଼ମ୍ବନା ୩ ମା ପରେ ବି ରାଜ୍ୟ ସରକାର ସମସ୍ତ ଯୋଗ୍ୟ ଚାଷୀଙ୍କ ତାଲିକା ଓ ବ୍ୟାଙ୍କ ଜମାଖାତା ତଥ୍ୟ କେନ୍ଦ୍ରକୁ ଦେଇପାରୁନି । ଏତିକି କାମ କରିପାରୁନଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦ ରାଜ୍ୟର ବିକାଶ ପାଇଁ ଅଧିକ କଣ କରିପାରିବ? ସେ କହିଲେ, ବିଜେଡି ଏବେ ଭୋଟ ହାରିବା ଭୟରେ ମିଛୁ ପ୍ରଚାର କରୁଛି ଯେ ବିଜେପି ରାଜ୍ୟରେ ଶାସନଗାଦିକୁ ଆସିଲେ ପୁରୁଣା ଯୋଜନା ବନ୍ଦ କରିଦେବ । ମାତ୍ର ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି, ଆମେ କୌଣସି ଯୋଜନା ବନ୍ଦ କରିବୁନି । ଆମେ କେବଳ ଭ୍ରଷ୍ଟାଚାର, ଦୁର୍ନୀତି ବନ୍ଦ କରିବୁ ।

ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି କହିଲେ, ଓଡ଼ିଶାର ମିଜାଜ୍‌ ଭିନ୍ନ କଥା କହୁଛି । ଓଡ଼ିଶାବାସୀ ପରିବର୍ତ୍ତନ ପାଇଁ ମନ ବଳାଇ ସାରିଲେଣି । ଓଡ଼ିଶା ଏଥର ଅସମ୍ଭବକୁ ସମ୍ଭବ କରି ଦେଖାଇବ । ଓଡ଼ିଶାର ଶାସନ ଡୋରି ବିଜେପି ଧରିଲେ, ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ରାଜ୍ୟବାସୀଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ମାଗଣାରେ ମିଳିବ । ରାଜ୍ୟର ଉଜ୍ଜଳ ଭବିଷ୍ୟତ ପାଇଁ ସମସ୍ତେ ଜଣେ ଜଣେ ଚୌକିଦାର ସାଜିବାକୁ ମୋଦି ଆହ୍ୱାନ ଦେବା ସହ ଓଡ଼ିଶା ଓ ଦିଲ୍ଲୀରେ ବିଜେପି ସରକାର ଆଣିବାକୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ ।

ମୋଦି ସମାବେଶରେ କଂଗ୍ରେସ ଉପରେ ମଧ୍ୟ ଜୋରଦାର ଆକ୍ରମଣ କରିଥିଲେ । ସେ କହିଲେ, ଆତ୍ମବିଶ୍ୱାସର ସହ ନିର୍ବାଚନ ଲଢ଼ୁଛୁ । ଆମର ଏଜେଣ୍ଡା ଦେଶର ବିକାଶ । ମାତ୍ର ବିରୋଧୀଙ୍କର ଗୋଟିଏ ଏଜେଣ୍ଡା ମୋଦି ହଟାଓ । ବିରୋଧୀ ଦଳଗୁଡ଼ିକର ମିଶନ ନାହିଁ କି ତାଙ୍କ ନେତାଙ୍କର ଭିଜନ ନାହିଁ । ୨୦୦୪ରୁ ୨୦୧୪ ଯାଏ ରିମୋଟ କଣ୍ଟ୍ରୋଲରେ ଚାଲୁଥିବା କଂଗ୍ରେସ ସରକାର ଆତଙ୍କବାଦୀଙ୍କୁ ଦମନ କରିବାକୁ କିଛି କରିନଥିଲା । ମାତ୍ର ଆମେ ଶତ୍ରୁର ଘରେ ପଶି ସିଧା ହମଲା କଲୁ । ସମଗ୍ର ବିଶ୍ୱକୁ ଆମ ତାକତ ଦେଖାଇଲୁ ।ପରିବାରବାଦରେ ବିଶ୍ୱାସ କରୁଥିବା କଂଗ୍ରେସ କ୍ଷମତା ପାଇଁ ଜାତି ଓ ସଂପ୍ରଦାୟ ଭିତରେ ଅବିଶ୍ୱାସର ଲଢ଼େଇ ଲଗାଉଛି । ରାଜ୍ୟ ବିଭାଜନ କରୁଛି । ମାତ୍ର କ୍ଷମତାକୁ ଫେରିବାକୁ କଂଗ୍ରେସର ଏ ଉଦ୍ୟମକୁ ଏ ଚୌକିଦାର ସଫଳ ହେବାକୁ ଦବନି ବୋଲି ପ୍ରଧାନମନ୍ତ୍ରୀ ଦମ୍ଭର ସହ କହିଥିଲେ ।

ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ରୋଡ ସୋ’ରେ ଆସି ସଭାମଞ୍ଚରେ ୭.୧୨ ରେ ପହଞ୍ଚିଥିଲେ । ମୋଦି …ମୋଦି ସ୍ଲୋଗାନରେ ସଭାସ୍ଥଳ କମ୍ପିଥିଲା । ଉପସ୍ଥିତ ଲୋକମାନେ ମୋବାଇଲ ଟର୍ଚ୍ଚ ଲାଇଟ୍‌ ଜଳାଇ ମୋଦିଙ୍କୁ ସ୍ୱାଗତ କରିଥିଲେ । ମୋଦିଙ୍କ ସ୍ୱର ସହ ସ୍ୱର ମଧ୍ୟ ମିଳାଉଥିଲେ । ପ୍ରଧାନମନ୍ତ୍ରୀ ୪୮ ମିନିଟ୍‌ କାଳ ନିଜ ଭାଷଣରେ ଲୋକଙ୍କୁ ବାନ୍ଧି ରଖିବା ଓଡ଼ିଶାରେ ବିଜେପିକୁ ସୁଯୋଗ ଦେବାକୁ ଭୋଟଭିକ୍ଷା କରିଥିଲେ । ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଭାରୀ ଅରୁଣ ସିଂହଙ୍କ ସହ ଦଳୀୟ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

ବରମୁଣ୍ଡା ସଭା ପୂର୍ବରୁ ମୋଦି ମଙ୍ଗଳବାର ପୂର୍ବାହ୍ନରେ ସମ୍ବଲପୁରରେ ମଧ୍ୟ ଭୋଟଭିକ୍ଷା କରିଥିଲେ । ସେଠାରେ ମୋଦି କହିଲେ, ପ୍ରଥମ ପର୍ଯ୍ୟାୟ ମତଦାନରେ ଓଡ଼ିଶାରେ ବିଜେପି ସରକାର ଆଉ କେନ୍ଦ୍ରରେ ମୋଦି ସରକାର ଆସିବା ନେଇ ସଙ୍କେତ ମିଳିସାରିଛି । ଏହି ପରିବର୍ତ୍ତନ କେବଳ ବିଗତ ଦିନର ସରକାରମାନଙ୍କର ଅପାରଗତା ଏବଂ ଭ୍ରଷ୍ଟାଚାର ପାଇଁ ହିଁ ହେବାକୁ ଯାଉଛି । ପୂର୍ବ ସରକାରମାନଙ୍କରେ ଦିଲ୍ଲୀରୁ ୧୦୦ ପଇସା ଆସିଲେ ୮୫ ପଇସା ବାଟମାରଣା ହେଉଥିଲା । ଏଥିରୁ ବିକାଶ କେମିତି ହେବ ବୋଲି ସେ ପ୍ରଶ୍ନ କରିଥିଲେ । ସେହିପରି ରାଜ୍ୟର ବିଜେଡି ସରକାର ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତିରେ ବୁଡି ରହିଛି । ମୋଦି ସରକାର ଅମଳରେ ଡିଏମ୍‌ଏଫ୍‌ ପାଣ୍ଠି ଗଠନ ହୋଇଥିବା ବେଳେ ଓଡିଶାରେ ୫ ବର୍ଷରେ ୬ ହଜାର କୋଟି ଟଙ୍କା ଜମା ହୋଇଛି । ହେଲେ ରାଜ୍ୟ ସରକାର ମାତ୍ର ହଜାରେ କୋଟି ଖର୍ଚ୍ଚ କରିବାରେ ସଫଳ ହୋଇଛି । ଗତ ୨୦ ବର୍ଷ ଧରି ଏହି ସରକାରକୁ ଆସ୍ଥା କରି ଲୋକେ ଠକାମୀର ଶିକାର ହୋଇଛନ୍ତି । ଯେଉଁ ସରକାରର ନିୟତ ଖରାପ ସେହି ସରକାରର ପରିବର୍ତ୍ତନ ଜରୁରି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ବିଜେପିର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଆହ୍ୱାନ ଦେଇଥିଲେ ।

   ସମ୍ବନ୍ଧିତ ଖବର


ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?

ଆଗାମୀ ଦିନରେ ପିଲାଙ୍କ ସିଲାବସ୍‌ରେ ସାମିଲ ହେବ ‘ସାଇବର୍‌ ସିକ୍ୟୁରିଟି’ ବିଷୟ : ବିଦ୍ୟାଳୟସ୍ତରରୁ ଆରମ୍ଭ ହେବ ସଚେତନତା

ରାଜ୍ୟରେ କରୋନା ନେଲା ଆଉ ୧୪ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୧୮କୁ ବୃଦ୍ଧି