‘ଫୋନି‘ ପରେ ଅନ୍ଧାରରେ କଟକ-ଭୁବନେଶ୍ବର, ନାସା ଜାରି କଲା ସାଟେଲାଇଟ୍ ଫଟୋ

ନୂଆଦିଲ୍ଲୀ,୯।୫: ଆମେରିକାର ମହାକାଶ ଏଜେନ୍ସି ନାସା ଓଡିଶାରେ ଆସିଥିବା ବିନାଶକାରୀ ବାତ୍ୟା ‘ଫୋନି’  କାରଣରୁ ବିଜୁଳି ସେବା ବନ୍ଦ ହେବା ନେଇ ଫଟୋ ଜାରି କରିଛି। ଏହି ଫଟୋରେ ‘ଫୋନି’ର ପୂର୍ବ ଅର୍ଥାତ ୩୦ ଅପ୍ରେଲରେ ଓଡିଶାର ଚିତ୍ର ଦେଖାଯାଇଛି ଓ ଏହି ବାତ୍ୟା ପରେ ଅର୍ଥାତ ୫ ମଇରେ କିଭଳି ସ୍ଥିତି ରହିଥିଲା ତାହା ଦେଖାଇଛି। ଏହି ଫଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଫାନି ଆସିବା ପୂର୍ବରୁ ଓଡିଶାର ପୁରୀ, ଭୁବନେଶ୍ବର, କଟକ ଓ ଖୋର୍ଦ୍ଧା ଆଦି ଅଞ୍ଚଳରେ ଆଲୋକରେ ଚମକୁଥିବାର ଦେଖିବାକୁ ମିଳୁଛି, କିନ୍ତୁ ଏହାପରେ ଏହି ସବୁ ଅଞ୍ଚଳରେ ଦେଖିବାକୁ ମିଳିଛି ଘୋର ଅନ୍ଧକାର।   

ଟ୍ୱିନ୍ ସିଟି ‘ଭୁବନେଶ୍ୱର ଓ କଟକ’ ସହିତ ପୂରା ପୁରୀ ଜିଲ୍ଲା ବି ଅନ୍ଧକାରରେ ରହିଛି। ଆଉ ଏହାକୁ ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ   ସ୍ୟାଟେଲାଇଟ୍‌ ଯୋଗେ ଏହି ଫଟୋଗୁଡ଼ିକୁ ଉଠାଯାଇଛି। ଏଥିରେ କଟକ ଓ ଭୁବନେଶ୍ୱରର ରାତିର ଫଟୋ ରହିଛି।‘ନାସା’ର ଅଫିସିଆଲ୍ ୱେବସାଇଟ୍‌ରେ ଏହି ଫଟୋଗୁଡ଼ିକୁ ସ୍ଥାନିତ କରାଯାଇଛି। ତା’ସହିତ ‘ନାସା’ ତା’ ଟ୍ୱିଟ୍‌ର ଆକାଉଣ୍ଟରେ ଏହି ଦୁଇ ସହରର ଉଭୟ ବାତ୍ୟା ପୂର୍ବ ଓ ପରର ଚିତ୍ରକୁ ପୋଷ୍ଟ୍‌ କରିଛି ଏବଂ ଏକ ତୁଳନାତ୍ମକ ଚିତ୍ର ଦେବାକୁ ପ୍ରୟାସ କରିଛି।

‘ନାସା’ ଭୁବନେଶ୍ୱରର ଦୁଇଟି ଓ କଟକର ଦୁଇଟି ଫଟୋ ପୋଷ୍ଟ୍‌ କରିଛି। ଭୁବନେଶ୍ୱରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ଏପ୍ରିଲ୍‌ ୩୦ ତାରିଖରେ ଗୋଟିଏ ଫଟୋ ଉଠା ଯାଇଥିବା ବେଳେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ‘ଫୋନି’ ଯିବା ପରେ ମେ’ ୫ ତାରିଖରେ ଆଉ ଗୋଟିଏ ଫଟୋ ଉଠାଯାଇଛି। ସେହିପରି କଟକର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ଏପ୍ରିଲ୍ ୩୦ ତାରିଖରେ ଗୋଟିଏ ଫଟୋ ଉଠା ଯାଇଥିବା ବେଳେ ମେ’ ୪ ତାରିଖରେ ଅର୍ଥାତ୍‌ ବାତ୍ୟା ପର ଦିନ ସେହି ଅଞ୍ଚଳକୁ ନେଇ ଆଉ ଗୋଟିଏ ଫଟୋ ଉଠାଯାଇଛି।

ଉଲ୍ଲେଖନୀୟ ଯେ, ୩ ତାରିଖରେ ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିଥିଲା। ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ମଧ୍ୟ ଏଥିରେ ଯୋରଦାର ପ୍ରଭାବିତ ହୋଇଛି।   ଏହି ବାତ୍ୟା ୧୯୯୯ ପରେ ଓଡିଶାରେ ଆସିଥିବା ସବୁଠାରୁ ବଡ ଭୟଙ୍କର ବାତ୍ୟା ଥିଲା। ବାତ୍ୟା ଯିବାର ୬ ଦିନ ପରେ ବି ଭୁବନେଶ୍ୱର ଅନ୍ଧାରରେ ରହିଛି। ଯଦିଓ ଗତକାଲି ସୁଦ୍ଧା କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି, ତେବେ ସଂପୂର୍ଣ୍ଣ ସହରକୁ ୧୨ ତାରିଖ ସୁଦ୍ଧା ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ସରକାର କହିଛନ୍ତି।ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌ ମରାମତି କାମ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ପୂରା ପୁରୀ ଜିଲ୍ଲାକୁ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ଆହୁରି ମାସେ ଲାଗିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।

   ସମ୍ବନ୍ଧିତ ଖବର


ବିନ୍ଦୁସାଗରରେ ଡଙ୍ଗା ଭସା ମନା, କଟକଣା ଜାରି କଲା ବିଏମ୍‌ସି

ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ