୧୫୩ ସାଂସଦଙ୍କ ସମ୍ପତ୍ତି ୫ ବର୍ଷରେ ବଢିଛି ୧୪୨%, ଶତ୍ରୁଘ୍ନ ସିହ୍ନା ସବୁଠୁ ଆଗରେ

ନୂଆଦିଲ୍ଲୀ,୧୯।୩: ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ(ଏଡିଆର) ପକ୍ଷରୁ ୨୦୧୪ରେ ଦ୍ବିତୀୟ ଥର ନିର୍ବାଚିତ ହୋଇଥିବା ୧୫୩ ସାଂସଦଙ୍କ ସତ୍ୟପାଠ ଆଧାରରେ ତାଙ୍କ ସମ୍ପତ୍ତିର ବିଶ୍ଲେଷଣ କରିଛି। ୨୦୦୯ ତୁଳନାରେ ୨୦୧୪ରେ ଏହି ସାଂସଦଙ୍କ ସମ୍ପତ୍ତିରେ ୧୪୨% ବୃଦ୍ଧି ଘଟିଛି। ରିପୋର୍ଟରେ ୨୦୦୯ ଓ ୨୦୧୪ରେ ନିର୍ବାଚିତ ହୋଇଥିବା ସାଂସଦ ଏବଂ ଉପନିର୍ବାଚନରେ ଜିତିଥିବା ସାଂସଦଙ୍କ ସମ୍ପତ୍ତିର ମଧ୍ୟ ବିଶ୍ଲେଷଣ କରାଯାଇଛି। ପାଟନାର ସାହିବରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନାଙ୍କ ସମ୍ପତ୍ତି ଗତ ୫ ବର୍ଷରେ ସବୁଠାରୁ ଅଧିକ ୭୭୮% ବୃଦ୍ଧି ପାଇଛି।
ରିପୋର୍ଟ ଅନୁସାରେ, ୨୦୦୯ରେ ବିଭିନ୍ନ ଦଳର ୧୫୩ ଜଣ ସାଂସଦଙ୍କ ହାରାହାରି ସମ୍ପତ୍ତି ୫.୫୦ କୋଟି ରହିଥିଲା। ଏହା ୨୦୧୪ରେ ୧୩.୨୩ କୋଟି ହୋଇଯାଇଛି। ଅର୍ଥାତ ୨୦୦୯ରୁ ୨୦୧୪ ମଧ୍ୟରେ ସାଂସଦଙ୍କ ସମ୍ପତ୍ତିରେ ହାରାହାରି ୭.୮୧ କୋଟି ଟଙ୍କା ବୃଦ୍ଧି ହୋଇଛି। ୫ ବର୍ଷରେ ଏହି ସାଂସଦଙ୍କ ସମ୍ପତ୍ତିରେ ହାରାହାରି ୧୪୧% ବୃଦ୍ଧି ହୋଇଛି। ଏହି ସାଂସଦଙ୍କ ମଧ୍ୟରେ ବିଜେଡିର ଅଧିକାଂଶ ସାଂସଦ ରହିଛନ୍ତି।
ଶତ୍ରୁଘ୍ନ ସିହ୍ନାଙ୍କର ୨୦୦୯ରେ ୧୫ କୋଟି ଟଙ୍କାର ସମ୍ପତ୍ତି ରହିଥିଲା ତାହା ୨୦୧୪ରେ ୧୩୧ କୋଟିକୁ ବୃଦ୍ଧି ପାଇଥିଲା। ସେଭଳି (ବିଜୁ ଜନତା ଦଳ) ବିଜେଡିର ପିନାକୀ ମିଶ୍ରଙ୍କର ୨୯ କୋଟିରୁ ବୃଦ୍ଧି ପାଇଁ ୧୩୭ କୋଟି, ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି)ର ସୁପ୍ରିୟା ସୁଲେଙ୍କର ୫୧ କୋଟିରୁ ୧୧୩ କୋଟି, ବିଜେପିର ଚନ୍ଦ୍ରକାନ୍ତ ପାଟିଲଙ୍କର ୨୪ କୋଟିରୁ ୭୪ କୋଟି ଏବଂ ଏନସିପିର ଉଦୟନ ରାଜେ ଭୋସଲେଙ୍କା ୧୧ କୋଟିର ସମ୍ପତ୍ତି ବୃଦ୍ଧି ପାଇ ୬୦ କୋଟିରେ ପହଁଞ୍ଚିଛି। ସବୁଠାରୁ ଅଧିକ ବିଜେଡି (ବିଜୁ ଜନତା ଦଳ)ସାଂସଦଙ୍କ ସମ୍ପତ୍ତିରେ ୨୯୮ ପ୍ରତିଶତ ବୃଦ୍ଧି ଘଟିଛି। ଏହା ପଛକୁ ରହିଛି ତୃଣମୂଳକଂଗ୍ରେସ(୨୨୧%),ଶିବସେନା(୧୪୭%),ବିଜେପି(୧୪୦%) ଏବଂ କଂଗ୍ରେସ (୧୦୯%)। କଂଗ୍ରେସ ଅଧ୍ୟକ୍ଷ ଓ ସାଂସଦ ରାହୁଲ ଗାନ୍ଧିଙ୍କର ୨୦୦୯ ରେ ଦୁଇକୋଟି ଟଙ୍କାର ସମ୍ପତ୍ତି ବୃଦ୍ଧି ପାଇଁ ୨୦୧୪ରେ ୭ କୋଟି ହୋଇଯାଇଛି।