ଆଜି ଜାତୀୟ ଶିଶୁକନ୍ୟା ଦିବସ: ବଦଳୁଛି ଯୁଗ, ବଦଳିପାରୁନି ଚିନ୍ତାଧାରା, କେବେ ବାଲ୍ୟବିବାହ ମୁକ୍ତ ହେବ ଓଡ଼ିଶା ?

ଭୁବନେଶ୍ୱର ୨୪/୦୧: ଆଜି ଜାତୀୟ ଶିଶୁକନ୍ୟା ଦିବସ। ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ପକ୍ଷରୁ କନ୍ୟା ରତ୍ନ ଦିବସ ପାଳିତ ହୋଇ ଆସୁଛି। ଝିଅ ମାନଙ୍କ ସବୁ କ୍ଷେତ୍ରରେ ଆଗୁଆ ଏବଂ ସେମାନଙ୍କୁ ସମାଜରେ ସ୍ବତନ୍ତ୍ର ପରିଚିୟ ସୃଷ୍ଟି କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ତେବେ ବର୍ଷ ବର୍ଷ ଧରି ଶିଶୁ କନ୍ୟା ପ୍ରତି ଥିବା ନିମ୍ନ ଭାବ ଏବଂ ଅସମାନତା ବିରୋଧରେ ସଚେତନତା ସୃଷ୍ଟି କରିବା ମଧ୍ୟ ଏହାର ଲକ୍ଷ । ସମାଜରରେ ପ୍ରତିଟି କ୍ଷେତ୍ରରେ ଝିଅଙ୍କୁ ଅବହେଳା କରାଯାଉଥିଲା। ଶିକ୍ଷା ହେଉ ଅବା ଅଧିକାର ଭଲ ଖାଦ୍ୟ ହେଉ ଅବା ସ୍ବାସ୍ଥ୍ୟ ଏବଂ ସୁରକ୍ଷା କ୍ଷେତ୍ରରେ ପକ୍ଷପାତିତା ସାମ୍ନା କରି ଆସିଛି ଝିଅଟେ । ଏପରିକି ଖୁବ କମ ବୟସରେ ବାହାଘର କରାଯାଉଥିବା ନଜିର ରହିଛି । ଜାତୀୟ ସ୍ତରରେ ଝିଅଙ୍କୁ ସମାନତା ଓ ଅଧିକାର ଦେବା ପାଇଁ କନ୍ୟା ରତ୍ନ ଦିବସ ପାଳନ ହୋଇ ଆସୁଛି ।
ବଦଳୁଛି ଯୁଗ । ସବୁକିଛି ଆଧୁନିକ ହେଉଛି । କିନ୍ତୁ ଚିନ୍ତାଧାରା ବଦଳିପାରୁନି । ଏବେବି ଅନେକଙ୍କ ମନରୁ ଲିଙ୍ଗଗତ ଭେଦଭାବ ଦୂର ହେଉନି । ଝିଅ ଓ ପୁଅ ଭିତରେ ଫରକ କରିଚାଲିଛନ୍ତି । ଆଉ ଝିଅଟିଏ ଜନ୍ମ ହେଲେ ସତେ ଯେମିତି ସେମାନଙ୍କର ପିଠିରେ ବୋଝର ପାହାଡ଼ ଲଦା ହୋଇଗଲା । ଆଉ ଏଇ ବୋଝକୁ ହାଲୁକା କରିବାକୁ କମ୍ ବୟସରୁ ଝିଅମାନଙ୍କୁ ସାଂସାରିକ ଜୀବନ ଭିତରକୁ ଠେଲି ଦେଉଛନ୍ତି ପରିବାର ଲୋକେ । ଝିଅମାନେ ପାଠ ପଢ଼ିବା ବୟସରେ ବୋହୁଛନ୍ତି ପରିବାରର ଦାୟିତ୍ୱ ।
ବାଲ୍ୟବିବାହ କ୍ଷେତ୍ରରେ ଆମ ରାଜ୍ୟ ଦେଶରେ ୧୨ ତମ ସ୍ଥାନରେ ରହିଛି । ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ସରକାରୀ ସ୍ତରରେ ବିଭିନ୍ନ ପ୍ରୟାସ କରାଯାଉଛି । ଧୀରେ ଧୀରେ ଏହା ସଫଳତା ଆଡ଼କୁ ଗତି କରୁଛି । କିନ୍ତୁ ପୂରା ଶୂନକୁ ଆସିପାରିନାହିଁ ।
୨୦୨୦-୨୧ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୫) ଅନୁସାରେ ଦେଶରେ ୨୬ଟି ରାଜ୍ୟ ମଧ୍ୟରୁ ବାଲ୍ୟବିବାହ କ୍ଷେତ୍ରରେ ଓଡ଼ିଶା ୧୨ତମ ସ୍ଥାନରେ ରହିଛି । ଏନ୍ଏଫ୍ଏଚ୍ଏଚ୍-୪ ତୁଳନାରେ ଏଥରକ ମାତ୍ର ୦.୮ ପ୍ରତିଶତ ବାଲ୍ୟ ବିବାହ କମିଛି । ଓଡ଼ିଶାରେ ବର୍ତ୍ତମାନ ୨୦.୫ ପ୍ରତିଶତ ବାଲ୍ୟ ବିବାହ ହେଉଛି । ରିପୋର୍ଟ ଅନୁସାରେ ବାଲ୍ୟବିବାହରେ ରାଜ୍ୟର ୧୩ ଜିଲ୍ଲା ରାଜ୍ୟ ହାରଠୁ ଉପରେ ଅଛନ୍ତି । ସେହିପରି ୧୭ଟି ଜିଲ୍ଲା ରାଜ୍ୟ ହାରଠୁ ତଳେ ଅଛନ୍ତି । ଏମାନଙ୍କ ମଧ୍ୟରୁ ୪ଟି ଜିଲ୍ଲାରେ ବାଲ୍ୟ ବିବାହ ୧୦ ପ୍ରତିଶତ ତଳେ ରହିଛି ।
ରିପୋର୍ଟ କହୁଛି, ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ବାଲ୍ୟ ବିବାହରେ ଆଗରେ ରହିଛି । ୨୦୨୦-୨୧ରେ ନବରଙ୍ଗପୁରରେ ୩୯.୪ ପ୍ରତିଶତ ଝିଅମାନେ କମ୍ ବୟସରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନୟାଗଡ଼ରେ ୩୫.୭ ପ୍ରତିଶତ, କୋରାପୁଟରେ ୩୫.୫ ପ୍ରତିଶତ ବାଲ୍ୟବିବାହ ହୋଇଥିଲା । ରାୟଗଡ଼ାରେ ୩୩.୨, ମାଲକାନଗିରିରେ ୩୨.୪, ଗଞ୍ଜାମରେ ୨୨.୩, ମୟୂରଭଞ୍ଜରେ ୩୧.୩, ବାଲେଶ୍ୱରରେ ୨୬.୪, କେନ୍ଦୁଝରରେ ୨୯, ଦେବଗଡ଼ରେ ୧୯.୨, ଅନୁଗୁଳରେ ୨୫, ଢେଙ୍କାନାଳରେ ୨୩.୭, କଟକରେ ୧୪.୨, ଖୋର୍ଦ୍ଧାରେ ୧୭.୧, ସୁବର୍ଣ୍ଣପୁରରେ ୧୬.୯, ବୌଦ୍ଧରେ ୨୫.୩, କନ୍ଧମାଳରେ ୨୦, ଗଜପତିରେ ୨୮.୧, ବଲାଙ୍ଗିରରେ ୧୪, କଳାହାଣ୍ଡିରେ ୧୬.୩, ପୁରୀରେ ୧୦.୨, ଜଗତସିଂହପୁରରେ ୧୨, କେନ୍ଦ୍ରାପଡ଼ାରେ ୯.୪, ଭଦ୍ରକରେ ୧୦.୪, ଯାଜପୁରରେ ୧୧.୪, ସୁନ୍ଦରଗଡ଼ରେ ୧୨.୯, ଝାରସୁଗୁଡ଼ାରେ ୮.୫, ବରଗଡ଼ରେ ୮.୬, ସମ୍ବଲପୁରରେ ୭.୪ ଓ ନୂଆପଡ଼ାରେ ୧୫.୬ ପ୍ରତିଶତ ବାଲ୍ୟବିବାହ ରହିଛି ।
ଅନ୍ୟପକ୍ଷରେ, ଗତ ଏକ ବର୍ଷ ଭିତରେ ଶତାଧିକ ବାଲ୍ୟବିବାହକୁ ରୋକାଯାଇଛି । ୨୦୨୦ ନଭେମ୍ବରରୁ ୨୦୨୧ ଅକ୍ଟୋବର ମଧ୍ୟରେ ସମୁଦାୟ ୫୯୫ଟି ଗାଁ ବାଲ୍ୟବିବାହ ମୁକ୍ତ ହୋଇପାରିଛି । କିନ୍ତୁ ଏସବୁ ସତ୍ତେ୍ୱ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଲିଙ୍ଗଗତ ଭେଦଭାବ ଦୂର ହେଲେ ହିଁ ରାଜ୍ୟ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ ହୋଇପାରିବ ।