ଜାତୀୟ ଜୁନିୟର ହକି: ସେମି ଫାଇନାଲ୍ରେ ଓଡ଼ିଶା

ଭୁବନେଶ୍ୱର, ୨୫ ।୨ (ବ୍ୟୁରୋ): ହକି ଇଣ୍ଡିଆ ଆନୁକୂଲ୍ୟରେ ଔରଙ୍ଗାବାଦରେ ଚାଲିଥିବା ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିଅନସିପ୍ (ଡିଭିଜନ ଏ’)ରେ ଓଡ଼ିଶା ଦଳ କ୍ୱାର୍ଟରରେ ବିଜୟୀ ହୋଇ ସେମି ଫାଇନାଲ୍ରେ ପ୍ରବେଶ କରିଛି । ଆସନ୍ତା ୨୭ ତାରିଖରେ ଓଡ଼ିଶା ପ୍ରଥମ ସେମିରେ ମଧ୍ୟ ପ୍ରଦେଶକୁ ଭେଟିବ ।
ହକି ଗାଙ୍ଗପୁର ଓ ଓଡ଼ିଶା ମଧ୍ୟରେ କ୍ୱାର୍ଟର ଫାଇନାଲ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଓଡ଼ିଶା ୩-୨ ଗୋଲ୍ରେ ବିଜୟୀ ହୋଇଥିଲା । ମ୍ୟାଚ୍ ବେଶ ସଂର୍ଘପୂର୍ଣ୍ଣ ହୋଇଥିଲା । ତଥାପି ଆରମ୍ଭରୁ ଓଡ଼ିଶା ଦଳର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ଖେଳର ନବମ ମିନିଟ୍ରେ ଅଜୟ ଏକ୍କା ଦଳକୁ ପ୍ରଥମ ଗୋଲ୍ ଭେଟି ଦେଇଥିଲେ । ପ୍ରଥମ କ୍ୱାର୍ଟରରେ ଓଡ଼ିଶା ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ଓଡ଼ିଶା ୨ଟି ଗୋଲ୍ ସ୍କୋର କରିଥିଲା । ପ୍ରଦୀପ ଲାକ୍ରା ୨୦ ଓ ୨୮ ମିନିଟ୍ରେ ଏହି ଦୁଇଟି ଗୋଲ୍ ସ୍କୋର କରିବା ଦ୍ୱାରା ଓଡ଼ିଶାର ସ୍ଥିତି ବେଶ ମଜବୁତ ହୋଇ ଯାଇଥିଲା । ପ୍ରଥମାର୍ଦ୍ଧ ଖେଳ ଶେଷ ହେବା ବେଳକୁ ଗାଙ୍ଗପୁର ଗୋଟିଏ ଗୋଲ୍ ପରିଶୋଧ କରିଥିଲା । ୨୫ତମ ମିନିଟ୍ରେ ଏହି ଗୋଲ୍ଟି ସ୍କୋର କରିଥିଲେ ସୁଦୀପ ଚିରମାକୋ ।
ତୃତୀୟ କ୍ୱାର୍ଟରରେ ଗାଙ୍ଗପୁର ଆଉ ଗୋଟିଏ ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲା । ୪୦ତମ ମିନିଟ୍ରେ ପୁରନ କେର୍କେଟା ଏହି ଗୋଲ୍ଟି କରି ମ୍ୟାଚ୍କୁ ୨-୩ ସ୍ଥିତିକୁ ନେଇ ଆସିଥିଲେ । ମାତ୍ର ଖେଳର ପରବର୍ତ୍ତୀ ସମୟରେ ଆଉ ଗୋଲ୍ ସମ୍ଭବ ନ ହେବାରୁ ଓଡ଼ିଶା ୩-୨ ଗୋଲରେ ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲା ।