ଜାତୀୟ ଜୁନିୟର ହକି: ଓଡ଼ିଶା-ଉତ୍ତର ପ୍ରଦେଶ ଫାଇନାଲ୍

ଭୁବନେଶ୍ୱର, ୨୭ ।୨ (ବ୍ୟୁରୋ): ହକି ଇଣ୍ଡିଆ ଆନୁକୂଲ୍ୟରେ ଔରଙ୍ଗାବାଦରେ ଚାଲିଥିବା ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିଅନସିପ୍ (ଡିଭିଜନ ଏ’)ରେ ଓଡ଼ିଶା ଦଳ ଫାଇନାଲ୍ରେ ପ୍ରବେଶ କରିଛି । ପ୍ରଥମ ସେମି ଫାଇନାଲରେ ଓଡ଼ିଶା ୪-୨ (ସୁଟ ଆଉଟ୍) ଗୋଲ୍ରେ ମଧ୍ୟପ୍ରଦେଶକୁ ପରାଜିତ କରିଥିଲା । ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ରେ ଦଳ ଉତ୍ତର ପ୍ରଦେଶକୁ ଭେଟିବ । ଦ୍ୱିତୀୟ ସେମିରେ ଉତ୍ତର ପ୍ରଦେଶ ୪-୦ରେ ହରିଆନାକୁ ହରାଇଥିଲା ।
ପ୍ରଥମ ସେମି: ଓଡ଼ିଶା ଓ ମଧ୍ୟପ୍ରଦେଶ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଖେଳ ଗୋଲଶୂନ୍ୟ ରହିଥିଲା । ୪ଟି କ୍ୱାର୍ଟରରେ କେହି କାହାକୁ ଗୋଲ୍ ଦେଇ ପାରି ନଥିଲେ । ଶେଷରେ ମ୍ୟାଚ୍ର ଫଳାଫଳ ସୁଟ୍ ଆଉଟ୍ରେ ନିର୍ଣ୍ଣୟ ହୋଇଥିଲା । ଓଡ଼ିଶା ୪-୨ ଗୋଲ୍ରେ ବିଜୟୀ ହୋଇଥିଲା । ଓଡ଼ିଶା ପକ୍ଷରୁ ପ୍ରକାଶ ଧୀର, ଲାବନ ଲୁଗୁନ, ସୁନିତ ଲାକ୍ରା ଓ ଅଧିନାୟକ କ୍ରିଷ୍ଣା ତୀର୍କୀ ଗୋଲ୍ ସ୍କୋର କରିଥିଲେ । ଓଡ଼ିଶା ଗୋଲ୍କିପର ଧନରାଜ ହେମନ ଅତି ଚମତ୍କାର ପ୍ରଦର୍ଶନ କରି ଗୋଲ୍ ଅଟକାଇବାରେ ସଫଳ ହୋଇଥିଲେ । ତେଣୁ ମଧ୍ୟପ୍ରଦେଶ ୨-୪ ରେ ପରାସ୍ତ ହୋଇଥିଲା ।
ଦ୍ୱିତୀୟ ସେମି: ଉତ୍ତର ପ୍ରଦେଶ ଏକତରଫା ଭାବେ ଏହି ମ୍ୟାଚ୍କୁ ବିଜୟୀ ହୋଇଥିଲା । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳକୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିଥିଲେ ଉତ୍ତର ପ୍ରଦେଶ ଖେଳାଳି । ୟୁପିର ଶିବମ ଆନନ୍ଦ ଚମତ୍କାର ପ୍ରଦର୍ଶନ କରି ୪୮,୫୨ ଓ ୫୮ ମିନିଟ୍ରେ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ । ପୂର୍ବରୁ ୨୬ତମ ମିନିଟ୍ରେ ଅଜୟ ଯାଦବ ପ୍ରଥମ ଗୋଲ୍ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ହରିଆନା ଖେଳାଳି ବହୁ ପ୍ରୟାସ କରି ମଧ୍ୟ ଗୋଲ୍ ଖାତା ଖୋଲିବାରେ ସଫଳ ହୋଇ ପାରି ନଥିଲେ । ଶେଷରେ ୦-୪ ଗୋଲ୍ରେ ପରାଜିତ ହୋଇ ଦଳ ଫାଇନାଲ୍ ଖେଳିବାରୁ ସୁଯୋଗ ହରାଇଥିଲା । ହରିଆନା ଓ ମଧ୍ୟପ୍ରଦେଶ ବ୍ରୋଞ୍ଜ ପଦକ ପାଇଁ ଖେଳିବେ ।