ଜାତୀୟ ଜୁନିୟର ମହିଳା ହକି: ବିହାରକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୨ ।୨ (ବ୍ୟୁରୋ): କେରଳରେ ଚାଲିଥିବା ହକି ଇଣ୍ଡିଆ ମହିଳା ଜାତୀୟ ଜୁନିୟର ହକି (ଡିଭିଜନ-ଏ)ରେ ଆଜି ଓଡ଼ିଶା ୯-୦ ଗୋଲରେ ବିହାରକୁ ପରାଜିତ କରିଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଓଡ଼ିଶା ୩ଟି ଲେଖାଏଁ ଗୋଲ୍ ସ୍କୋର କରି ମ୍ୟାଚ୍ ବିଜୟୀ ହୋଇଥିଲା ।
ଷଷ୍ଠ ମିନିଟ୍ରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ ନେହା ଲାକ୍ରା । ସେ ପୁଣି ୨୨ତମ ମିନିଟ୍ରେ ଦ୍ୱିତୀୟ ଗୋଲ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୨୮, ୩୨ ଓ ୩୮ତମ ମିନିଟ୍ରେ ଅବିନାସା ସୁରିନ, ନବମ ମିନିଟ୍ରେ ମନୀଷା ମିଞ୍ଜ, ୧୩ ମିନିଟରେ ସରିତା କେର୍କେଟା ଓ ୨୫ତମ ମିନିଟ୍ରେ ରଶ୍ମୀ କିଷାନ ଗୋଲ୍ ସ୍କୋର କରିଥିଲେ । ଖେଳର ଚତୁର୍ଥ କ୍ୱାର୍ଟରଟି ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ବିହାର ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଉଦ୍ୟମ କରିଥିଲା । ମାତ୍ର ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ଗୋଲ୍ ଖାତା ଖୋଲି ପାରି ନଥିଲା । ଅନ୍ୟ ମ୍ୟାଚ୍ ଗୁଡ଼ିକରେ ହକି ପଟିଆଲା ୩-୧ରେ ଭୋପାଳକୁ ଓ ଆନ୍ଧ୍ର ୨-୧ରେ ଆସାମକୁ ପରାଜିତ କରିଥିଲା ।