ସୋଆରେ ୪ ଦିନିଆ ନ୍ୟାସନାଲ୍‌ ମାଷ୍ଟର କ୍ଲାସ୍‌ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ: ହାଇ ମେଗା ପିକ୍ସେଲ୍‌ ମୋବାଇଲ୍‌ ଓ ଟାୱାର ମଣିଷର କ୍ଷତି କରୁଛି

ଭୁବନେଶ୍ୱର,୧୪ ।୩(ବ୍ୟୁରୋ): ମୋବାଇଲ୍‌ ଟାୱାର ଏବଂ ଅଧିକ ମେଗା ପିକ୍ସେଲ୍‌ ମୋବାଇଲ୍‌ ଫୋନ୍‌ ଆମ ଶରୀର ପାଇଁ କ୍ଷତିକାରକ । ଏହା ଦ୍ୱାରା ଉଭୟ ଶରୀର ଏବଂ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ । ଏହାର କୁପ୍ରଭାବ ଦ୍ୱାରା ମଣିଷ ଅଧିକ ବିରକ୍ତିଭାବ ପ୍ରକାଶ କରିଥାଏ । ମଣିଷ ମନରେ ଏକାଗ୍ରତା ଆସିପାରି ନଥାଏ । ମାନସିକ ଭାବେ ସ୍ଥିର ରହିପାରେନାହିଁ । ତେବେ ଏନେଇ ଆମ ଦେଶରେ ସ୍ୱତନ୍ତ୍ର ଗାଇଡଲାଇନ୍‌ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍ୱାସ୍ଥ୍ୟ ନିର୍ଦ୍ଦଶେକ ଡ. ଅଶୋକ ମହାପାତ୍ର ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ୍‌ ସାଇନ୍ସ (ଆଇଡିଏସ୍‌) ଏବଂ ଆସୋସିଏସନ୍‌ ଅଫ୍‌ ଓରାଲ୍‌ ଆଣ୍ଡ ମାକ୍ସିଲୋଫେସିଆଲ୍‌ ସର୍ଜନ୍ସ ଅଫ୍‌ ଇଣ୍ଡିଆ, ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୪ ଦିନିଆ ନ୍ୟାସନାଲ୍‌ ମାଷ୍ଟର କ୍ଲାସ୍‌ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଏହି ସଚେତନତାର ବାର୍ତ୍ତା ଦେଇଛନ୍ତି ଡ. ମହାପାତ୍ର । ୨୦୦୫ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗାଇଡଲାଇନ୍‌ ଅନୁଯାୟୀ ସ୍କୁଲ, କଲେଜ, ହସ୍ପିଟାଲ୍‌ ଏବଂ ମାର୍କେଟ ଅଞ୍ଚଳର ୫୦ ମିଟର୍‌ ମଧ୍ୟରେ ମୋବାଇଲ୍‌ ଟାୱାର୍‌ ରହିବା ଅନୁଚିତ୍‌ । ୧୫ ମିଟର ମଧ୍ୟରେ ସୃଷ୍ଟି ହେଉଥିବା ରେଡିଏସନ୍‌ ମଧ୍ୟ ଅନେକ କ୍ଷତିକାରକ । ଏହାକୁ ସେଲ୍‌ ପାୱାର ନର୍ମ କୁହାଯାଇଥାଏ ।
ସେହିପରି ଅଧିକ ଶକ୍ତିଶାଳୀ ମୋବାଇଲ୍‌ ଫୋନ୍‌ ଦ୍ୱାରା ମଣିଷର ଶରୀର ମଧ୍ୟ ଅଧିକ କ୍ଷତି ହୋଇଥାଏ । ୩୦୦ ରୁ ଅଧିକ ଫ୍ରିକ୍ୱେନ୍ସିର ଭାଇବ୍ରେସନ୍‌ ହେଲେ ଶରୀରରେ କ୍ଷତି ଘଟିଥାଏ । ଅନେକ ବ୍ୟକ୍ତି ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ଗୋଟିଏରୁ ତିନୋଟି ଲେଖାଏଁ ମୋବାଇଲ୍‌ ରଖି ଶୋଇଥାନ୍ତି । ଏହାର ପରିଣାମ ବେଶ୍‌ ଭୟଙ୍କର ହୋଇପାରେ ବୋଲି ଚେତାଇ ଦେଇଛନ୍ତି ଡ. ମହାପାତ୍ର । ସେହିପରି ହସ୍ପିଟାଲ୍‌, ମାର୍କେଟ, ସ୍କୁଲ୍‌ ଏପରିକି ନିଜ ଘର ଉପରେ ମୋବାଇଲ୍‌ ଟାୱାର୍‌ ନ ଲଗାଇବା ନେଇ ସଚେତନ କରାଇଛନ୍ତି ଡ. ମହାପାତ୍ର । ତେବେ ଏଥି ନିମନ୍ତେ ସ୍ୱତନ୍ତ୍ର ଗାଇଡ୍‌ଲାଇନର ଉପଯୋଗ ହେଉ ନାହିଁ ବୋଲି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଦ’ ଚିକିତ୍ସା ବିଭାଗର ତୃତୀୟ, ଚତୁର୍ଥ ବର୍ଷ ଏବଂ ଡେଣ୍ଟାଲ୍‌ ପିଜି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ଡ. ମହାପାତ୍ର କହିଛନ୍ତି, ୧୯୭୦ ମସିହାରେ ଓଡ଼ିଶାରେ ମାତ୍ର ୨ ଜଣ ଡେଣ୍ଟାଲ୍‌ ସର୍ଜନ ଥିଲେ । ମାତ୍ର ଏବେ ଏହାର ସଂଖ୍ୟା ୨୦୦୦ ଟପିଲାଣି । ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି ଅଧିକ ପଢ଼ିବା ଦ୍ୱାରା ଅଧିକ ମାତ୍ରାରେ ଜ୍ଞାନ ଆହରଣ କରିହେବ । ଏହି ମାଷ୍ଟର କ୍ଲାସ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଡିଏସ୍‌ ଡିନ୍‌ ପ୍ରଫେସର ନୀତା ମହାନ୍ତ କିହିଛନ୍ତି, ଏହାଦ୍ୱାରା ଛାତ୍ରଛାତ୍ରୀମାନେ ତାଙ୍କର ଜ୍ଞାନ ଏବଂ ଦକ୍ଷତାକୁ ଅଧିକ ପ୍ରସ୍ଫୁଟିତ କରିପାରିବେ । ଦେଶର ଅନେକ ଦକ୍ଷ ଏବଂ ଜ୍ଞାନୀ ବକ୍ତାଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ସେମାନଙ୍କଠାରୁ ଛାତ୍ରଛାତ୍ରୀମାନେ ଅନେକ କିଛି ଜ୍ଞାନ ଆହରଣ କରିପାରିବେ ବୋଲି ପ୍ରଫେସର ମହାନ୍ତି କହିଛନ୍ତି । ଏହି ଅବସରରେ ଆଇଡିଏସ୍‌ର ଓରାଲ୍‌ ସର୍ଜରୀ ବିଭାଗର ମୁଖ୍ୟ ଡ. ଶୋଭନ୍‌ ମିଶ୍ର ଏବଂ ହାଇଟେକ୍‌ ଡେଣ୍ଟାଲ୍‌ କଲେଜର ଡିନ୍‌ ଡ. ସଂଗ୍ରାମ ପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ମାଷ୍ଟର କ୍ଲାସ୍‌ରେ ଦେଶର ବିଭିନ୍ନ ଡେଣ୍ଟାଲ୍‌ କଲେଜର ପ୍ରାୟ ୭୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା