ନବୀନ ଖୋଲିଲେ ଗୁମର, ‘ମୋ ଅସୁସ୍ଥତା ଖବର ପଛରେ ବୈଜୟନ୍ତଙ୍କ ଷଡ଼ଯନ୍ତ୍ର’

ଭୁବନେଶ୍ୱର,୮ ।୪(ବ୍ୟୁରୋ): ‘ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି । ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜାତୀୟ ଗଣମାଧ୍ୟମରେ ମିଛ ଅପପ୍ରଚାର କରାଯାଇଥିଲା । ରାଜନୈତିକ ଉଚ୍ଚାଭିଳାଷକୁ ପୂରଣ କରିବାକୁ ଏଭଳି ଷଡ଼ଯନ୍ତ୍ର ହୋଇଥିଲା । ଏହା ପଛରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଥିଲେ ।’
ଏକ ଜାତୀୟ ଟେଲିଭିଜନ ଚାନେଲକୁ ସାକ୍ଷାତକାରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ନବୀନ କହିଛନ୍ତି, ଅମଲାଙ୍କ ଦ୍ୱାରା ଶାସନ ପରିଚାଳିତ ହେଉଛି ବୋଲି ଚର୍ଚ୍ଚା ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର । ମୁଁ ଓ ମୋ ମନ୍ତ୍ରୀମାନେ ନିଷ୍ପତ୍ତି ନେଉଛୁ । ଆପଣଙ୍କ ଉତ୍ତରାଧିକାରୀ କିଏ? ଏ ପ୍ରଶ୍ନରେ ନବୀନ କହିଛନ୍ତି, ତାହା ଓଡ଼ିଶାବାସୀ ନିଷ୍ପତ୍ତି ନେବ ।
ପୂର୍ବରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅପପ୍ରଚାର ଚାଲିଛି । ସାଂସଦ ବୈଜୟନ୍ତ ଏହା କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରି ଆସୁଥିଲା । ଦୁଇ ଦିନ ତଳେ ନବୀନଙ୍କର ଏକ ଫିଟନେସ୍ ଭିଡିଓ ଗଣମାଧ୍ୟମରେ ଜାରି ହୋଇଥିଲା । ନିର୍ବାଚନ ସମୟରେ ହଠାତ୍ ନବୀନଙ୍କ ୱାର୍କଆଉଟ୍ ଭିଡିଓକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ମାତ୍ର ଏହା ପଛରେ ବୈଜୟନ୍ତ ଥିଲେ ବୋଲି ନବୀନ ସ୍ପଷ୍ଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।
ସାକ୍ଷାତକାରରେ ନବୀନ କହିଛନ୍ତି, ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଦଳରେ ମୋ ସ୍ଥାନ ନେବାକୁ ବେଶ୍ ବ୍ୟଗ୍ର ଥିଲେ । ତେଣୁ ଜାତୀୟ ଗଣମାଧ୍ୟମରେ ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଏମିତି ମିଛ ଅପପ୍ରଚାର କରିଥିଲେ । କେବଳ କ୍ୟାମେରା ଆଗରେ ସେ ଫିଟନେସ୍ ଭିଡିଓ ସୁଟ୍ କରୁନାହାନ୍ତି, ନିୟମିତ ନିଜକୁ ଫିଟ୍ ରଖିବାକୁ ଜଗିଂ ଅଭ୍ୟାସ କରୁଛନ୍ତି ।
ନବୀନ ଆହୁରି କହିଛନ୍ତି, ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତା ଅବଲମ୍ବନ କରୁଛି । ଚଳିତ ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରିବନି । ତେଣୁ କେନ୍ଦ୍ରରେ ସରକାର ଗଠନରେ ବିଜେଡି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ଉପା-ଏନଡିଏ ମଧ୍ୟରେ ନିର୍ବାଚନରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଏନଡିଏ ହେବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି ।
ନବୀନଙ୍କ ଏଭଳି ମନ୍ତବ୍ୟର ଜବାବ ରଖିଛନ୍ତି ବୈଜୟନ୍ତ । ସେ ଟ୍ୱିଟ୍ କରିଛନ୍ତି, ନବୀନଙ୍କ ଏଭଳି ବିବୃତ୍ତି ହାସ୍ୟାସ୍ପଦ ଓ ମିଛ । ତାଙ୍କ ବାବଦରେ ନବୀନ ଯାହା କହିଛନ୍ତି ତାହା ଆଦୌ ଠିକ୍ ନୁହେଁ । ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ତାଙ୍କୁ ଏଭଳି ମିଛ ଷଡ଼ଯନ୍ତ୍ରରୁ ବିରତ ରଖିବା ସହ ସୁସ୍ଥ ରଖିବା ସହ ସଦ୍ବୁଦ୍ଧି ଦିଅନ୍ତୁ ।