ଜୀବନର ଶେଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼/ବରପାଲି/ବିଜେପୁର/ସର୍ଗିବାହାଲ,୧୬ା୪ (ଆପ୍ର): ଧାନର ସର୍ବନିମ୍ନ ସହାୟକ ଦର ଦୁଇଗୁଣ ବୃଦ୍ଧି କରିବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିବା ବିଜେପି ସରକାରକୁ ଆସିବା ପରେ ଭୁଲିଗଲେ । ଓଡ଼ିଶାର ବିଧାୟକମାନେ ପ୍ରତିଶ୍ରୁତିି ମନେ ପକାଇ ଦେଇଥିଲେ ବି କେହି ଶୁଣିଲେନି । ବିଧାନସଭା ଗୃହକମିଟିକୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଭେଟିବାକୁ ସମୟ ଦେଲେନି । ବୟନଶିଳ୍ପ କ୍ଷେତ୍ରରେ ଜିଏସଟି ନେଇ ରାଜ୍ୟ ସରକାର ଆପତ୍ତି କରିବାରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ ନକରି କିଛିମାତ୍ରାରେ କମାଇ ଦେଇଥିଲେ ।

କୋସଲୀ-ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ବି ଆଜିଯାଏଁ କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିନାହାନ୍ତି । ଏଭଳି କୋଇଲା, ଖଣିଜ ସମ୍ପଦ ଆଦି ଅନେକ କ୍ଷେତ୍ର ସମେତ ଧାନର ସର୍ବନିମ୍ନ ସହାୟକ ଦର ବୃଦ୍ଧି ଓ କୋସଲୀ/ସମ୍ବଲପୁରୀ ଭାଷାର ମାନ୍ୟତା କ୍ଷେତ୍ରରେ ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଅଥଚ କେନ୍ଦ୍ର ସରକାରଙ୍କ ଦୁଇ ପ୍ରଭାବଶାଳୀ ବିଭାଗରେ ଥିବା ଦୁଇଜଣ ମନ୍ତ୍ରୀ ଏଭଳି ପାତରଅନ୍ତର ଏବଂ ଅନ୍ୟାୟ ବିରୋଧରେ ମୁହଁ ଖୋଲିନାହାନ୍ତି । ନିର୍ବାଚନ ଆସିଲେ ବଡ଼ ବଡ଼ କଥା କହୁଥିବା ଏଭଳି ନେତାମାନେ ନୁହନ୍ତି, ବିଜେଡି ହିଁ ଓଡ଼ିଶାର ଉନ୍ନତି ଚିନ୍ତା କରିଆସିଛି । ସାଢ଼େ ଚାରିକୋଟି ଓଡ଼ିଆ ହେଉଛନ୍ତି ମୋର ପରିବାର । କାହାରି କୌଣସି ଅସୁବିଧା ହେବାକୁ ଦେବିନାହିଁ, ଜୀବନର ଶେଷ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଓଡ଼ିଆଙ୍କ ସେବା କରିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ବରଗଡ଼ ଜିଲ୍ଲା ରହଣିର ଦ୍ୱିତୀୟ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୋଫାନୀ ଗସ୍ତ କରି ବରଗଡ଼ ନିର୍ବାଚନ ମଣ୍ଡଳୀ ସମେତ ତାଙ୍କ ନିଜ ଆସନ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରପାଲି, ବିଜେପୁର ଓ ଗାଇସିଲାଟ ବ୍ଲକରେ ଭୋଟପ୍ରଚାର କରିଥିଲେ । ବରଗଡ଼ ଲୋକମଣ୍ଡପ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କାଳିଆ ଯୋଜନାକୁ ରୋକି ଦେଇଥିବା ବିଜେପିକୁ ତୀବ୍ର ସମାଲୋଚନା କରି ମୁଁ ବଞ୍ଚିଥିବା ଯାଏଁ କାଳିଆକୁ କେହି ରୋକି ପାରିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଯେଉଁଦିନ ବିଜେଡି ସରକାରକୁ ଫେରି ଶପଥ ନେବ, ସେହିଦିନ ହିଁ ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟରେ ଦୁଇକିସ୍ତିର ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଜମା କରି ତାଙ୍କ ପରିବାରବର୍ଗଙ୍କ ମୁହଁରେ ହସ ଫୁଟାଇବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରି ବିଜେଡିକୁ ପୁଣିଥରେ ସମର୍ଥନ କରିବାକୁ ଆହ୍ୱାନ ଦେଇ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କ ପାଇଁ ଭୋଟଭିକ୍ଷା କରିଥିଲେ ।

ବରଗଡ଼ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ସଭା ସଂଯୋଜନା କରିଥିଲେ । ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଉଦବୋଧନ ଦେଇଥିଲେ ।  ଦ୍ୱିତୀୟ ସଭା ଭାବେ ବରପାଲି ନିର୍ବାଚନୀ ସଭାକୁ ସମ୍ବାଧିତ କରି ଶ୍ରୀ ପଟ୍ଟନାୟକ ବିଜେଡିକୁ ସମର୍ଥନ କରିବାକୁ ନିବେଦନ କରି ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବିଜେପୁର ବିଧାନସଭା ଆସନରୁ ନିଜେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଭୋଟଭିକ୍ଷା କରିଥିଲେ । ସଭାରେ ବିଧାୟିକା ରୀତା ସାହୁଙ୍କ ସମେତ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ବିଜେପୁର କଲେଜ ପଡ଼ିଆରେ ଅନୁଷ୍ଠିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏଠିକାର ଲୋକଙ୍କ ଆତ୍ମୀୟତା ମୋତେ ମୁଗ୍ଧ କରିଛି । ମୋ ନିର୍ବାଚନମଣ୍ଡଳୀରେ ସଭିଏଁ ମୋତେ ସମର୍ଥନ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏତେ ଖରାରେ ଆସିଥିବାରୁ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇ ବିଜେପୁରର ବିକାଶ ମୋର ଦାୟିତ୍ୱ ଏବଂ ବିଜେପୁର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଜନତା ମୋର ପରିବାର ବୋଲି କହିଥିଲେ । ଏ ଅବସରରେ ବିଧାୟିକା ରୀତା ସାହୁ, ଭୀଷ୍ମଦେବ ସରାଫ, ରାଜକୁମାରୀ ମହାପାତ୍ର, ମାନନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଗାଇସିଲାଟ ସଭାରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ ବିଜେପି ସରକାରଙ୍କ ଚକ୍ରାନ୍ତ ଯୋଗୁଁ କାଳିଆ ଟଙ୍କା ପ୍ରଦାନ ବର୍ତ୍ତମାନ ସମ୍ଭବପର ହୋଇପାରିଲା ନାହିଁ ବୋଲି ସୂଚନା ଦେଇଥିଲେ । ମାତ୍ର କେଇଘଣ୍ଟା ମଧ୍ୟରେ ବରଗଡ଼ ସମେତ ନିଜେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପୁର ବିଧାନସଭା ଆସନର ତିନି ବ୍ଲକରେ ଭୋଟ ପ୍ରଚାର କରି ମୁଖ୍ୟମନ୍ତ୍ରୀ ରାଉରକେଲା ଫେରି ଯାଇଥିଲେ ।

   ସମ୍ବନ୍ଧିତ ଖବର


କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର