ଜୟଦେବରେ ନବୀନ: ବିଜେପି ଉପରେ ବର୍ଷିଲେ, ଭୋଟ୍ ମାଗିଲେ

ଭୁବନେଶ୍ୱର/ବାଲିପାଟଣା,୨୧ା୪(ବ୍ୟୁରୋ): ମଙ୍ଗଳବାର ଭୋଟ୍ । ଆଜି ଥିଲା ପ୍ରଚାରର ଶେଷ ଦିନ । ଏଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପହଞ୍ଚିଥିଲେ ଜୟଦେବରେ । ନିର୍ବାଚନୀ ସଭାରେ ନବୀନ ବର୍ଷିଥିଲେ ବିଜେପି ଉପରେ । ଆରମ୍ଭରୁ ଉଠାଇଥିଲେ କେନ୍ଦ୍ର ଅବହେଳା ପ୍ରସଙ୍ଗ । କଟାକ୍ଷ ବି କରିଥିଲେ ବିଜେପିକୁ । ଶେଷରେ ବିଜେଡିକୁ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ ନବୀନ ।
ରବିବାର ଅପରାହ୍ନରେ ଜୟଦେବ ନିର୍ବାଚନମଣ୍ଡଳୀର ବାଲିପାଟଣାଠାରେ ଆୟୋଜିତ ହୋଇଥିଲା ସାଧାରଣ ସଭା । ସଭାରେ ଉପସ୍ଥିତ ଥିଲେ ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲି । ହଜାର ହଜାର ସଂଖ୍ୟାରେ କର୍ମକର୍ତ୍ତା ଓ ସାଧାରଣ ଲୋକେ ଉପସ୍ଥିତ ଥିଲେ । ହେଲିପକ୍ଟରରେ ପହଞ୍ଚିଲେ ନବୀନ । ଉପସ୍ଥିତ କର୍ମକର୍ତ୍ତା ନାରାବାଜିରେ କମ୍ପାଇଦେଲେ ।
ନବୀନଙ୍କ ଭାଷଣ ଥିଲା ଆକ୍ରାମଣାତ୍ମକ । ବିଜେପିକୁ ଯେତିକି ଆକ୍ରମଣ କରୁଥିଲେ, ସେତିକି କଟାକ୍ଷ ବି କରିଥିଲେ । ନବୀନ କହିଲେ, ଓଡ଼ିଶାରେ ବନ୍ୟା ହେଲା, କେନ୍ଦ୍ରରୁ କେହି ଆସିଲେନି । ଫାଇଲିନ୍ବେଳେ ବି ଆସିଲେନି । ମରୁଡି ପଡ଼ିଲା । ହୁଡ୍ହୁଡ୍ ଓ ତିତ୍ଲି ହେଲା । ତଥାପି କେହି ଆସିଲେ ନାହିଁ । ଏବେ ଭୋଟ୍ ପାଇଁ ଓଡ଼ିଶା ବୁଲି ଆସିଛନ୍ତି । ଦିନକୁ ଡର୍ଜନେ ବିଜେପି ନେତାମାନେ ଭୋଟ୍ ପାଇଁ ଓଡ଼ିଶା ଭ୍ରମଣରେଆସୁଛନ୍ତି । ସେମାନେ କେବଳ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ଟୁରିଷ୍ଟଙ୍କ ପରି ଫଟୋ ଉଠାଉଛନ୍ତି । ଓଡ଼ିଶାବାସୀ ସେମାନଙ୍କୁ କେବେ ଗୁରୁତ୍ୱ ଦିଅନ୍ତି ନାହିଁ ।
ନବୀନ ଆହୁରି କହିଲେ, ‘କାଳିଆ’ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ହେଲେ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମାତ୍ର ସେ ଥିବା ପର୍ଯ୍ୟନ୍ତ ‘କାଳିଆ’ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜେଡି ସରକାର ଆସିବାର ପ୍ରଥମ ଦିନରେ ସବୁ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବ । ବିଜେଡି ସରକାର ମହିଳାମାନଙ୍କୁ ସେମାନଙ୍କ ହକ୍ ଦେଇଛି । ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍ ଇଞ୍ଜିନ୍ ।
ନବୀନ କହିଲେ, ଏଥର ନିର୍ବାଚନରେ କୌଣସି ଜାତୀୟ ଦଳ କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ । ବିଜେପି ସବୁ ରାଜ୍ୟରେ ହାରୁଛି । ଆଞ୍ଚଳିକ ଦଳଗୁଡ଼ିକ ଏଥର କିଙ୍ଗ୍ ମେକର୍ ହେବେ । କେନ୍ଦ୍ର ସରକାର ଗଠନରେ ଓଡ଼ିଶାର ବହୁତ ବଡ଼ ଭୂମିକା ରହିଛି ।
ଶେଷରେ ନବୀନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । କହିଲେ, ସାଢ଼େ ୪ କୋଟି ଓଡ଼ିଶାବାସୀ ମୋର ପରିବାର । ସବୁବେଳେ ଆପଣମାନଙ୍କ ସାଥୀରେ ରହିଛି । ଆପଣମାନେ ଆଶୀର୍ବାଦ କରନ୍ତୁ । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ପାଇଁ ଅନୁରୋଧ କରିଥିଲେ ନବୀନ ।