ଜୟ ଜଗନ୍ନାଥ… ଆପଣମାନେ ଖୁସି ତ… ରାଜଧାନୀରେ ନବୀନ ସୋ’

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ରାଜଧାନୀରେ ନବୀନଙ୍କ ମାରାଥନ୍‌ ରୋଡ୍‌ ସୋ’ । ସନ୍ଧ୍ୟାରେ ଏକାମ୍ରରୁ ଆରମ୍ଭ କଲେ ପ୍ରଚାର । ମଧ୍ୟ ଭୁବନେଶ୍ୱର ବୁଲି ଶେଷରେ ଉତ୍ତର ନିର୍ବାଚନମଣ୍ଡଳୀରେ ସାରିଲେ । ରୋଡ୍‌ ସୋ’ ମାଧ୍ୟମରେ ରାଜଧାନୀରେ ପ୍ରାୟ ୩ ଘଣ୍ଟା କାଳ ଜୋରଦାର ପ୍ରଚାର କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ପ୍ରଚାରରେ ଭୁବନେଶ୍ୱରର ତିନୋଟି ଯାକ ନିର୍ବାଚନମଣ୍ଡଳୀର ବିଜେଡି ଶିବିରରେ ଉତ୍ସାହ ଭରିଯାଇଛି ।

ଜଟଣୀରେ ପ୍ରଚାର ସାରିବା ପରେ ନବୀନ ରୋଡ୍‌ ସୋ’ କରି ଆସିଥିଲେ ରାଜଧାନୀକୁ । ଖଣ୍ଡଗିରିରୁ ପ୍ରବଳ ଭିଡ଼ ଜମିଥିଲା ନବୀନଙ୍କ ରୋଡ୍‌ ସୋ’ ପାଇଁ । ନବୀନଙ୍କୁ ଦେଖିବା ପାଇଁ ରାସ୍ତାରେ ଯାଉଥିବା ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖା ଯାଇଥିଲା । ନବୀନ ବସ୍‌ ଭିତରୁ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଉଥିଲେ । ଜାଗମରାକୁ ନବୀନଙ୍କ ବସ୍‌ ମୁହାଁଇବା ପରେ ଜିନ୍ଦାବାଦ୍‌, ହୁଳହୁଳିରେ କମ୍ପିଥିଲା ଅଞ୍ଚଳ । ନବୀନଙ୍କ ଆଗେ ଆଗେ ଆସିଥିଲେ ଓଲିଉଡ୍‌ ସିନେ ତାରକା ସୁପ୍ରିୟା, ଚାନ୍ଦିନୀ ଓ ରାଇମୋହନ । ଆଉ ଏକ ଖୋଲା ଜିପ୍‌ରେ ଥିଲେ ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ଏକାମ୍ରର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ।

ଜାଗମରା ଟ୍ରାଫିକ୍‌ ଛକରେ ପ୍ରବଳ ଭିଡ଼ ଜମିଥିଲା । ଦଳୀୟ କର୍ମକର୍ତ୍ତାଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଓ ମହିଳା ବି ଥିଲେ । ସନ୍ଧ୍ୟା ପ୍ରାୟ ୭ଟା ସୁଦ୍ଧା ଜାଗମରା ଟ୍ରାଫିକ୍‌ ଛକରେ ଅଟକିଲା ନବୀନଙ୍କ ନିର୍ବାଚନୀ ପ୍ରଚାର ବସ୍‌ । ଗାଡ଼ି ଅଟକିବା ପରେ ବସ୍‌ ଉପରକୁ ଉଠିଲେ ନବୀନ । ନମସ୍କାର କଲେ । ରାସ୍ତା କଡ଼ରେ ଜମା ହୋଇଥିବା ହଜାର ହଜାର କର୍ମକର୍ତ୍ତା “ନବୀନ ପଟ୍ଟନାୟକ…. ଜିନ୍ଦାବାଦ୍‌… ଜିନ୍ଦାବାଦ୍‌… ”ନାରା ଆରମ୍ଭ କଲେ । ମାଇକ୍ରୋ ଫୋନ୍‌ରୁ ନବୀନ କହିଲେ-“ ଜୟ ଜଗନ୍ନାଥ” । ତଳେ ଛିଡ଼ା ହୋଇଥିବା ଲୋକେ ବି ତାଳ ଦେଇ ନାରା ଦେଲେ-ଜୟ ଜଗନ୍ନାଥ । ନବୀନ ନିଜ ଷ୍ଟାଇଲ୍‌ରେ କହିଲେ, ପ୍ରିୟ ଭାଇ ଓ ଭଉଣୀମାନେ ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣମାନେ ଖୁସି ତ??? ହଜାର ହଜାର କର୍ମକର୍ତ୍ତା ଉତ୍ତର ଦେଲେ-ହଁ ।

ଏହା ପରେ ନବୀନ ଭୋଟ୍‌ ପାଇଁ ନିବେଦନ କଲେ । କହିଲେ, ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ । ଏତିକି କଥା କହିବା ପରେ ନବୀନ ହାତ ହଲାଇ ପୁଣି ବସ୍‌ ଭିତରକୁ ପ୍ରବେଶ କରିଥିଲେ । ନବୀନଙ୍କୁ ପାଖରେ ପାଇ ଲୋକେ ବସ୍‌ ଝରକା ପର୍ଯ୍ୟନ୍ତ ମାଡ଼ି ଯାଇଥିଲେ । ନବୀନ ବି ହାତ ହଲାଇ ଅଭିବାଦନ ଜଣାଉଥିଲେ ।

ଏହା ପରେ ନବୀନଙ୍କ ଗାଡ଼ି ଗଡ଼ିଲା ଏକାମ୍ର ନିର୍ବାଚନମଣ୍ଡଳୀର ଅନ୍ୟ ଅଞ୍ଚଳକୁ । ଗଣ୍ଡମୁଣ୍ଡା, ପୋଖରୀପୁଟ ଛକ ଦେଇ ପହଞ୍ଚିଲା ସୁନ୍ଦରପଦାରେ । ସବୁ ଛକରେ ଶହଶହ ଲୋକେ ଅପେକ୍ଷା କରିଥିଲେ । ନବୀନ ସଂକ୍ଷିପ୍ତ ଭାଷଣରେ ପ୍ରଚାର କରିଥିଲେ ।

ସୁନ୍ଦରପଦାରୁ ପୁଣି ଜାଗମରା ଦେଇ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର, ସୌଭାଗ୍ୟନଗର ଛକ ଦେଇ ନବୀନ ଯାଇଥିଲେ ରୋଡ୍‌ ସୋ’ରେ । ଡେଲଟା ଛକ ଦେଇ ପହଞ୍ଚିଥିଲେ ମଧ୍ୟ ଭୁବନେଶ୍ୱରରେ । ସିବିଆଇ ଛକ, ୟୁନିଟ୍‌-୮ ଛକ ଦେଇ ଯାଇଥିଲା ରୋଡ୍‌ ସୋ’ । ସେଠାରେ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ସାଂସଦ ପ୍ରାର୍ଥୀ ଅରୂପ ବି ଥିଲେ । ରାସ୍ତାରେ ବିଜେଡି କର୍ମକର୍ତ୍ତାମାନେ ନାରା ଦେବା ସହ ଫୁଲ ବର୍ଷା କରୁଥିଲେ ।

ଏହା ପରେ ନବୀନଙ୍କ ବସ୍‌ ଉତ୍ତର ନିର୍ବାଚନମଣ୍ଡଳୀକୁ ମୁହାଁଇଥିଲା । ଆଚାର୍ଯ୍ୟବିହାର ପରେ ସିଆରପିରୁ ସାଲିଆସାହି ସମ୍ମୁଖ ରାସ୍ତା ଦେଇ ଆଗକୁ ବଢ଼ିଥିଲା । ନବୀନଙ୍କ ଝଲକ ପାଇବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସାଲିଆସାହି ଜାଭିୟର ଛକରେ ହଜାର ହଜାର ପୁରୁଷ ଓ ମହିଳା ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ମେ’ ଫେୟାର ସମ୍ମୁଖ ରାସ୍ତା ଦେଇ ରୋଡ୍‌ ସୋ’ ନାଲ୍‌କୋ ଛକ, ଚନ୍ଦ୍ରଶେଖରପୁର, ଡମଣା, ପଟିଆ, ରଘୁନାଥପୁର ଛକାରେ ସରିଥିଲା । ଏହି ରୋଡ୍‌ ସୋ’ରେ ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ, ସାଂସଦ ପ୍ରାର୍ଥୀ ଅରୂପ ସାମିଲ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ଶପଥ ଗ୍ରହଣ ସମୟରେ AIMIM ବିଧାୟକ ‘ହିନ୍ଦୁସ୍ଥାନ’ କହିବାକୁ କଲେ ଆପତ୍ତି, ବିହାର ବିଧାନସଭାରେ ହଙ୍ଗାମା

‘ବାହା ନ ହେଲେ ମାରିଦେବି ନ ହେଲେ ମରିଯିବି’: ପାଗଳ ପ୍ରେମୀକୁ ବାନ୍ଧିଲା ପୁଲିସ

ଓଡ଼ିଶା ପୁଣି କରୋନା ନେଲା ୧୭ ଜୀବନ: ମୃତକଙ୍କ ସଂଖ୍ୟା ୧୬୫୭କୁ ବୃଦ୍ଧି

ସବୁଜ ହେଉଛି ଓଡ଼ିଶା ମାନଚିତ୍ର, କମୁଛି ସଂକ୍ରମିଣ: ୨୪ଘଣ୍ଟା ଆଉ ୬୬୮ ପଜିଟିଭ ଚିହ୍ନଟ୍ : ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ଟପିଲା