କେନ୍ଦୁଝର, ମୟୂରଭଞ୍ଜରେ ନବୀନଙ୍କ ମାରାଥନ ପ୍ରଚାର; ‘ବିଜେପି ଗରିବ ବିରୋଧୀ’

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ୫ ବର୍ଷ କାଳ କେନ୍ଦ୍ରରେ ସରକାରରେ ରହିଲେ । ଗରିବଙ୍କ କଥା ମନେ ପଡ଼ିଲାନି । ପ୍ରଥମ ପର୍ଯ୍ୟାୟ ଭୋଟରେ ପରାଜୟ ନିଶ୍ଚିତ ଜାଣିବା ପରେ ଏବେ କହୁଛନ୍ତି ଟଙ୍କାକରେ ଚାଉଳ, ଡାଲି ଓ ଲୁଣ ଦେବେ । ଏଯାଏ କ’ଣ କରୁଥିଲେ? ବିଜେପି ହେଉଛି ଗରିବ ବିରୋଧୀ । ଏବେ ଭୋଟ ବେଳେ ବିଜେପି ନେତା ଆସି ବଡ଼ ବଡ଼ କଥା କହୁଛନ୍ତି । ଗରିବଙ୍କୁ ଆହୁରି ଗରିବ କରିଥିବା କେନ୍ଦ୍ରର ବିଜେପି ସରକାରକୁ ଆପଣମାନେ କଡ଼ା ଜବା ଦିଅନ୍ତୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ପ୍ରଚାରରେ ଯାଇ ଜନସାଧାରଣଙ୍କୁ ଏ ଆହ୍ୱାନ ଦେଇଛନ୍ତି । ଭୋଟ ପ୍ରଚାରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ଜୋରଦାର ଆକ୍ରମଣ କରିବା ସହ ବିଜେପି ଯେଉଁ ଜୁମୁଲାବାଜି ଚଳାଇଛି, ତାହା ଆଉ ଚଳିବ ନାହିଁ ବୋଲି କହିଛନ୍ତି ।
ଭୋଟ ପ୍ରଚାର ବେଳେ ବିଜୁଙ୍କ ଶ୍ରାଦ୍ଧ ଦିବସରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ସରକାର ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ । ବିଜେଡି ସରକାର ଆସିଲେ ପ୍ରଥମ ଦିନ କାଳିଆର ଦୁଇକିସ୍ତି ଟଙ୍କା ମିଳିବ । କେନ୍ଦୁଝର ଜିଲ୍ଲାକୁ ମିଳିଥିବା ଡିଏମଏଫ୍‌ ଟଙ୍କା କାହା ଦୟା ନୁହେଁ । ବିଜେଡି କେନ୍ଦ୍ର ସହ ଲଢ଼େଇ କରି ଏ ପାଣ୍ଠି ଆଣିଛି । କେନ୍ଦୁଝର ଜିଲ୍ଲାର ରାଜମୁଣ୍ଡା-ରିମୁଳି ରାସ୍ତା କାମ କାହିଁକି ସରୁନି ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଆପଣମାନେ ପଚାରନ୍ତୁ । ବର୍ଷକ ମଧ୍ୟରେ କେନ୍ଦୁଝର ମେଡିକାଲ କଲେଜ ଲୋକଙ୍କୁ ସେବା ଯୋଗାଇବ । ୬ ମାସରେ ସବୁ ଘକରୁ ପାଇପ ପାଣି ମିଳିବ ।

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିଛନ୍ତି । ଏହି ଅବସରରେ ଠାକୁରମୁଣ୍ଡାଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏଥିସହ ମହିଳାମାନେ ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍‌ ବୋଲି କହିଥିଲେ । ବିଜେଡି ମହିଳାଙ୍କ ସହ ରହିଛି । ମହିଳାଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ସେହିଭଳି ସରକାର ଆସିବାର ପ୍ରଥମ ଦିନରେ ‘କାଳିଆ’ ଯୋଜନା ମାଧ୍ୟମରେ ଚାଷୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ । ଏଥିସହ ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର, ମୁଁ ବଞ୍ଚିଥିବା ଯାଏ ଲୋକଙ୍କ ସେବା କରିବି ବୋଲି ନବୀନ କହିଥିଲେ ।

୨୦୧୪ ମସିହା ନିର୍ବାଚନୀ ଇସ୍ତାହାରରେ ବିଜେପି ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ୨ଗୁଣା କରିବାକୁ ଘୋଷଣା କରିଥିଲେ । ତାହା ଭଲ କଥା, ଚାଷୀମାନେ ମଧ୍ୟ ଅପେକ୍ଷା କରିଥିଲେ । କିନ୍ତୁ କିଛି ସୁଫଳ ମିଳିଲାନି । ବିଧାନସଭା ଗୃହ କମିଟି ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଥିଲା । ୨ବର୍ଷ ବିତିଗଲା ପଛେ କେନ୍ଦ୍ର ସରକାର ୨ ମିନିଟ୍‌ ସମୟ ଦେଲେ ନାହିଁ କି କେନ୍ଦ୍ରରେ ରହିଥିବା ଓଡ଼ିଶାର ୨ କେନ୍ଦ୍ରମନ୍ତ୍ରୀ ସେଥିପ୍ରତି ମୁହଁ ଖୋଲିଲେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବା ସହ ଜନସାଧାରଣ ଭୋଟରେ ଏହାର ଜବାବ ଦେବାକୁ ଆହ୍ୱାନ ଦେଇଥିଲେ ।ବିଭିନ୍ନ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡିର ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କ ସହ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ