ବିପତ୍ତି ବେଳେ ପ୍ରଧାନମନ୍ତ୍ରୀ ଦେଖାଦେଲେନି, ଭୋଟ ପାଇଁ ମାସରେ ୧୦ ଥର ଆସିଲେଣି: ନବୀନ

ଭୁବନେଶ୍ୱର/ଜଗତସିଂହପୁର,୨୬ା୪ (ବ୍ୟୁରୋ): ଓଡ଼ିଶାବାସୀ ଫାଇଲିନରୁ ଆରମ୍ଭ କରି ହୁଡ୍‌ହୁଡ୍‌ ଓ ତିତ୍‌ଲିରେ ଛଟପଟ ହେଲେ । ପ୍ରାକୃତିକ ବିପତ୍ତି ଯୋଗୁଁ ଦୁଃଖ ସହିଲେ । ବନ୍ୟା ଓ ବାତ୍ୟାରେ ଶଢ଼ିଲେ । ଓଡ଼ିଶାବାସୀଙ୍କ ଦୁର୍ଦ୍ଦଶା ବେଳେ ପ୍ରଧାନମନ୍ତ୍ରୀ ଥରୁଟିଏ ସମୟ ଦେଲେନି । ମାତ୍ର ଏବେ ଭୋଟ୍‌ ମାଗିବାକୁ ମାସକ ମଧ୍ୟରେ ୧୦ ଥର ଓଡ଼ିଶା ଗସ୍ତରେ ଆସିଲେଣି । ଓଡ଼ିଶାବାସୀ ନୁହନ୍ତି, ବିଜେପି ପାଇଁ କେବଳ ରାଜ୍ୟବାସୀଙ୍କ ଭୋଟ ହେଉଛି ମୂଲ୍ୟବାନ ।

ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଜି ଏରସମାରେ ଭୋଟ ଭିକ୍ଷା କରି ପ୍ରଧାନମନ୍ତ୍ରୀଙ୍କୁ ଏମିତି କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସହ ଥିଲା । ଆଗକୁ ମଧ୍ୟ ରହିବ । ରାଜ୍ୟବାସୀ ତାଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
ଭୋଟଭିକ୍ଷା ବେଳେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏରସମା ଆସିଲେ ୧୯୯୯ ମହାବାତ୍ୟାର ସ୍ମୃତି ତାଙ୍କ ମନକୁ ଆସିଥାଏ । ସେତେବେଳେ ସାରା ଓଡ଼ିଶା ଛାରଖାର ହୋଇଯାଇଥିଲା । ବହୁ ଧନଜୀବନ ନଷ୍ଟ ହୋଇଥିଲା । ତାହା ଥିଲା ମୋ ଜୀବନର ସବୁଠାରୁ ବଡ଼ ଦୁଃଖର ସମୟ । ମୁଁ ସଂକଳ୍ପ କରିଥିଲି, ଭବିଷ୍ୟତରେ ଏଭଳି ପରିସ୍ଥିତିରେ ଗୋଟିଏ ବି ଜୀବନ ଯେପରି ନଷ୍ଟ ନ ହେବ ସେଥିପ୍ରତି କାମ କରିବି । ଆଜି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସମଗ୍ର ଦେଶରେ ଏକ ଆଦର୍ଶ ରାଜ୍ୟ । ବିପର୍ଯ୍ୟୟ ପରିଚାଳନାରେ ଭଲ କାମ ପାଇଁ ଜାତିସଂଘ ଆମକୁ ସ୍ୱୀକୃତି ଦେଇଛି ।

ପ୍ରଧାନମନ୍ତ୍ରୀଙ୍କୁ ଶାଣିତ ସମାଲୋଚନା କରି ନବୀନ କହିଛନ୍ତି, ହୁଡ୍‌ହୁଡ୍‌ ବେଳେ ପ୍ରଧାନମନ୍ତ୍ରୀ ୨୦୧୪ ଅକ୍ଟୋବର ୧୪ରେ ଆନ୍ଧ୍ର ଯାଇଥିଲେ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ ସେ ବିହାର ଯାଇଥିଲେ ୨୦୧୭ ଅଗଷ୍ଟ ୨୬ରେ । ୨୦୧୭ ଜୁଲାଇ ୨୫ରେ ଗୁଜୁରାଟ ଯାଇଥିଲେ ବନ୍ୟାଞ୍ଚଳ ଦେଖିବାକୁ । ଆସାମ ଓ କେରଳ ମଧ୍ୟ ବନ୍ୟା ପାଇଁ ଯାଇଥିଲେ । ମାତ୍ର ଓଡ଼ିଶାକୁ ଚାହିଁଲେନି । ଓଡ଼ିଶାର ଭାଇ ଓ ଭଉଣୀମାନେ ଗତ ୫ ବର୍ଷରେ ଭୟଙ୍କର ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହେଲେ । ୨୦୧୪ରେ ହୁଡୁହୁଡ, ୨୦୧୫ରେ ଭୟଙ୍କର ମରୁଡ଼ି ହେଲା । ୨୦୧୭ରେ ବନ୍ୟା ଆସିଲା, ୨୦୧୮ରେ ତିତଲି ଓ ବନ୍ୟାରେ ଲୋକ କ୍ଷତିଗ୍ରସ୍ତ ହେଲେ । ପ୍ରଧାନମନ୍ତ୍ରୀ ଆସିଥିଲେ କି? ଆସିଲେ ନାହିଁ । ଆପଣଙ୍କ ସୁଖଦୁଃଖରେ ମୁଁ ସବୁବେଳେ ସାଥିରେ ରହିଛି ଓ ରହିଥିବି । ଏମିତି କହି ନବୀନ ପ୍ରମାଣ କରିବାକୁ ଉଦ୍ୟମ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କ ପ୍ରତି ସମ୍ବେଦନହୀନ ।

ନବୀନ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କିନ୍ତୁ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ । ବିଜେଡି ସରକାର ଗଠନର ପ୍ରଥମ ଦିନ ଚାଷୀଙ୍କୁ ‘କାଳିଆ’ର ଦୁଇ କିସ୍ତି ବାବଦକୁ ୧୦ ହଜାର ଟଙ୍କା ମିଳିବ । ବିଜେପି ନେତା ଓ ପ୍ରଧାନମନ୍ତ୍ରୀ ଏବେ ଆସି ମିଛ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆଗରୁ ସେମାନେ କେଉଁଠି ଥିଲେ? ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର । ଶେଷ ନିଃଶ୍ୱାସ ଯାଏ ମୁଁ ଆପଣମାନଙ୍କର ସେବା କରିଚାଲିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ