ଦମ୍ଭ ଦେଖାଇଲେ ନବୀନ; କେନ୍ଦ୍ର ସରକାର ଗଠନରେ ଓଡ଼ିଶା ନେବ ବଡ଼ ଭୂମିକା

ଭୁବନେଶ୍ୱର,୨୫ ।୪(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୟୂରଭଞ୍ଜ ଓ ଜଗତସିଂହପୁରରେ ଭୋଟଭିକ୍ଷା କରି ନବୀନ ବିଜେପିକୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ଭବିଷ୍ୟବାଣୀ କରିଛନ୍ତି, ତୃତୀୟ ପର୍ଯ୍ୟାୟ ଭୋଟ ପରେ ସ୍ଥିତି ପୂରା ସ୍ପଷ୍ଟ ହୋଇପଡ଼ିଛି । କେନ୍ଦ୍ରରେ କୌଣସି ଜାତୀୟ ଦଳ ବହୁମତ ପାଇବେନି । କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶା ବଡ଼ ଭୂମିକା ତୁଲାଇବ ।

ନବୀନ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କିନ୍ତୁ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ । ବିଜେଡି ସରକାର ଗଠନର ପ୍ରଥମ ଦିନ ଚାଷୀଙ୍କୁ ‘କାଳିଆ’ର ଦୁଇକିସ୍ତି ବାବଦକୁ ୧୦ ହଜାର ଟଙ୍କା ମିଳିବ ।

ମୁଖ୍ୟମନ୍ତ୍ରୀ ବିଜେପି ନେତାମାନଙ୍କୁ ତାତ୍ସଲ୍ୟ ମଧ୍ୟ କରି କହିଛନ୍ତି, ଫାଇଲିନ ହେଲା କେହି ଆସିଲେନି । ତିତଲି ହେଲା, ହୁଡଡୁଡ ହେଲା କେହି ଆସିଲେନି । ମରୁଡି ହେଲା ବି ଆସିଲେନି । ଏବେ ଭୋଟ ମାଗୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ ଓଡ଼ିଶାବସୀଙ୍କ ବିପତ୍ତି ଓ ଦୁଃଖ ବେଳେ ଆସିଲେନି । ସମୟ ପାଇଲେନି । ଏବେ ଭୋଟ ବେଳେ ପ୍ରଧାନମନ୍ତ୍ରୀ ସବୁଦିନ ଓଡ଼ିଶା ଭୋଟ ମାଗିବାକୁ ଆସୁଛନ୍ତି ।
ସେ ଆହୁରି କହିଲେ, ବିଜେଡି ମହିଳାଙ୍କ ସହ ରହିଛି । ମିଶନ ଶକ୍ତି ମାଆମାନଙ୍କୁ ଆମେ ତ୍କ୫ ହଜାର କୋଟି ଟଙ୍କାର ବେପାର ଦେବାକୁ ସଂକଳ୍ପ ନେଇଛୁ । ମହିଳାମାନଙ୍କୁ ବିଜେଡି ତାଙ୍କ ହକ୍‌ ଦେଇଛି । ମହିଳାଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପ୍ରଦାନ କରିବେ । ଏହା କେନ୍ଦ୍ର ସ୍ୱାସ୍ଥ୍ୟ ସହାୟତାର ଦିଗୁଣା । ମହିଳାମାନେ ହିଁ ପ୍ରକୃତରେ ବିକାଶର ଡବଲ୍‌ ଇଞ୍ଜିନ୍‌ ମୟୂରଭଞ୍ଜ ସଭାରେ ନବୀନ ଉପସ୍ଥିତ ଜନତାଙ୍କୁ କହିଲେ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହେଲା, ଆପଣମାନେ ଖୁସି ତ? ବାରିପଦା ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୮୦% ଅର୍ଥ ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ଦେଇଛି ମାତ୍ର ୨୦% ଅର୍ଥ ।

ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବାରିପଦା ମେଡିକାଲ କଲେଜକୁ ବିରୋଧ କରୁଥିଲେ । ରାଜ୍ୟ ସରକାର ସୁପ୍ରିମକୋର୍ଟ କ୍ଷମତାସଂପନ୍ନ କମିଟିର ଅନୁମତି ନେଇ ଏ ମେଡିକାଲ କଲେଜ କରିଛନ୍ତି । ଆହାର ଯୋଜନାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ପାଉଛନ୍ତି । ସେଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ । ଏହା କି ପ୍ରକାର ରାଜନୀତି? ଲୋକଙ୍କ ଉପକାର ଠାରୁ କଣ ରାଜନୀତି ବଡ଼? କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଛାତ୍ରବୃତ୍ତି ବନ୍ଦ କଲେ । ମୟୂରଭଞ୍ଜରେ ରେଳ ସମ୍ପ୍ରସାରଣ ଶୂନ । ମୟୂରଭଞ୍ଜ ପ୍ରତି କେନ୍ଦ୍ରର ଦରଦ ହେଉଛି ଏମିତି । ମୟୂରଭଞ୍ଜର ସ୍ୱାଭିମାନୀ ଜନତା ଏହାର ନିଶ୍ଚୟ ଜବାବ ଦେବେ । ମୁଖ୍ୟମନ୍ତ୍ରୀ କହିଲେ ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର । ଶେଷ ନିଃଶ୍ୱାସ ଯାଏ ମୁଁ ଆପଣମାନଙ୍କର ସେବା କରିଚାଲିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ।