୩୩% ମହିଳାଙ୍କୁ ବିଜେଡି ଲୋକସଭା ଟିକେଟ; କଥା ଦେଇଥିଲୁ, ରଖିଲୁ: ନବୀନ

source:www.livemint.com
ଭୁବନେଶ୍ୱର,୨ ।୪(ବ୍ୟୁରୋ): କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ମହିଳାଙ୍କୁ ଲୋକସଭା ପାଇଁ ଟିକେଟ ଦେଇଥିଲା ବିଜେଡି । ମଙ୍ଗଳବାର ପୁଣି ଜଣେ ମହିଳା ଚନ୍ଦ୍ରାଣୀ ମୁର୍ମୁଙ୍କୁ କେନ୍ଦୁଝର ଲୋକସଭା ଆସନରୁ ଟିକେଟ ଦେଲା ଦଳ । ୩୩% ମହିଳାଙ୍କୁ ଲୋକସଭା ଟିକେଟ ଦେବାର ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୧ ଲୋକସଭା ଆସନରୁ ୭ ଜଣ ମହିଳା ବାଜି ମାରିନେଇଛନ୍ତି ।
ଢେଙ୍କାନାଳ ଲୋକସଭାରୁ ଲଢ଼ିବେ ଚାରି ଥରିଆ ବରିଷ୍ଠ ବିଧାୟକ ମହେଶ ସାହୁ । ତିନି ଥର ତାଳଚେରରୁ ବିଜେପି ଟିକେଟରେ ଏବଂ ଥରେ ପାଲଲହଡ଼ାରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ । ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ୭ ବିଧାନସଭା ସହ ବାକିଥିବା ୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ନବୀନ କହିଥିଲେ, ବିଜେଡି ପ୍ରତିଶ୍ରୁତି ଦେଇଥିଲା ଯେ ଲୋକସଭାରେ ୩୩% ମହିଳା ପ୍ରାର୍ଥୀ ଦେବ । ଏ ପ୍ରତିଶ୍ରୁତି ପୂରଣ କରିଛୁ ।
୫ ଜଣ ବିଧାୟକଙ୍କ ଟିକେଟ କାଟି ନବୀନ ନୂଆ ଚେହେରାକୁ ଭରସା କରିଛନ୍ତି । ଖଣ୍ଡପଡ଼ା ଆସନରୁ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ନିର୍ବାଚନ ଲଢ଼ିବେ । ସେଠି ବିଧାୟକ ଅନୁଭବ ପଟ୍ଟନାୟକ ବଳି ପଡ଼ିଛନ୍ତି । ୨୦୧୪ରେ ସେ ଖଣ୍ଡପଡ଼ାରେ ଅନୁଭବଙ୍କ ଠାରୁ ୬୦୧ ଖଣ୍ଡ ଭୋଟରେ ହାରିଥିଲେ । ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ନେଇ ଦ୍ୱନ୍ଦ୍ୱର ଅନ୍ତ ଘଟିଛି । ବିଜୁ ଜନତା ଦଳ ତାଙ୍କୁ ମଧ୍ୟ ଭୁବନେଶ୍ୱର ପାଇଁ ପ୍ରାର୍ଥୀ କରିଛି ।
ଭୁବନେଶ୍ୱର (ଉତ୍ତର)ରେ ନବାଗତ ସୁଶାନ୍ତ କୁମାର ରାଉତଙ୍କ ମୁଣ୍ଡରେ ନବୀନ ସୁନାକଳସୀ ଢାଳିଛନ୍ତି । ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳ ଭରସାକୁ ନେଲାନି । ଯାଜପୁର ଆସନରୁ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ପୁଣି ନିର୍ବାଚନ ଲଢ଼ିବେ । କୋରେଇରୁ କିନ୍ତୁ ବିଧାୟକ ଆକାଶ ଦାସ ନାୟକଙ୍କୁ ଦଳ ସୁପ୍ରିମୋ ଭରସାକୁ ନେଇ ନାହାନ୍ତି । ତାଙ୍କ ଟିକେଟ କଟିଛି । ଅଶୋକ ବଳଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଆଠମଲ୍ଲିକ ବିଧାୟକ ସଂଜୀବ ସାହୁଙ୍କ ବଦଳରେ ଅବସରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ସାଏଙ୍କୁ ଟିକେଟ ମିଳିଛି । ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ନବୀନ ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବାରୁ ପାଲଲହଡ଼ା ବିଧାନସଭା ସିଟରେ ମୁକେଶ ପାଳଙ୍କୁ ଦଳ ଟିକେଟ ଦେଇଛି । ଶ୍ରୀ ପାଳ ବିଜେପି କ୍ୟାମ୍ପ ଛାଡ଼ି ସୋମବାର ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଚନ୍ଦ୍ରାଣୀ ସୋମବାର ନବୀନ ନିବାସରେ ବିଜେଡିରେ ଯୋଗ ଦେଲେ, ମଙ୍ଗଳବାର ବିଜେଡିରୁ ଏମ୍ପି ଟିକେଟ ପାଇଲେ । ବିଜେଡି କେନ୍ଦ୍ରାପଡ଼ା, ଚମ୍ପୁଆ ଓ ବାରିପଦାରେ କାହାକୁ ଟିକେଟ ଦେବ ତାହାକୁ ନେଇ ସସପେନ୍ସ ଏଯାଏ ଦୂର ହୋଇନି ।
ଗତ ୩ ସପ୍ତାହ ହେବ ନବୀନ ନିବାସରେ ଲାଗି ରହିଥିବା ଭିଡି ଆଜି ଅପେକ୍ଷାକୃତ ପତଳା ଥିଲା । ବହୁ ଆଶାୟୀ ଏଠାରେ ଚକ୍କର କାଟିଥିଲେ । କିଛି ପ୍ରାର୍ଥୀଙ୍କ ସମର୍ଥକମାନେ ପ୍ଲାକାର୍ଡ ଧରି ଟିକେଟ ଦେବାକୁ ଦାବି କରିଥିଲା ବେଳେ ଆଉ କିଛି ବିରୋଧ ମଧ୍ୟ କରୁଥିଲେ । ବିଜେଡି ମୁଖିଆ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅନନ୍ତ ନାରାୟଣ ଜେନା ପ୍ରମୁଖଙ୍କୁ ଡାକି ନବୀନ ଆଲୋଚନା କରିଥିଲେ । ଭୁବନେଶ୍ୱରରୁ ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ନେଇ ବେଶ ବିଚାର ବିମର୍ଶ ହୋଇଥିଲା । ସମ୍ମାନଜନକ ଏ ଆସନରେ ବିଜେପି ସହ ବିଜେଡି କଡ଼ା ଟକ୍କରର ସମ୍ମୁଖୀନ ହେଉଥିବାରୁ ସେ ନେଇ ନବୀନ କିଛି ସମୟ ଆଲୋଚନା କରିଥିଲେ । ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଥିବାରୁ ନବୀନ ସମସ୍ତଙ୍କ ସହଯୋଗ କାମନା କରିଥିବା ସୂଚନା ମିଳିଛି ।
ପାଟକୁରା ଆସନରୁ ବିଜେଡି ଟିକେଟ ପାଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ଓ ପୁଅ ମଧ୍ୟ ନବୀନ ନିବାସ ଆସିଥିଲେ । ବେଦୁ ଅସୁସ୍ଥ ଥିବାରୁ ତାଙ୍କ ପୁଅଙ୍କୁ ଦଳ ଟିକେଟ ଦେବାକୁ ସେମାନେ ଅନୁରୋଧ କରିଛନ୍ତି । ମାତ୍ର ଏ ନେଇ ଦଳ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇନି । କାକଟପୁର ବିଧାନସଭା ଆସନରୁ ବିଜେପି ଟିକେଟ ପାଇଥିବା ତୁଷାରକାନ୍ତି ବେହେରା ମଧ୍ୟ ମଙ୍ଗଳବାର ନବୀନ ନିବାସ ଆସି ବିଜେଡିରେ ସାମିଲ୍ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ, ୩୩% ମହିଳାଙ୍କୁ ଟିକେଟ ଦେବାକୁ ଘୋଷଣା କରଥିେିଲ ନବୀନ । କୋରାପୁଟ ଆସନରେ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକା, ଆସିକାରେ ସ୍ୱୟଂ ସହାୟକିା ଗୋଷ୍ଠୀର ସଦସ୍ୟା ପ୍ରମଳିା ବେିଷାୟୀ, ସୁନ୍ଦରଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ, ଭଦ୍ରକରେ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ଟିକେଟ ଦେଇଛି । ଯାଜପୁରରେ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକଙ୍କ ସହ ଆଜି କେନ୍ଦୁଝରରେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବିଜେଡି ଏମ୍ପି ପ୍ରାର୍ଥୀ ଭାବେ ଛିଡ଼ା କରାଇଛି ।