PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ବିଜେପିକୁ ନବୀନଙ୍କ ତେଜୀୟାନ୍‌ ହମ୍‌ଲା: ବିପତ୍ତି ବେଳେ ଥିଲ କେଉଁଠି ?

ବ୍ରହ୍ମପୁର,୩ା୪(ବ୍ୟୁରୋ): ଫାଇଲିନ୍‌ ହେଲା, ଆସିଲନି । ହୁଡହୁଡ୍‌ରେ ଲୋକ ଛଟପଟ ହେଲେ, ଦେଖା ଦେଲନି । ତିତଲି ହେଉ ଅବା ମରୁଡ଼ି, ମୁହଁ ଦେଖାଇଲନି । ଲୋକଙ୍କ ଦୁଃଖ ଦୁର୍ଦ୍ଦଶାରେ ପାଖରେ ଛିଡ଼ା ହେଲନି । ଦାରୁଣ ବିପତ୍ତି ବେଳେ କେଉଁଠି ଥିଲ ? ଏବେ ଭୋଟ ବେଳେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛ । ଏମିତି ଶାଣିତ ଆକ୍ରମଣ କରି ବିଜେପିକୁ ନାଗଫାଶରେ ବାନ୍ଧିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ବଡ଼ ବଡ଼ ନେତାମାନେ ଏବେ ଆସି ଭୋଟ୍‌ଭିକ୍ଷା କରୁଥିବାରୁ କଟାକ୍ଷ କରି ନବୀନ କହିଲେ, ଏବେ ଆସି ଭୋଟ ମାଗୁଛ । ପୁରୁଣା ପ୍ରତିଶ୍ରୁତି କୁଆଡ଼େ ଗଲା? ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତଶ୍ରୁତି ଦେଇ କେମତିି ଭୁଲିଗଲ? ପ୍ରାକୃତିକ ଦୁର୍ବିପାକ ସହ ବନ୍ୟା ଓ ବାତ୍ୟାରେ କେନ୍ଦ୍ର ସହଯୋଗ କରୁନି କାହିଁକି? ଗଞ୍ଜାମ ଜିଲ୍ଲାର କନିଷିରେ ଭୋଟ ପ୍ରଚାର କରି ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ଉପରେ ଏମିତି ତଗଡ଼ା ଆକ୍ରମଣ କଲେ ନବୀନ । ଏପରିକି ଉପସ୍ଥିତ ଲୋକଙ୍କୁ ଏ ନେଇ ବିଜେପିକୁ ଜବାବ ମାଗିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ଅନୁରୋଧ କଲେ ।

ନୟାଗଡ଼ରେ ଭୋଟ ପ୍ରଚାର ଶୁଭାରମ୍ଭ କରିଥିବା ନବୀନ ଆଜି ନିଜ ଜିଲ୍ଲା ଗଞ୍ଜାମରେ ପ୍ରଚାର ଅଭିଯାନକୁ ତେଜିଛନ୍ତି । ଭୋଟ ସଭା ସହ ହାଇଟେକ୍‌ ବସରେ ରୋଡ ସୋ କରି ଜନତା ଜନାର୍ଦ୍ଦନଙ୍କ ମନ ଜିଣିଛନ୍ତି । ବ୍ରହ୍ମପୁର ଉପକଣ୍ଠ କନିଷି ନିକଟରେ ଆୟୋଜିତ ହୋଇଥିଲା ସମାବେଶ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିର୍ବାଚନୀ ସଭା । ଗୋପାଳପୁର ନିର୍ବାଚନମଣ୍ଡଳୀର ଦଳୀୟ ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ୱାଭାବିକ ଭାବେ ଜନସମାବେଶକୁ ପଚାରିଥିଲେ, ମୁଁ ଆପଣଙ୍କ ପାଖକୁ ଆସିଛି । ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି । ଏତେ ସଂଖ୍ୟାରେ ଆସଛନ୍ତି । ସେଥିପାଇଁ ଧନ୍ୟବାଦ । ଏହା ପରେ ନବୀନ କେନ୍ଦ୍ର ଅବହେଳାର ପେଡ଼ି ଖୋଲିଲେ, ବିଜେପି ଉପରେ ଜୋରଦାର ବର୍ଷିିଲେ ।

ଜନସମାବେଶକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଏବେ ଭୋଟ ମାଗିବାକୁ ଆସୁଥିବା ବିଜେପି ନେତାମାନଙ୍କୁ ଆପଣମାନେ ପଚାରନ୍ତୁ, କୁଆଡ଼େ ଗଲା ଶୀତଳାପଲ୍ଲୀ ରେଳଡବା କାରଖାନା? ମହିଳା ସଂରକ୍ଷଣ ପ୍ରତିଶ୍ରୁତି କୁଆଡ଼େ ଗଲା? ଚାଷୀ ବୀମା ପାଇଁ ହଇରାଣ ହେଉଛି, ମାତ୍ର ଏପଟେ ବୀମା କମ୍ପାନି ଲାଭବାନ୍‌ କେମିତି ହେଉଛି । କେଉଁ କାରଣରୁ ଆମ ଏସ୍‌ସି/ଏସ୍‌ଟି ପିଲାଙ୍କ ସ୍କଲାରସିପ୍‌ ବନ୍ଦ କଲେ? କେବଳ ସେତିକି ନୁହେଁ କେନ୍ଦ୍ରର ପ୍ରତିଟି ଅବହେଳାକୁ ନବୀନ ଲୋକଙ୍କ ଆଗରେ ରଖିଲେ । ପଚାରିଲେ, କୁଆଡ଼େ ଗଲା ବର୍ଷକୁ ୨ କୋଟି ହିସାବରେ ୫ ବର୍ଷରେ ୧୦ କୋଟି ଚାକିରି । ପ୍ରତିବର୍ଷ ୩ଟି ଘରରୁ ଜଣେ ଚାକିରି ପାଇବା କଥା ହେଲା କି? ଆପଣମାନେ ନିଜ ଗାଁରେ ଏହାକୁ ଦେଖନ୍ତୁ ବୋଲି ଟିପ୍ପଣୀ ଦେଇ ନବୀନ କହିଲେ, ଇଲେକ୍‌ସନ୍‌ ଆସିଲେ ଏମାନେ ଆସିବେ । ବଡ଼ ବଡ଼ କଥା କହିବେ । ତା’ପରେ ଦେଖା ମିଳିବ ନାହିଁ । ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର । ମୁଁ ସବୁବେଳେ ଆପଣମାନଙ୍କ ସହ ଅଛି, ରହିବି ।

ମୁଖ୍ୟମନ୍ତ୍ରୀଙ୍କ ଏ ଭାଷଣ ବେଳେ ଉପସ୍ଥିତି ଲୋକ କରତାଳି ଦେବା ସହ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଛାଡ଼ିଲେ । ମୁଖ୍ୟମନ୍ତ୍ରୀ କହିଲେ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ବର୍ଗ ପାଇଁ ଆମର ଯୋଜନା ହୋଇଛି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେ । ଆଉ ୨୦ ଲକ୍ଷ ଚାଷୀଙ୍କ ପଇସା ରହିଛି । ଦୁଃଖର କଥା ଚାଷୀର ହକ୍‌କୁ କିଛି ବିରୋଧୀ ଦଳ ବିରୋଧ କରିଛନ୍ତି । ତାଙ୍କୁ ଲୋକମାନେ ଇଲେକ୍‌ସନ୍‌ରେ ଉଚିତ ଜବାବ ଦେବେ । ଲିଷ୍ଟରେ ଥିବା ସବୁ ଯୋଗ୍ୟ ଚାଷୀ ଯୋଜନାର ଲାଭ ପାଇବେ । ଜଣେ ବି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ । ଆପଣମାନଙ୍କ ଖୁସିରେ ମୋର ଖୁସି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ବିଧାନସଭା ସଦସ୍ୟ ଓ ଲୋକସଭା ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ମଧ୍ୟ ବିଜେପିକୁ ଜୋରଦାର ସମାଲୋଚନା କରିଥିଲେ । ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପରଳାଖେମୁଣ୍ଡି ସଭାରେ ଓଡ଼ିଶା ସରକାରଙ୍କୁ ଉପାଡ଼ି ଫିଙ୍ଗିଦିଅ ବୋଲି ଆହ୍ୱାନ ଦେବା ଜବାବରେ ଚନ୍ଦ୍ରଶେଖର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଦାୟିତ୍ୱ ନେବା ସମୟରେ ଋଣ ଭାରରେ ବୁଡ଼ି ରହିଥିଲା । ଓଡ଼ିଆ ଲୋକଙ୍କ ପାଖରେ ଘର ନଥିଲା । ଖାଇବାକୁ ନଥିଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଟଙ୍କାକରେ ଚାଉଳ ମିଳିଲା । ମୁଣ୍ଡକୁ ଛାତ ମିଳିଲା । ନବୀନ ପଟ୍ଟନାୟକ ସବୁ ସମୟରେ ସୁଖଦୁଃଖର ସାଥୀ ହୋଇଛନ୍ତି । ତାଙ୍କ ହୃଦୟ ବିଶାଳ । ଦେଶର ସର୍ବଶ୍ରେଷ୍ଠ ପ୍ରଶାସକ ବୋଲି ସେ କହିଥିଲେ ।

ଗୋପାଳପୁର ବିଧାୟକ ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଅନୁରୂପ ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଆହ୍ୱାନର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଲୋକେ ମୁଖ୍ୟମନ୍ତ୍ରୀ କରିଛନ୍ତି । ତାଙ୍କ ସରକାରକୁ ହଟେଇବା କ୍ଷମତା ବିଜେପିର ନାହିଁ । କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ୫ ବର୍ଷରେ ହୋଇଥିବା ଉନ୍ନୟନ କାର୍ଯ୍ୟ ସମ୍ବଳିତ ଏକ ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଆସିକାର ୧୦ ଜଣ ବିଜେପି ନେତା ଆଜିର ଏହି ସମାବେଶରେ ଯୋଗଦେଇଥିଲେ । ସଭାମଞ୍ଚରେ ସିନେ ଅଭିନେତା ସବ୍ୟସାଚୀ, ଅର୍ଚ୍ଚିତା ଓ ପୁପିନ୍ଦର, ପ୍ରଜ୍ଞା ହୋତା ଭରପୂର ମନୋରଞ୍ଜନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଗସ୍ତରେ ଆସି ବ୍ରହ୍ମପୁର, ଗୋପାଳପୁର ଓ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସଭା ଓ ରୋଡ୍‌ ସୋ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିର୍ଦ୍ଧାରିତ ସମୟ ଅପରାହ୍ନ ୪ଟାରେ କନିଷିରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ । କନିଷିଠାରେ ସାଧାରଣ ସଭା କରିବା ପରେ ବ୍ରହ୍ମପୁରର ଗୁଡ୍‌ସ୍‌ ରୋଡ୍‌ରୁ ରୋଡ୍‌ ସୋ’ ଆରମ୍ଭ ହୋଇଥିଲା । ଗୁଡ୍‌ସ୍‌ ସେଡ୍‌ ରୋଡ଼ଠାରୁ ରଘୁନାଥପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଜନତା ଓ ଶୁଭେଚ୍ଛୁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ କେବଳ ରୋଡ୍‌ ସୋ କରିବେ ବୋଲି ସୂଚନା ଥିବାବେଳେ ସେ ପ୍ରାୟ ସବୁ ଛକରେ ତାଙ୍କୁ ସ୍ୱାଗତ କରିବାକୁ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ‘ବିଜୁ ଜନତା ଦଳ ଓଡ଼ିଶାର ବିକାଶ କରିଛି ବୋଲି କହି ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା । ହେଲିକପ୍ଟରରେ କନିଷିଠାରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ହାଇଟେକ୍‌ ବସ୍‌ ଯୋଗେ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ’ କରିଥିଲେ । ଗୁଡ୍‌ସ୍‌ ସେଡ୍‌ ରୋଡ଼ ବିଆର୍‌ଏମ୍‌ସି ଛକରୁ ରୋଡ୍‌ ସୋ’ ଆରମ୍ଭ ହୋଇ ବିଜିପୁର, ଖଲିକୋଟ କଲେଜ ଛକ, ପିଭିଏନ୍‌ ପେଟ୍ରୋଲ୍‌ ପମ୍ପ୍‌ ରୋଡ, ସିଟି ହସପିଟାଲ୍‌ ରୋଡ଼, ଆସିକା ରୋଡ଼, ହରିଡ଼ାଖଣ୍ଡି ପେଟ୍ରୋଲ୍‌ ପମ୍ପ୍‌ ଛକ, ଶ୍ରୀରାମନଗର ଛକ, ତୁଳସୀନଗର ଛକ, ଗେଟ୍‌ ବଜାର ଛକ, ବାବାଜୀ ତୋଟା ସାହି ଛକ, ପାଣିଟାଙ୍କି ଛକ, ଟାଟାବେଞ୍ଜ ଛକ, କମାପଲ୍ଲୀ ଛକ, କୋର୍ଟପେଟା ଛକ, ଗଜପତିନଗର ଛକ, ଇଞ୍ଜିନିୟରିଂ ସ୍କୁଲ ଛକ, ଖୋଡ଼ାସିଙ୍ଗ ଛକ, ଆମ୍ବପୁଆ ଛକ ଅତିକ୍ରମ କରିଥିଲେ ।

ସମ୍ବନ୍ଧିତ ଖବର