ଗଜପତି, ରାୟଗଡାରେ ନବୀନଙ୍କ ଆହ୍ୱାନ: କେନ୍ଦ୍ର ପ୍ରତାରଣାର ଜବାବ ଦିଅ

ରାୟଗଡ଼ା/ପାରଳାଖେମୁଣ୍ଡି, ୭ା୪(ଆପ୍ର): ଓଡ଼ିଶା ପ୍ରତି କେନ୍ଦ୍ରର ବିଜେପି ସରକାର ପ୍ରତାରଣା କରିଛି । ଆସନ୍ତୁ, ଆମ ହକ୍‌ ଓ ସ୍ୱାଭିମାନର ଲଢ଼େଇକୁ ଆହୁରି ଜୋର୍‌ଦାର୍‌ କରିବା । ନିର୍ବାଚନରେ ଜବାବ୍‌ ଦେବା କେନ୍ଦ୍ରର ଏହି ପ୍ରତାରଣାର ।ରାୟଗଡ଼ା ଓ ଗଜପତି ଜିଲ୍ଲାରେ ତୋଫାନି ପ୍ରଚାର କରି ଏଭଳି ଆହ୍ୱାନ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବେଶ୍‌ ଆକ୍ରାମକ ଢଙ୍ଗରେ ନିଜ ଅଭିଭାଷଣ ରଖି ନବୀନ କହିଥିଲେ, ତିତ୍‌ଲି ବାତ୍ୟାରେ ଗଜପତି ଜିଲ୍ଲା ଅଧିକ ଭାବେ ପ୍ରଭାବିତ ହୋଇଥିଲା । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେତେବେଳକୁ ଲୋକଙ୍କ ପାଇଁ କିଛି କରିନଥିବା ବିଜେପି ନେତାମାନେ ଏବେ ଭୋଟ୍‌ ସମୟରେ ଗଜପତି ଜିଲ୍ଲାକୁ ଆସି ନିଜ ପାଇଁ ଭୋଟ ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ । ଏମାନେ ସବୁ ବିରାଡ଼ି
ବୈଷ୍ଣବ । ବର୍ତ୍ତମାନ ଲୋକେ ଏହାର ଉଚତି ଜବାବ ଦେବେ ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ପଚାରିଥିଲେ, ଆପଣମାନେ ଟଙ୍କିକିଆ ଚାଉଳ ପାଉଛନ୍ତି ତ? ଏହା ଆପଣଙ୍କ ଟଙ୍କା, କାହା ଦୟା ନୁହେଁ । କେନ୍ଦ୍ର ସରକାର ୩୦ ଲକ୍ଷ ଲୋକଙ୍କୁ ଚାଉଳ ଦେବାକୁ ମନା କଲେ । ଏହା କ’ଣ ଠିକ୍‌ କି? ମା’ମାନେ କହନ୍ତୁ, ସ୍ୱାସ୍ଥ୍ୟ ସୁବିଧା ପାଇଁ ଆପଣଙ୍କୁ ୫ ଲକ୍ଷ ନା ୭ ଲକ୍ଷ ଟଙ୍କା ଦରକାର? ଜଳସେଚନରେ ଆମେ ଖର୍ଚ୍ଚ କରୁଛୁ ୨୦ ହଜାର କୋଟି, କେନ୍ଦ୍ର ଦେଉଛି ୨୫୦ କୋଟି । ଆପଣମାନେ ଏହାର ବିଚାର କରନ୍ତୁ । ରାୟଗଡ଼ା ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ ଦଳୀୟ ସଭାରେ ନବୀନ କେବିକେ ଯୋଜନା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ବୃତ୍ତି ବନ୍ଦ କରାଯାଇଥିବା ପ୍ରସଙ୍ଗ ଉଠାଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଏଥିସହ କେନ୍ଦ୍ରର ଚାଷୀ ବୀମା ଯୋଜନାରେ ରାଜ୍ୟର ଚାଷୀ କାହିଁକି ଉପକୃତ ହୋଇପାରୁ ନାହାନ୍ତି ବୋଲି ପାଲଟା ପ୍ରଶ୍ନ କରିଥିଲେ ।

ନବୀନ କହିଲେ, ଆମ ସରକାର ଗଠନର ପ୍ରଥମ ଦିନରେ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ଟଙ୍କା ପହଞ୍ଚିବ । ଏକାଥରକେ ଦୁଇଟି କିସ୍ତିର ଟଙ୍କା ଦିଆଯିବ । ରାଜ୍ୟ ଗତ ୧୯ବର୍ଷ ମଧ୍ୟରେ ପ୍ରଗତିର ଶୀର୍ଷ ଛୁଇଁଛି । ଆଗକୁ ଆହୁରି ବିକାଶ କରିବୁ । ଜେକେପୁରଠାରୁ ରାୟଗଡ଼ା ଯାଏ ୧୨ କିଲୋମିଟର ଲମ୍ବା ରୋଡ୍‌ ସୋ’ରେ ବୁଲିଥିଲେ ନବୀନ । ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ବସ୍‌ ଉପରେ ଛିଡ଼ା ହୋଇ ହାତ ହଲାଉଥିଲେ, ଭାଷଣ ଦେଉଥିଲେ, ଭୋଟ୍‌ ମାଗୁଥିଲେ ।

ପ୍ରଥମେ ଗୁଣପୁର ଓ ପରେ ବିଷମକଟକଠାରେ ନିର୍ବାଚନୀ ପ୍ରଚାର କରିଥିଲେ । ଶେଷରେ ପହଞ୍ଚିଥିଲେ ରାୟଗଡ଼ା ନିର୍ବାଚନମଣ୍ଡଳୀରେ । କହିଲେ, ଆପଣମାନଙ୍କ ସମର୍ଥନ ଓ ଉତ୍ସାହ ଦେଖଇ ମୁଁ ଅଭିଭୂତ । ଆପଣମାନଙ୍କ ଭଲପାଇବା ନିକଟରେ କୃତଜ୍ଞ । କେନ୍ଦ୍ର ଉପରେ ହମ୍‌ଲା ଜାରି ରଖି କହିଲେ, ଆମେ ଆହାର ଯୋଜନା କଲୁ ଗରିବଙ୍କ ପାଇଁ । କେନ୍ଦ୍ରର ବିଜେପି ସରକାର ସହଯୋଗ କରିବାକୁ ମନା କରି ଦେଲେ । ଆମେ ନିଜ ଉଦ୍ୟମରୁ ଏହା ଜାରି ରଖିଛୁ । ରାଜ୍ୟର ଘର ଘରକୁ ବିଶୁଦ୍ଧ ପାଣି ପହଞ୍ଚୁଛି । ଏଥିପାଇଁ ରାଜ୍ୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି । କେନ୍ଦ୍ର ଦେଉଛି ମାତ୍ର ୧ ହଜାର କୋଟି ।

ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରେ ପୃଥକ୍‌ ନିର୍ବାଚନୀ ସଭା ଓ ରୋଡ୍‌ ସୋ’ରେ ସାମିଲ ହୋଇ ନବୀନ କହିଲେ, ତିତ୍‌ଲି ସମୟରେ ଲୋକେ ବହୁ ଅସୁବିଧାରେ ଥିଲେ । ଏହାର ସମାଧାନ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ କରିଛନ୍ତି । କିନ୍ତୁ ସେହି ସମୟରେ କୌଣସି ସହାୟତା କରିବା ତ ଦୂରର କଥା, ସହାୟତା ପାଇଁ ଦାବି କରାଯାଇଥିଲେ ମଧ୍ୟ କୌଣସି ସହାୟତା ପ୍ରଦାନ କରିନଥିଲା କେନ୍ଦ୍ର । ଆନ୍ଧ୍ରକୁ ଆଗ ସାହାଯ୍ୟ ଦେଲେ, ଆମ କଥା ପରେ ମନେ ପଡ଼ିଲା । ଓଡ଼ିଶାର ଗରିବଙ୍କ ପ୍ରତି ସେମାନଙ୍କ ଦରଦ ଏମିତି ।

ଅପରାହ୍ନ ପ୍ରାୟ ୩ଟା ବେଳେ ମୋହନା ନିର୍ବାଚନମଣ୍ଡଳୀର ମକାପଦାଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବା ସହ ମୋହନା ବିଧାନସଭା ଆସନର ପ୍ରାର୍ଥୀ ପୂର୍ଣ୍ଣବାସୀ ନାୟକ ଏବଂ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ ନବୀନ । ଏହା ପରେ ହେଲିକପ୍ଟର ଯୋଗେ ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ । ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି ତିତ୍‌ଲି ପ୍ରସଙ୍ଗ ପୁଣି ଉଠାଇବା ସହ କେନ୍ଦ୍ରକୁ ଉଚିତ ଜବାବ ଦେବାକୁ ସେ ଆହ୍ୱାନ ଦେଇଥିଲେ ।

ପାରଳାଖେମୁଣ୍ଡିର ବିଧାୟିକା ପ୍ରାର୍ଥୀ କଲ୍ୟାଣୀ ଗଜପତି ଏବଂ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ । ଲୋକଙ୍କ ଭରସା କେବଳ ନବୀନ ପଟ୍ଟନାୟକ ବୋଲି ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ପ୍ରକାଶ କରିବା ସହ ନିଜ ଅଭିଭାଷଣରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ରାଜ୍ୟ ସରକାର ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ସୂଚନା ଦେଇଥିଲେ । ତାଙ୍କୁ ସାଂସଦ ଭାବେ ନିର୍ବାଚିତ କଲେ ମୁଖ୍ୟମନ୍ତ୍ରୀଙ୍କ ଅଧୁରା ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ କହିଥିଲେ ।

ବିଧାୟିକା ପ୍ରାର୍ଥୀ କଲ୍ୟାଣୀ ଗଜପତି କହିଥିଲେ, ପାରଳାଖେମୁଣ୍ଡି ଲୋକଙ୍କ ସେବା କରିବା ପାଇଁ ସେ ଏଠାକୁ ଆସିଛନ୍ତି । ଶେଷ ନିଶ୍ୱାସ ଯାଏଁ ଲୋକଙ୍କ ସହ ରହି ପାରଳାଖେମୁଣ୍ଡିର ବିକାଶ ପାଇଁ କାମ କରିବେ । ନବୀନ ପାରଳାଖେମୁଣ୍ଡି ସଭାସ୍ଥଳରେ ପହଞ୍ଚିବା ପରେ ସମବେତ ମହିଳା ହୁଳହୁଳି ଓ ପୁରୁଷ କରତାଳି ଦେଇ ସ୍ୱାଗତ କରିବା ସହ ଜିନ୍ଦାବାଦ ଧ୍ୱନୀ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଆସି ହାତ ହଲାଇ ଅଭିବାଦନ ଜଣାଇଥିଲେ । ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ନବୀନ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଶପଥ ଗ୍ରହଣ ସମୟରେ AIMIM ବିଧାୟକ ‘ହିନ୍ଦୁସ୍ଥାନ’ କହିବାକୁ କଲେ ଆପତ୍ତି, ବିହାର ବିଧାନସଭାରେ ହଙ୍ଗାମା

ବିହାର ପରେ ଦକ୍ଷିଣ ମୁହାଁ ବିଜେପି, ଚେନ୍ନାଇରେ ଶାହଙ୍କ ରୋଡ ଶୋ’

ଅସଦୁଦ୍ଧିନ ଓବେସୀଙ୍କ ଦୁର୍ଭାଗ୍ୟଜନକ ମନ୍ତବ୍ୟ, ପୁଣି ହିନ୍ଦୁତ୍ବ ଉପରେ କଲେ ବିବାଦୀୟ ଟ୍ବିଟ୍…

ଓଡିଆ ଗୀତରେ ରାପ୍‌ କଲେ ସୁର ଭାଇନା: ‘ଆସିଗଲା ସୁର ରାଉତ, କଡ୍ଡା ଉପହାର ନେଇ ତ’.. ‘ମାଡି ଚାଲ’…

କେଉଁ ମାସରେ ହେବ ନୂତନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ? ଖୁଲାସା କଲେ ଦଳର ମୁଖପାତ୍ର….