ନବୀନଙ୍କ ପାଲଟା ପ୍ରଶ୍ନ, ତୁମ ମୁଖ୍ୟମନ୍ତ୍ରୀ କିଏ ?

ଭୁବନେଶ୍ୱର,୧୩ ।୪(ବ୍ୟୁରୋ): ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ତାଙ୍କର ନିର୍ବାଚନମଣ୍ଡଳୀ କେଉଁଠି ? ଶନିବାର ଭୋଟ ପ୍ରଚାରରେ ବିଜେପିକୁ ଏମିତି ପ୍ରଶ୍ନବାଣ ଫିଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ସେ କଟାକ୍ଷ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି?

ନିଜର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ନବୀନ ତେଜୀୟାନ୍‌ କରିବା ସହ କେନ୍ଦ୍ରର ବିଜେପି ସରକାର ଉପରେ ତଗଡ଼ା ଆକ୍ରମଣ କରିଛନ୍ତି । ନୟାଗଡ଼ ଦଶପଲ୍ଲାରେ ଭୋଟଭିକ୍ଷା କରି ପୂର୍ବାପେକ୍ଷା ମୁଖ୍ୟମନ୍ତ୍ରୀ ଆକ୍ରାମକ ଆକ୍ରମଣ କରି କହିଛନ୍ତି, ନିର୍ବାଚନ ଆସିଲେ ଦିଲ୍ଲୀ ଇଞ୍ଜନ ଆସୁଛି । ଜୋରରେ ପାଟି କରୁଛି । ମାତ୍ର ଭୋଟ ସରିବା ପରେ ଦିଲ୍ଲୀ ଇଞ୍ଜିନର ଦେଖା ମିଳିବ ନାହିଁ । ବିଜେପିର ଦିଲ୍ଲୀ ଇଞ୍ଜିନକୁ ଛାଡ଼ି ଓଡ଼ିଶାରେ ଆଉ ଗୋଟିଏ ଇଞ୍ଜିନ କିଏ? ଓଡ଼ିଶାବାସୀ ତାହା ଜାଣିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ, ବିଜେପି କହୁ ।
ଆସ୍କାରେ ମଧ୍ୟ ନବୀନ ବିଜେପିକୁ ଆକ୍ରମଣ କରି ଲୁହୁଲୁହାଣ କରି କହିଛନ୍ତି, ମୁଁ ଥିବା ଯାଏ ‘କାଳିଆ’ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ଏ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ବିଜେଡି ସରକାର ଆସିବାର ପ୍ରଥମ ଦିନ ହିଁ ଚାଷୀମାନଙ୍କୁ ଦୁଇ କିସ୍ତିର କାଳିଆ ସହାୟତା ୧୦ ହଜାର ଟଙ୍କା ମିଳିବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗଞ୍ଜାମ ହେଉଛି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭୂମି । ଗଞ୍ଜାମ ଲୋକ ଶାନ୍ତିପ୍ରିୟ । ଏଠାର ଶାନ୍ତ ବାତାବରଣକୁ ନଷ୍ଟ କରିବାକୁ ବିଜେପି ଓ କଂଗ୍ରେସ ଚକ୍ରାନ୍ତ କରିଛନ୍ତି । ସେମାନେ ଅପରାଧୀମାନଙ୍କୁ ପ୍ରାର୍ଥୀ କରିଛନ୍ତି, ମୁଁ କିନ୍ତୁ ମା’ମାନଙ୍କୁ ପ୍ରାର୍ଥୀ କରିଛି । ଆସ୍କା ହେଉଛି ବିଜୁବାବୁଙ୍କ ନିର୍ବାଚନମଣ୍ଡଳୀ । ଏଠାରୁ ମୁଁ ଏମପି ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲି । ଆସ୍କା ଏବେ ଇତିହାସ ରଚିବାକୁ ଯାଉଛି । ସମଗ୍ର ଦେଶରେ ପ୍ରଥମ କରି ଜଣେ ଏସ୍‌ଏଚ୍‌ଜି ମହିଳା ସଂସଦକୁ ଯିବେ । ୪ ଜଣ ମହିଳା ବିଧାନସଭାକୁ ଯିବେ । ଆସ୍କା ସମଗ୍ର ବିଶ୍ୱ ଓ ଦେଶକୁ ରାସ୍ତା ଦେଖାଇବ ।

ଦଶପଲ୍ଲାରେ ଉପସ୍ଥିତ ଜନତାଙ୍କୁ ମୁଖ୍ୟମନ୍ତ୍ରୀ କହିଲେ, ମିଶନ ଶକ୍ତି ହେଉଛି ମୋର ପ୍ରିୟ କାର୍ଯ୍ୟକ୍ରମ । ମା’ମାନେ ହେଉଛନ୍ତି ବିକାଶର ଡବଲ ଇଞ୍ଜିନ । ମାଆମାନଙ୍କୁ ଆମେ ୫ ହଜାର କୋଟି ଟଙ୍କାର କାମ ଦେବାକୁ ଘୋଷଣା କରିଛୁ । ଯେଉଁମାନେ ଡବଲ ଇଞ୍ଜିନ କଥା କହୁଛନ୍ତି, ସେମାନେ ଫାଇଲିନ, ହୁଡହୁଡ, ତିତଲି, ମରୁଡ଼ି ଓ ବନ୍ୟା ବେଳେ କୁଆଡ଼େ ଥିଲେ? ମୁଁ ଆପଣମାନଙ୍କ ସହ ସବୁବେଳେ ଅଛି । ଆପଣମାନେ ମୋର ପରିବାର । ଶେଷ ନିଃଶ୍ୱାସ ଯାଏ ମୁଁ ଆପଣମାନଙ୍କ ସେବା କରିବି । ଗଞ୍ଜାମ ଓ ନୟାଗଡ଼ରେ ନବୀନଙ୍କ ଭୋଟ ପ୍ରଚାରରେ ଦଳୀୟ ପ୍ରାର୍ଥୀ, ନେତାମାନେ ସାମିଲ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଶପଥ ଗ୍ରହଣ ସମୟରେ AIMIM ବିଧାୟକ ‘ହିନ୍ଦୁସ୍ଥାନ’ କହିବାକୁ କଲେ ଆପତ୍ତି, ବିହାର ବିଧାନସଭାରେ ହଙ୍ଗାମା

ବିହାର ପରେ ଦକ୍ଷିଣ ମୁହାଁ ବିଜେପି, ଚେନ୍ନାଇରେ ଶାହଙ୍କ ରୋଡ ଶୋ’

ଅସଦୁଦ୍ଧିନ ଓବେସୀଙ୍କ ଦୁର୍ଭାଗ୍ୟଜନକ ମନ୍ତବ୍ୟ, ପୁଣି ହିନ୍ଦୁତ୍ବ ଉପରେ କଲେ ବିବାଦୀୟ ଟ୍ବିଟ୍…

ଓଡିଆ ଗୀତରେ ରାପ୍‌ କଲେ ସୁର ଭାଇନା: ‘ଆସିଗଲା ସୁର ରାଉତ, କଡ୍ଡା ଉପହାର ନେଇ ତ’.. ‘ମାଡି ଚାଲ’…

କେଉଁ ମାସରେ ହେବ ନୂତନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ? ଖୁଲାସା କଲେ ଦଳର ମୁଖପାତ୍ର….