ପଶ୍ଚିମ ଓଡି଼ଶାରୁ ନିର୍ବାଚନ ଲଢିପାରନ୍ତି ନବୀନ, ନେତା ଓ ସମର୍ଥକଙ୍କ ଅନୁରୋଧ ପରେ ବିଚାର କରୁଛନ୍ତି

source:www.livemint.com
ଭୁବନେଶ୍ୱର ୧୭/୩: ପୁଣି ନୂଆ ଗୋଟି ଚଳାଇଲେ ବିଜେଡି ସୁପ୍ରିମୋ । ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିପାରନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନବୀନ ରବିବାର କହିଛନ୍ତି ଯେ ପଶ୍ଚିମ ଓଡିଶା ନେତା, ଚାଷୀ ଓ ଛାତ୍ରଛାତ୍ରୀମାନେ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି । ତେବେ ଏନେଇ ସେ ବିଚାର କରୁଥିବା କହିଛନ୍ତି ।
ରାଜ୍ଯ ରାଜନୀତି ଏବେ ପୁରା ସରଗରମ । କିଏ କେତେବେଳେ କେଉଁ ଦଳ ଛାଡୁଛନ୍ତି ତ ଆଉ କିଏ ଅନ୍ୟ ଦଳରେ ଯୋଗଦେଉଛନ୍ତି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିପାରନ୍ତି ବୋଲି ଶୁଣିବା ପରେ ରାଜନୀତି ମାହୋଲ ଆହୁରି ଗରମ ହୋଇଛି । ଏହି ଖବର ଶୁଣିବାପରେ ବିରୋଧୀଙ୍କ ମଧ୍ଯରେ ଛନକା ପଶିଛି ।
ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡିଶାର ଲେଖକ, ବୁଦ୍ଧିଜୀବୀଙ୍କ ସହ କିଛି ଦଳୀୟ କର୍ମୀ ଭେଟିଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଛନ୍ତି । ପଶ୍ଚିମ ଓଡିଶାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଭଲପାଆନ୍ତି ତେଣୁ ପଶ୍ଚିମ ଓଡିଶାର ଯେକୌଣସି ସିଟ୍ ରୁ ନିର୍ବାଚନ ଲଢିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଅନୁରୋଧ କରିଛନ୍ତି । ତେବେ ଏନେଇ କୌଣସି ସ୍ପଷ୍ଟ ହୋଇପାରିନାହିଁ ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ଥର ନିର୍ବାଚନ ଲଢି ବିଜୟ ହୋଇଆସୁଛନ୍ତି ନବୀନ । କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ପଶ୍ଚିମ ଓଡିଶାକୁ ଶାସକ ଓ ବିରୋଧୀ ଫୋକସରେ ରଖିଛନ୍ତି । ସେଥିପାଇଁ ଖୋଦ୍ ବିଜେଡି ସୁପ୍ରିମୋଙ୍କୁ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଛନ୍ତି ନେତାଏ । ତେବେ ଏ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ ଯେ, ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବେ ନା ନାହିଁ ।