ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ ରୋଡ୍‌ ସୋ; ଶଙ୍ଖକ୍ଷେତ୍ରରେ ଶଙ୍ଖଧ୍ୱନି

ପୁରୀ/ସାକ୍ଷୀଗୋପାଳ/ପିପିଲି, ୧୯ା୪ (ବ୍ୟୁରୋ/ଆପ୍ର): ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଗୁଣ୍ଡିଚା ବାଡ଼ି ପର୍ଯ୍ୟନ୍ତ ସବୁ ଦିଶୁଥିଲା ଶଙ୍ଖମୟ । ପତାକାରେ ଶଙ୍ଖ, ବ୍ୟାନର-ହୋର୍ଡିଂରେ ଶଙ୍ଖ, କର୍ମୀଙ୍କ ଟି ସାର୍ଟରେ ଶଙ୍ଖ ଓ ପ୍ରଶଂସକଙ୍କ ଦେହରେ ଶଙ୍ଖ । ପୁରୀରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାରାଥନ୍‌ ରୋଡ୍‌ ସୋ କରିଛନ୍ତି । ରୋଡ୍‌ ସୋରେ ସେ ଦଳର ଏମ୍‌ପି ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ଉଡ଼ିଛି ଶଙ୍ଖ ଧ୍ୱଜା ।
ଆଜି ନବୀନ ବ୍ରହ୍ମଗିରି ଠାରୁ ରୋଡ୍‌ ସୋ ଆରମ୍ଭ କରିଥିଲେ । ଅପରାହ୍ନରେ ପୁରୀ ସର୍କିଟ୍‌ ହାଉସ୍‌ରେ ସାମୟିକ ବିରତି ପରେ ପୁଣି ଆରମ୍ଭ ହୋଇଥିଲା ରୋଡ୍‌ ସୋ । ପୁରୀରୁ ସତ୍ୟବାଦୀ, ପିପିଲି ହୋଇ ଭୁବନେଶ୍ୱରରେ ପହଞ୍ଚିଥିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ବସ୍‌ । ବାଟସାରା ରହି ରହି ସେ ରାସ୍ତାକଡ଼ରେ ସମବେତ ଜନସାଧାରଣଙ୍କୁ ସମ୍ବୋଧନ କରି ବିଜେଡି ସପକ୍ଷରେ ଭୋଟ ମାଗିଥିଲେ । ବିଜେଡି ହିଁ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରୁଛି । ତେଣୁ ବିଜେଡିକୁ ଆଶୀର୍ବାଦ କରିବାକୁ ନବୀନ ଅନୁରୋଧ କରିଥିଲେ ।

ପୁରୀ ଲୋକସଭା ଆସନ ଦଖଲ କରିବାକୁ ଜୋରଦାର୍‌ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ଶାସକ ବିଜେଡି ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛି । ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରଭାବକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀ ପୁରୀ ଲୋକସଭା ଆସନ ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‌ ରୋଡ୍‌ ସୋ’ କରିଥିଲେ ।

ପୁରୀ ସଂସଦୀୟ କ୍ଷେତ୍ରର ବ୍ରହ୍ମଗିରି ବିଧାନସଭା ଆସନ ଅନ୍ତର୍ଗତ ଚିଲିକା ସାତପଡ଼ାରୁ ପୁରୀ, ପୁରୀରୁ ସତ୍ୟବାଦୀ, ସତ୍ୟବାଦୀରୁ ପିପିଲି ଦେଇ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ଭୁବନେଶ୍ୱର ଆସିଥିଲା । ସାତପଡ଼ାରୁ ପାଖାପାଖି ୯୦ କିମି ଜାତୀୟ ରାଜପଥକୁ ସେ ଅତିକ୍ରମ କରିଥିଲେ । ବାଟରେ ତାଙ୍କୁ ବିପୁଳ ସଂଖ୍ୟାରେ ଦଳୀୟ ସମର୍ଥକମାନେ ରାସ୍ତାକଡ଼ରେ ସ୍ୱାଗତ କରିଥିଲେ । ସାତପଡ଼ାରେ ରୋଡ୍‌ ସୋ’ ପୂର୍ବରୁ ସେ ଏହି ଲୋକସଭା ଆସନର ଚିଲିକା ଏବଂ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର କରିଥିଲେ । ବାଟରେ ଭାଷଣବାଜି କିଛି ନ ଥିଲା ।

କିନ୍ତୁ ଗୋଟିଏ ସଙ୍କେତ ମିଳୁଥିଲା ବିଜେଡିକୁ କେଉଁଠି କେତେ ଜନସମର୍ଥନ ରହିଛି । ଗହଳି ଭିତରୁ ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌, ବିଜେଡି ଜିନ୍ଦାବାଦ୍‌ । ପ୍ରାର୍ଥୀଙ୍କ ନାମରେ ଜିନ୍ଦାବାଦ୍‌ ସ୍ଳୋଗାନ୍‌ ବି ଶୋଭାଯାତ୍ରା ଭିତରୁ ଶୁଭୁଥିଲା ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଜେପିର ଏକ ରୋଡ୍‌ ସୋ’ କରିଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ସୋ’ ଶେଷ ହେବା ପରେ ଦୁଇ ଦଳର ଜନସମଥର୍ନ ସମ୍ପର୍କରେ ସହର ସାରା ଚର୍ଚ୍ଚା ଆରମ୍ଭ ହୋଇଛି ।

ଆସନ୍ତା ୨୩ ତାରିଖରେ ପୁରୀ ଲୋକସଭା ଆସନରେ ମତଦାନ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ଅତିକ୍ରମ କରିଥିବା ବ୍ରହ୍ମଗିରି, ପୁରୀ ସଦର, ସତ୍ୟବାଦୀ, ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଏବଂ ବିଜେପି ମଧ୍ୟରେ ସିଧା ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଲୋକ ସମାଗମରୁ ସୂଚନା ମିଳିଛି ।

ସାତପଡ଼ାରୁ ରୋଡ୍‌ ସୋ’ରେ ଆସି ମୁଖ୍ୟମନ୍ତ୍ରୀ ପୁରୀ ସହର ପୂର୍ବରୁ ଗିରଳଠାରୁ କାର ଯୋଗେ ପୁରୀ ସର୍କିଟ୍‌ ହାଉସକୁ ଯାଇଥିଲେ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିତାଇଥିଲେ । ଅପରାହ୍ନ ୩ଟା୫୦ ମିନିଟରେ ଶ୍ରୀମନ୍ଦିର ଅଭିମୁଖେ କାର୍‌ରେ ଯାତ୍ରା କରିଥିଲେ । ସିଂହଦ୍ୱାର ଅରୁଣସ୍ତମ୍ଭ ସାମନାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କାର୍‌ ଯୋଗେ ମରିଚିକୋଟ ଛକ ଫେରିଥିଲେ । ସେଠାରେ ବିଜେଡି ସମର୍ଥକମାନଙ୍କ ବିଶାଳ ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲା । ଏହି ଛକ ଠାରୁ ମୁଖ୍ୟମନ୍ତ୍ରୀ ତାଙ୍କର ରୋଡ୍‌ ସୋ’ ପାଇଁ ଅପେକ୍ଷା କରିଥିବା ସ୍ୱତନ୍ତ୍ର ବସରେ ବସିଥିଲେ । ରୋଡ୍‌ ସୋ’ ବଡ଼ଦାଣ୍ଡ ଅତିକ୍ରମ କରିଥିଲା । ଗୁଣ୍ଡିଚା ମନ୍ଦିର ପାଖରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ଅତିକ୍ରମ କରିଥିଲା ।

ଶୋଭଯାତ୍ରାରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ପୁରୀ ପ୍ରାର୍ଥୀ ମହେଶ୍ୱର ମହାନ୍ତି, ସତ୍ୟବାଦୀ ପ୍ରାର୍ଥୀ ଉମାକାନ୍ତ ରାଉତରାୟ, ପିପିଲି ବିଧାୟକ ପ୍ରଦୀପ ମହାରଥୀ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ରେ ସାମିଲ ହୋଇଥିଲେ ।

ପୁରୀ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ସହ ରୋଡ ସୋ’ରେ ପ୍ରାର୍ଥୀମାନେ ଏକ ସ୍ୱତନ୍ତ୍ର ଗାଡ଼ିରେ ନିଜ ନିଜ ଅଞ୍ଚଳର ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ପିପିଲି ଅତିକ୍ରମ କରିବା ବେଳକୁ ସନ୍ଧ୍ୟା ୬ଟା୩୦ ମିନିଟ୍‌ ବାଜିଥିଲା । ବିଭିନ୍ନ ଛକରେ ଭିଡ ଜମାଇଥିବା ମହିଳାମାନେ ନବୀନଙ୍କୁ ହୁଳହୁଳି ଏବଂ ପୁରୁଷମାନେ ଶଙ୍ଖ ବଜାଇ ସ୍ୱାଗତ କରିଥିଲେ ।

   ସମ୍ବନ୍ଧିତ ଖବର


ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ

ବୋଲେରୋକୁ ଧକ୍କା ଦେଇ ଜଳିଗଲା କଣ୍ଟେନର : ଫ୍ଲିପ୍‌କାର୍ଟ ସାମଗ୍ରୀ ନେଇ ମୁମ୍ବାଇରୁ କୋଲକାତା ଯାଉଥିଲା, ୫ ଆହତ

ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ