ନବୀନଙ୍କ ନୂଆ ଫର୍ମୁଲା: ସଭାମଞ୍ଚରେ ନେତା ନୁହନ୍ତି ଜନତା

ଭୁବନେଶ୍ୱର, ୨୭ ।୨(ବ୍ୟୁରୋ): ମୁଡ୍‌ ବଦଳିଛି । ଭାବ ଭଙ୍ଗୀରେ ଆସିଛି ବହୁ ପରିବର୍ତ୍ତନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଲୋକଙ୍କ ନିକଟତର ହେଉଛନ୍ତି । ସଭା ହେଉ ଅବା ସମାବେଶ ନବୀନ ଯେଉଁଠି ଉପସ୍ଥିତ ରହୁଛନ୍ତି, ସେଠି ମଞ୍ଚରେ ଅନ୍ୟ ନେତା ବସୁନାହାନ୍ତି । ସାଧାରଣ ଲୋକ, ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ କିମ୍ବା ବିଜୁ ଯୁବ ବାହିନୀର ସଦସ୍ୟମାନେ ନବୀନଙ୍କ ନିକଟରେ ବସୁଛନ୍ତି । କେବଳ ବସୁନାହାନ୍ତି, ସରକାରୀ ଯୋଜନା ନେଇ ଆପତ୍ତି, ଅଭିଯୋଗ ସହ ନୂଆ ପରାମର୍ଶ ଦେଉଛନ୍ତି । ଏପରିକି ନିଜ ସଫଳତାର କାହାଣୀ ମଧ୍ୟ ଶୁଣାଉଛନ୍ତି, ସେଲଫି ମଧ୍ୟ ନେଉଛନ୍ତି । ଅନ୍ୟ ନେତାଙ୍କ ଭାଷଣ ବଦଳରେ ନବୀନ ଏବେ ସାଧାରଣ ଲୋକଙ୍କ କାହାଣୀ ଶୁଣୁଛନ୍ତି । ‘ପିପୁଲସ୍‌ ଚିଫ ମିନିଷ୍ଟର’ ଭାବେ ଭାବମୂର୍ତ୍ତି ଗଢ଼ିବାକୁ ନବୀନ କସରତ ଆରମ୍ଭ କରିଛନ୍ତି ।
ଭୋଟ୍‌ ପାଇଁ ଜୋର୍‌ ଧରିଛି ବିଜେଡି ପ୍ରସ୍ତୁତି । ପେଡ଼ିରୁ ନବୀନ ଖୋଲୁଛନ୍ତି ଗୋଟିଏ ପରେ ଗୋଟିଏ କାର୍ଡ । ବିଜେଡି ସପକ୍ଷରେ ଥିବା ମହିଳା , ଚାଷୀ ଓ ଆଦିବାସୀ ଭୋଟବ୍ୟାଙ୍କ ହାରକୁ ଆହୁରି ବଢ଼ାଇ ବାଜିମାତ୍‌ କରିବାକୁ ଫୁଲ ଦମରେ ଅଣ୍ଟା ଭିଡ଼ିଛନ୍ତି । ବିରୋଧୀଙ୍କୁ ଘାଇଲା କରିବାକୁ ଗୋଟିଏ ପରେ ଗୋଟିଏ ଶାଣିତ ଅସ୍ତ୍ର ଫିଙ୍ଗୁଛନ୍ତି । ଆଦିବାସୀଙ୍କ ପାଇଁ ବିଗତ ଦିନରେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା ହାତକୁ ନେଇଥିଲା ବେଳେ ଏବେ ମହିଳା କାର୍ଡ ଖୋଲିଛନ୍ତି । ଚାଷୀମାନଙ୍କ ପାଇଁ ‘କାଳିଆ’ ଯୋଜନା ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି । ନବୀନ ୫ମ ଥର ପାଇଁ ରାଜ୍ୟ ସିଂହାସନ ଆରୋହଣ କରିବେ ବୋଲି ବିଜେଡି ପ୍ରସ୍ତୁତ କରିଛି ବ୍ଲୁପ୍ରିଣ୍ଟ୍‌ ।
ଭୋଟ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ୍‌ । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ରହୁ । ବିଧାନସଭାରେ ଏ ସଂକଳ୍ପ ପ୍ରସ୍ତାବ ଆଗତ କରି ଏବଂ ପାରିତ କରାଇ ନବୀନ ଖୋଲିଛନ୍ତି ମହିଳା କାର୍ଡ । ରାଜ୍ୟର ସମସ୍ତ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) କୁ ସ୍ମାର୍ଟଫୋନ୍‌ ଯୋଗାଇ ଦିଆଯିବ ବୋଲି ଘୋଷଣା କରିବା ସହ ସମଗ୍ର ରାଜ୍ୟରେ ମିଶନ ଶକ୍ତି ସମାବେଶରେ ନବୀନ ନିଜେ ଯୋଗ ଦେଉଛନ୍ତି । ତେବେ ସଭାମଞ୍ଚରେ ନବୀନଙ୍କ ସହ ସଫଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହୁଛନ୍ତି । ନିଜ ମତ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଉଛନ୍ତି । ଗତ ଦୁଇଦିନ ତଳେ ଢେଙ୍କାନାଳରେ ଅନୁଷ୍ଠିତ ସମାବେଶରେ ଅନୁଗୁଳ ଛେଣ୍ଡିପଦାର ପ୍ରମିଳା ମାଝୀ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ସହାୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ଏପ୍ରିଲ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ । ରାଜ୍ୟର ଅନ୍ୟ ସ୍ଥାନରେ ଅନୁଷ୍ଠିତ ସମାବେଶରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ମହିଳାଙ୍କ ପାଇଁ ନବୀନଙ୍କ ଗୋଟିଏ ପରେ ଗୋଟିଏ ଅନୁକୂଳ ନିଷ୍ପତ୍ତି ସହ ସଭାମଞ୍ଚରେ କଥାବାର୍ତ୍ତା ବିରୋଧୀ କ୍ୟାମ୍ପରେ ହୃତକମ୍ପନ ସୃଷ୍ଟି କରିଛି ।
ଆଦିବାସୀ ଭୋଟବ୍ୟାଙ୍କକୁ ମଧ୍ୟ ଜାବୁଡ଼ି ରଖିବାକୁ ବିଜେଡି ମୁଖିଆ ଗୋଟି ଚଳାଇଛନ୍ତି । ମଙ୍ଗଳବାର ଆଦିବାସୀ ଉନ୍ନୟନ ପରିଷଦର ବୈଠକ ଭିଡିଓ କନଫରେନ୍ସିଂରେ ନେଇ ନବୀନ ଆଦିବାସୀ ଲୋକଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ସୁଖଦୁଃଖ କଥା ବୁଝିଥିଲେ । ୯ ଜନଜାତି ବହୁଳ ଜିଲ୍ଲାରେ ୩ ହଜାର ଧାର୍ମିକ ପୂଜାସ୍ଥଳୀ ଓ ୪ ଶହ ଜନଜାତି କ୍ଲବ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୯ଟି ଜନଜାତି ପରିଷଦର ଜନଜାତି ବର୍ଗର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଜନଜାତି କଳା ଓ ସଂସ୍କୃତି ହେଉଛି ଆମର ଗୌରବ । ଏହାର ସୁରକ୍ଷା ଓ ବିକାଶ ଆମର ଦାୟିତ୍ୱ ।
ଚାଷୀଙ୍କୁ ନେଇ ସରକାର ବେଶ୍‌ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ମାତ୍ର ଡିସେମ୍ବର ଶେଷ ଆଡକୁ ନବୀନ ‘କାଳିଆ’ ଯୋଜନା ଘୋଷଣା କରି ଖେଳିଲେ ମାଷ୍ଟରଷ୍ଟ୍ରୋକ୍‌ । ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ଚାଷୀଙ୍କୁ ଦୁଇଟି ଫସଲରେ ୧୦ ହଜାର ଟଙ୍କାର ସହାୟତା ଦେଉଛନ୍ତି । ଏଯାଏ ରାଜ୍ୟର ୩୦ ଲକ୍ଷ ୪୦ ହଜାର ଚାଷୀ ପ୍ରଥମ ପର୍ଯ୍ୟାୟ ସହାୟତା ପାଇ ସାରିଛନ୍ତି । କେବଳ ସେତିିକି ନୁହେଁ, ଭୂମିହୀନ, ଓ ଅକ୍ଷମ ଚାଷୀଙ୍କୁ ସହାୟତା ସହ ବିନା ସୁଧରେ ୫୦ ହଜାର ଯାଏ ଋଣ ଯୋଗାଣ ଓ ବୀମା ସୁବିଧା ମଧ୍ୟ କରାଯାଇଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ‘କାଳିଆ’ ହେଉଛି ପ୍ରଗତିଶୀଳ ଯୋଜନା ବୋଲି ନବୀନ ‘କାଳିଆ’ ସମାବେଶରେ କହୁଛନ୍ତି । ସବୁ କାଳିଆ ସମାବେଶରେ ନବୀନଙ୍କ ସହ ମଞ୍ଚରେ ଚାଷୀମାନେ ବସୁଛନ୍ତି । ବିଜୁ ଯୁବ ବାହିନୀର ଯୁବ ସମାବେଶରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ମଞ୍ଚରେ ନବୀନଙ୍କ ସହ ଯୁବକମାନେ ଉପସ୍ଥିତ ରହୁଛନ୍ତି । ଭୋଟ ପୂର୍ବରୁ ନବୀନଙ୍କ ଏ କସରତ ବିରୋଧୀ କ୍ୟାମ୍ପକୁ ଚିନ୍ତାରେ ପକାଇଛି ।

   ସମ୍ବନ୍ଧିତ ଖବର


ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ନେଲେ ସ୍ବେଚ୍ଛାକୃତ ଅବସର, ଲଢି ପାରନ୍ତି ବିହାର ବିଧାନସଭା ନିର୍ବାଚନ

ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ମଧ୍ୟ ମିଳିଲା ସ୍ଥାନ

ରାଜ୍ୟସଭାରେ ୭ ବିଲ୍‌ ଗୃହୀତ

ଉପବାସରେ ରାଜ୍ୟସଭାର ଉପ-ସଭାପତି: ଉପରାଷ୍ଟ୍ରପତିଙ୍କୁ ୩ ପୃଷ୍ଠାର ଚିଠି ଲେଖି କହିଲେ- ବହୁତ କଷ୍ଟ ଲାଗିଛି, ସାରା ରାତି ଶୋଇପାରିନି…’

ସଂସଦରେ ପାରିତ କୃଷି ବିଲ୍‌ ଐତିହାସିକ: ଧର୍ମେନ୍ଦ୍ର

କୃଷି ବିଲ୍‌କୁ ରାଜ୍ୟସଭାରେ ବିଜେଡିର ବିରୋଧ -ଚାଷୀ ସ୍ୱାର୍ଥ ବିରୋଧୀ, ଅଭାବୀ ବିକ୍ରି ବଢ଼ିବ