ଦିନକରେ ନବୀନଙ୍କ ୪୦ କିମି ରୋଡ୍ ସୋ’; ମୁଁ ଭୁବନେଶ୍ୱର ଲୋକ, ଆଶୀର୍ବାଦ ଦିଅ

ଭୁବନେଶ୍ୱର,୧୯ ।୪(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ୩ଟି ଯାକ ନିର୍ବାଚନ ମଣ୍ଡଳୀରେ ମାରାଥନ୍ ରୋଡ୍ ସୋ’ କରିଛନ୍ତି । ମୁଁ ଭୁବନେଶ୍ୱରର ଲୋକ, ମୋତେ ଆଶୀର୍ବାଦ ଦିଅ’ ବୋଲି ନିବେଦନ କରିଛନ୍ତି । ଆଜି ଗୋଟିଏ ଦିନରେ ୪୦କିମି ବ୍ୟାପୀ ରୋଡ୍ ସୋ’ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ ଅରୂପ ମୋହନ ପଟ୍ଟନାୟକ ଓ ୩ ବିଧାୟକ ପ୍ରାର୍ଥୀ ଏଥିରେ ସାମିଲ ହୋଇଛନ୍ତି ।
ଆଜି ଲଗାତର ତୃତୀୟ ଦିନ ପାଇଁ ରାଜଧାନୀରେ ରୋଡ୍ ସୋ’ କରିଥିଲେ ନବୀନ । ସାଙ୍ଗରେ ଥିଲେ ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା । ପିପିଲି ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ରୋଡ ସୋ’ ସାରି ସନ୍ଧ୍ୟା ୭ଟାରେ ଧଉଳି ଛକ ଠାରେ ପହଞ୍ଚିଥିଲେ । ସେଠାରେ ଅପେକ୍ଷାରତ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ତାଙ୍କୁ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଦେଇଥିଲେ । ଧଉଳି ଛକ ଠାରେ ସଂକ୍ଷିପ୍ତ ଭାଷଣ ଦେଇ ରୋଡ଼ ସୋ’ ଜାତୀୟ ରାଜପଥ ଦେଇ ଶିଶୁପାଳଗଡ଼ ଛକ ଠାରେ ପହଞ୍ଚିଥିଲା । ସେଠାରେ ମଧ୍ୟ ବହୁ ଲୋକ ଓ ଦଳୀୟ କର୍ମୀ ସମବେତ ହୋଇଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସେଠାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନିଜକୁ ଭୁବନେଶ୍ୱରର ଲୋକ ବୋଲି କହିଥିଲେ । ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିପୁଳ ବିଜୟ ଦେବାକୁ ନିବେଦନ କରିଥିଲେ ।
ନବୀନଙ୍କ ରୋଡ୍ ସୋ’ ସାମନ୍ତରାପୁର ଦେଇ ଶ୍ରୀରାମନଗରରେ ପହଞ୍ଚିଥିଲା । ସେଠାରେ ସଂକ୍ଷିପ୍ତ ଭାଷଣ ପରେ ରୋଡ୍ ସୋ ବଶିଷ୍ଠନଗର ହୋଇ ଶ୍ରୀଲିଙ୍ଗରାଜ ମନ୍ଦିରଠାରେ ପହଞ୍ଚିଥିଲା । ଉପସ୍ଥିତ ଲୋକଙ୍କୁ ଚିରାଚରିତ ଢଙ୍ଗରେ ଶ୍ରୀ ପଟ୍ଟନାୟକ ଆପଣମାନେ ଖୁସି ତ… ବୋଲି ପଚାରି ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ଶ୍ରୀଲିଙ୍ଗରାଜ ମନ୍ଦିର ପଟ ହୋଇ ରୋଡ୍ ସୋ’ ସନ୍ଧ୍ୟା ସାଢ଼େ ୭ଟାରେ ବଢ଼େଇବାଙ୍କ ଛକ ଠାରେ ପହଞ୍ଚିଥିଲା । ସେଠାରେ ସଂକ୍ଷିପ୍ତ ଭାଷଣ ପରେ ଶୋଭାଯାତ୍ରା ତିନିମୁଣ୍ଡିଆ ଛକ, ଗୋସାଗରେଶ୍ୱର ଛକ, ବାରିକ ସାହି, ରାମେଶ୍ୱର ଛକ ଦେଇ କଳ୍ପନା ଛକ ଠାରେ ପହଞ୍ଚିଥିଲା । ସେଠାରେ ସମବେତ ବିଶାଳ ଜନସମାବେଶ ରୋଡ୍ ସୋ’କୁ ବଡ଼ଗଡ଼ ଗ୍ରାମ ଆଡ଼େ କଢ଼ାଇ ନେଇଥିଲେ । ମୁଖ୍ୟମନ୍ତ୍ରୀ ବଡ଼ଗଡ଼ ଛକରେ ଜୟ ଜଗନ୍ନାଥ କହି ହାତ ହଲାଇ ଲୋକଙ୍କ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ଚଳିତ ନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହାପରେ ସେହିଠାରୁ ରୋଡ୍ ସୋ’ ଶେଷ ହୋଇ ମୁଖ୍ୟମନ୍ତ୍ରୀ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଏକାମ୍ର ନିର୍ବାଚନମଣ୍ଡଳୀ ପରେ ମଧ୍ୟ ଭୁବନେଶ୍ୱରରେ ପ୍ରଚାର କରିଥିଲେ ନବୀନ । ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସାଙ୍ଗରେ ଧରି ତାଙ୍କ ପାଇଁ ଭୋଟ୍ ମାଗିଥିଲେ । ରାଜମହଲ ଛକରେ ଆୟୋଜିତ ସଭାରେ ବକ୍ତବ୍ୟ ରଖିଥିଲେ । ସେଠାରୁ ରାମମନ୍ଦିର ଛକ ହୋଇ କେନ୍ଦ୍ରୀୟ ବିଦ୍ୟାଳୟ ଯାଏ ଯାଇଥିଲେ । ସେଠାରୁ ପୁଣି ପଛକୁ ବୁଲି ମାଷ୍ଟରକ୍ୟାଣ୍ଟିନ୍ ଆଡକୁ ଆସିଥିଲେ । ରାଜମହଲ ଛକ ଦେଇ ଏଜି ଛକ, ଭୁବନେଶ୍ୱର କ୍ଲବ୍, ରାଜଭବନ ଛକ ଦେଇ ଗୋପବନ୍ଧୁ ଛକରେ ପହଞ୍ଚିଥିଲେ । ପରେ ୟୁନିଟ୍-୮ ପାଠାଗାର, ୟୁନିଟ-୮ ଡିଏଭି ଦେଇ ସିଆର୍ପି ଛକରେ ପହଞ୍ଚିଥିଲେ । ସିଆର୍ପି ଛକରୁ ବାହାରି ସିଧା ଆଚାର୍ଯ୍ୟବିହାର ପଥରବନ୍ଧ ବସ୍ତି ଓ ମଞ୍ଚେଶ୍ୱର ଅଞ୍ଚଳରେ ରୋଡ୍ କରିଥିଲେ ନବୀନ । ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ ଭୋଟ୍ ମାଗିଥିଲେ ।