ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ବଣ୍ଟନ ହେବ ଔଷଧିୟ ମଶାରୀ, ଷ୍ଟିଅରିଂ କମିଟି ବୈଠକରେ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୧୭/୯: ଔଷଧିୟ ମଶାରୀ ବଣ୍ଟନ କ୍ଷେତ୍ରରେ ମ୍ୟାଲେରିଆ ପ୍ରବଣ ଜିଲ୍ଲା ଗୁଡିକୁ ଅଗ୍ରାଧିକାରୀ ଦେବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ଯୋଗାଇଥିବା ୨୬ଲକ୍ଷ ୫୪ହଜାର ଔଷଧିୟ ମଶାରୀ ବଣ୍ଟନ ଲାଗି ଆଜି ଡାକ୍ତର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟି ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଓଡିଶାପାଇଁ ମଶାରୀ ପଠାଇବା ସହିତ ଏହା ରାଜ୍ୟରେ ପହଞ୍ଚିଥିବା ନେଇ ସରକାରଙ୍କୁ ଅବଗତ କରିବାପରେ ଏହା କିଭଳି ଭାବେ କେଉଁ କେଉଁ ଜିଲ୍ଲାରେ ବଣ୍ଟନ ହେବ ସେଥିନେଇ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

୨୦୧୭ ମସିହାରେ କେନ୍ଦ୍ର ସରକାର ରାଜ୍ୟକୁ ଏକ କୋଟି ୧୩ଲକ୍ଷ ଔଷଧିୟ ମଶାରୀ ପ୍ରଦାନ କରିଥିବାବେଳେ ଏହାକୁ ବିଭିନ୍ନ ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ବଣ୍ଟନ କରାଯାଇଥିଲା । ଫଳରେ ରାଜ୍ୟରେ ମ୍ୟାଲେରିଆକୁ ପ୍ରାୟ ୮୦ ପ୍ରତିଶତ ନିୟନ୍ତ୍ରଣ କରାଯାଇ ପାରିଥିଲା ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଥିଲେ । ଏହି ମଶାରୀର ଆୟୁ ପ୍ରାୟ ୩ବର୍ଷ ଥିବାବେଳେ ଓଡିଶାକୁ ପୁର୍ନବାର ମଶାରୀ ଯୋଗାଇଦେବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ତଦନୁଯାୟୀ କେନ୍ଦ୍ର ସରକାର ୨୬ଲକ୍ଷ ୫୪ହଜାର ମଶାରୀ ଯୋଗାଇ ଦେଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅଧିକ ମଶାରୀ ମିଳିବାର ସମ୍ଭାବନା ରହିଛି । ଏହାବାଦ୍‍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‍ଏଫ୍‍)ରୁ ମଶାରୀ ଖରିଦ କରିବାପାଇଁ ସରକାର ସ୍ଥିର କରିବାପରେ ଏ ନେଇ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇଛି । ଆସନ୍ତା ବର୍ଷ କେନ୍ଦ୍ର ସରକାର ରାଜ୍ୟକୁ ଆଉ ଏକ କୋଟି ୧୩ଲକ୍ଷ ମଶାରୀ ଯୋଗାଇଦେବାର ସୂଚନା ଥିବାରୁ ସେହି ମଶାରୀ ଆସିଲେ ୨୦୧୭ରେ ଯୋଗାଯାଇଥିବା ମଶାରୀ ଗୁଡିକର ସ୍ଥାନ ନେବ ବୋଲି କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି । 

କେନ୍ଦ୍ରରୁ ମିଳିଥିବା ଔଷଧିୟ ମଶାରୀ ବଣ୍ଟନ ସମୟରେ ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାକୁ ଅଗ୍ରାଧିକାର ଦିଆଯିବ । ମ୍ୟାଲେରିଆ ନିୟନ୍ତ୍ରଣର ପୂର୍ବାବସ୍ଥାକୁ ଆସିଯାଇଥିବା ରାଜ୍ୟର ନୂଆପଡା, ମୟୁରଭଞ୍ଜ, ସୋନପୁର, ଅନୁଗୁଳ, ବରଗଡ ଓ ଖୋରଧା ଏବଂ ନିୟନ୍ତ୍ରଣ ଅବସ୍ଥାକୁ ଆସିଯାଇଥିବା ଅବଶିଷ୍ଟ ୧୪ଟି ଜିଲ୍ଲାକୁ ପରବର୍ତ୍ତୀ ପର୍ଯ୍ୟାୟରେ ମଶାରୀ ବଣ୍ଟନରେ ସାମିଲ କରିବାପାଇଁ ସ୍ଥିର ହୋଇଛି । ତେବେ ମଶାରୀ ବଣ୍ଟନ ଓ ଏହାର ସଠିକ୍‍ ବ୍ୟବହାର ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚଳାଇବାକୁ ଡାକ୍ତର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ରାଜ୍ୟ ମେଡିକାଲ ନିଗମ ଏମ୍‍ଡି ୟାମିନୀ ଷଡଙ୍ଗୀ, ସ୍ୱତନ୍ତ୍ର ସଚିବ ଡାକ୍ତର ହସପ୍ରସାଦ ପଟ୍ଟନାୟକ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପ କୁମାର ଷଡଙ୍ଗୀ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅଜିତ୍‍ ମହାନ୍ତି, ଅତରିକ୍ତ ଶାସନ ସଚିବ ସୁଶାନ୍ତ କୁମାର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ